ବ୍ରହ୍ମବରଦା : କରୋନା ସମୟରେ ଗରିବ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। କିନ୍ତୁ ବିଜୁଳି ବିଭାଗର ତ୍ରୁଟିପୂର୍ଣ୍ଣ ବିଲ୍ ଏସବୁକୁ ବଳି ଯାଇଛି। ଅସ୍ବାଭାବିକ ବିଦ୍ୟୁତ୍ ବିଲ ଗୋଟିଏ ପରିବାର ପାଇଁ ଦୁର୍ଭାଗ୍ୟ ହୋଇ ଠିଆ ହୋଇଛି। କୁଆଖିଆ ବିଦ୍ୟୁତ୍ ଉପଖଣ୍ଡ ବ୍ରହ୍ମବରଦା ସେକସନ ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ ସାନବାଗସାହି ଗ୍ରାମର ପରିକ୍ଷିତ ଦଳେଇଙ୍କ ଉପଭୋକ୍ତା ନମ୍ବର ୬୧୫୧୧୩୦୯୦୪୯୩ରେ ଗୋଟିଏ ମାସରେ ବିଜୁଳି ବିଲ୍ ବାବଦରେ ଏକ ଲକ୍ଷ ଛଅ ହଜାର ଦୁଇ ଶହ ଟଙ୍କା ଆସିଛି। ଏଭଳି ବିଲ୍ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ଯେତିକି ହୋଇଛନ୍ତି, ଭୟଭୀତ ସେତିକି ହୋଇଛନ୍ତି। ବିଲ୍କୁ ନେଇ କ'ଣ କରିବେ କୁଆଡ଼େ ଯିବେ ଚିନ୍ତାରେ ପଡ଼ିଛନ୍ତି।
ପରିକ୍ଷିତ ଦଳେଇଙ୍କ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ପର କ୍ଷେତରେ ମୂଲ ଲାଗିଲେ ପରିବାର ଚଳେ। କିଛି ଦିନ ପୂର୍ବରୁ ସୌଭାଗ୍ୟ ଯୋଜନାରେ ତାଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ତାଙ୍କ ଘରେ ଦୁଇଟି ନଅ ୱାଟ ଏଲଇଡି ବଲବ ଓ ଗୋଟିଏ ପଙ୍ଖା ବ୍ୟବହାର କରୁଛନ୍ତି। ମାସିକ ହାରାହାରି ୨୫ରୁ ୩୦ ୟୁନିଟ ଓ ଶହେରୁ ୧୨୦ ଟଙ୍କା ମଧ୍ୟରେ ବିଦ୍ୟୁତ୍ ବିଲ୍ ଆସୁଥିଲା। ତାକୁ ସେ ଠିକ୍ ସମୟରେ ପୈଠ କରୁଥିଲେ। ଅଥଚ ଗୋଟିଏ ମାସରେ ଏକକାଳୀନ ଲକ୍ଷାଧିକ ଟଙ୍କାର ବିଲ୍ ଆସିବା ଘଟଣା ବିଦ୍ୟୁତ୍ ବିଭାଗର ସ୍ବଚ୍ଛତା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି। ସେ ବାରମ୍ବାର ଦୌଡ଼ିବା ପରେ ମଧ୍ୟ ତାହା ସଂଶୋଧନ କରାଯାଉ ନାହିଁ। ବ୍ରହ୍ମବରଦା କନିଷ୍ଠ ଯନ୍ତ୍ରୀ ଆଜିକାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଏଭଳି ଗରିବ ଶ୍ରେଣୀର ଲୋକଙ୍କୁ ବିଜୁଳି ବିଭାଗ ବାରମ୍ବାର ହତାଶ କରୁଥିବା ବେଳେ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପରିକ୍ଷିତ ଦଳେଇଙ୍କ ପୁଅ ଟିକି ଦଳେଇ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/ele-2.jpg)