ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଘଲଟି ଜଳଭଣ୍ତାର ବୁଡ଼ି ଅଞ୍ଚଳରେ ଥିବା ଆଠ ଖଣ୍ତ ଗ୍ରାମକୁ ପ୍ରଥମ ପର୍ଯ୍ୟାୟରେ ଥଇଥାନ କରାଯାଇଛି। ସେହିଭଳି ବାଣିଆବସା ଗ୍ରାମବାସୀଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ତେବେ ଜଳଭଣ୍ତାର ଆରପାରିରେ ଥିବା ବେହେରାପୁଟୁ, ଏଲଗଲ, ମାଡ଼ୁଆଗୁମ୍ମା, ଶିରିଶିଗଣ୍ତ, ଝରବାଡ଼ ପ୍ରମୁଖ ଆଦିବାସୀ ଗ୍ରାମ ଗୁଡ଼ିକର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଅଭାବରୁ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ସରକାରୀ ଯୋଜନା ଆଦି ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି। ବର୍ଷା ହେଲେ ଏହି ଗ୍ରାମଗୁଡ଼ିକ ଜଳ ଘେରରେ ରହୁଛି।
ଶନିବାର ଆଙ୍କୁଲି ପଂଚାୟତ ଅନ୍ତର୍ଗତ ଏଲଗଲ ଗ୍ରାମର ବନମାଳୀ ପ୍ରଧାନ (୪୫)ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଭାରାରେ ଚାରି କିଲୋମିଟର ପାହାଡ଼ ଜଙ୍ଗଲ ଦେଇ ବିପଦଜନକ ରାସ୍ତାରେ ବୁହା ହେଲା। ସେଠାରୁ ଡଙ୍ଗା ସାହାଯ୍ୟରେ ଜଳଭଣ୍ତାର ପାର କରାଯାଇଥିଲା। ପୂର୍ବରୁ ଅପେକ୍ଷା କରିଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ସବୁ ସମୟରେ ଏହି ଛଅ ଖଣ୍ତ ଗ୍ରାମ ଗୋଟିଏ ପଟେ, ରାସ୍ତା ଅନ୍ୟ ପଟେ। ମଝିରେ ଜଳଭଣ୍ତାର ଯୋଗୁଁ ବର୍ଷା ହେଲେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେବାକୁ ଥିବାରୁ ଆଗୁଆ ସୂଚନା ପାଇ ଗ୍ରାମର ଅନେକ ଲୋକ ତାଡ଼କା ସାହିକୁ ସ୍ଥାନାନ୍ତର ହୋଇଥିଲେ ହେଲେ। ଗୃହପାଳିତ ପଶୁ, ଫସଲ ପାଇଁ ବନମାଳୀ ଗ୍ରାମରୁ ଆସି ନଥିଲେ। ଗତକାଲି ତାଙ୍କ ଦେହ ଖରାପ ହୋଇଥିଲା। ଗ୍ରାମର କିଛି ଲୋକ ଓ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଆଦିବାସୀ ଦୁର୍ଗମ ଗ୍ରାମକୁ ସରକାର ତୁରନ୍ତ ସହାୟତା କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ତୁରନ୍ତ ଥଇଥାନ ପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/patrapur.jpg)