ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ନିମାଇଁ ମହାନ୍ତି, ଜହ୍ନ ଆଲୁଅରେ ଆଉ ଲେଖା ହେବନି ଚିଠି…

ବାରିପଦା: ସହରର ବତୀ ସବୁ ଲିଭିଗଲା ପରେ, ତୁମକୁ ଲେଖୁଛି ଚିଠି ଜହ୍ନ ଆଲୁଅରେ …, ଶୀତ ଆସି ଗୀତ ଲେଖେ କାଚ ଝରକାରେ, ଟୋପା ଟୋପା ଶିଶିରର ରୂପେଲି କାଳିରେ…, ପ୍ରଜାପତି ଜଳିଯାଏ ଫୁଲର ନିଆଁରେ, ମୁଁ ଆଜି ଜଳେ ତୁମ ରୂପର ନିଆଁରେ… ଅନେକ ଅମଳିନ ତଥା କାଳଜୟୀ ଗୀତର ରଚୟିତା ନିମାଇଁ ମହାନ୍ତି ଆଉ ଏ ଦୁନିଆରେ ନାହାନ୍ତି। ଅଟକି ଯାଇଛି ତାଙ୍କର କଲମ ମୁନ।  ଆଜି ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ବାରିପଦା ସହର ପୁରୁଣା ହାଟ ସାହିସ୍ଥିତ ନିଜ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଶେଷ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ନିମାଇଁଙ୍କ ସୃଜନ ଜୀବନ ଗୀତିକବିତାରୁ ଆରମ୍ଭ। ତାଙ୍କର କିଛି ଜନାଦୃତ କବିତା ସଂକଳନ ହେଉଛି- ‘ଦୂର ଅପହଞ୍ଚ ଗାଆଁ’, ‘ଅବାକ୍ ପୃଥିବୀ’ ଓ ‘ମହମହ ଅନ୍ଧାର’।

ସୁପରହିଟ୍ ଚଳଚ୍ଚିତ୍ର ‘ପରଦେଶୀ ଚଢ଼େଇ’ରେ ନିମାଇଁଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ ଅକ୍ଷୟ ମହାନ୍ତି। ତା’ପରେ ସେ ‘ସାଗର ଗଙ୍ଗା’, ‘ହସିବ ପୁଣି ମୋ ସୁନା ସଂସାର’, ‘ଗୋପରେ ବଢୁଛି କଳା କହ୍ନେଇ’, ‘ସମୟ ଖେଳୁଛି ଚକା ଭଉଁରୀ’, ‘ସହର ଜଳୁଛି’, ‘କିଏ ପୋଛିଦେବ ମା’ ଆଖିର ଲୁହ’ ଇତ୍ୟାଦି ପ୍ରାୟ ୩୦ଟି ଚଳଚ୍ଚିତ୍ର ପାଇଁ ନିମାଇଁ ଗୀତ ଲେଖିଛନ୍ତି।

ନିମାଇଁ ମହାନ୍ତି ଗୀତିକବିତା ପାଇଁ ୧୯୯୩ରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଚଳଚ୍ଚିତ୍ର ଜଗତ, ୨୦୦୪ରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ୨୦୦୫ରେ ପୁନଶ୍ଚ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ୨୦୧୦ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତଥା ବହୁ ରାଜ୍ୟସ୍ତରୀୟ ପୁରସ୍କାର ତଥା ସମ୍ମାନ ଲାଭ କରିଛନ୍ତି। ଏଥି ସହିତ ମେଗା ସିରିଏଲ୍‌ ‘ଗାୟତ୍ରୀ’ର ଶୀର୍ଷକ ଗୀତ ସହ ଅନ୍ୟ ସମସ୍ତ ଗୀତ ଲେଖି ଗାଁ ଗହଳିରେ ଲୋକପ୍ରିୟ ହୋଇପାରିଛନ୍ତି।

ପୁରାତନ ସଂଗୀତ ନିର୍ଦ୍ଦେଶକଙ୍କ ଭିତରେ ରାଧାକୃଷ୍ଣ ଭଞ୍ଜ, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ର ଏବଂ ନୂତନଙ୍କ ମଧ୍ୟରେ ଅଭିଜିତ ମଜୁମଦାର, ଗୁଡ଼ଲି ରଥଙ୍କ ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିବା ନିମାଇଁ ମହାନ୍ତିଙ୍କ ଗୀତିକାର ଜୀବନ ଆକାଶବାଣୀରୁ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର