ଭୁବନେଶ୍ବର : ବହୁଚର୍ଚ୍ଚିତ ଓଲିଉଡ୍ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ନେଇ ପୁଲିସ ଯେତେ ଖୋଳତାଡ଼ କରୁଛି, ସେତେ ବଡ଼ବଡ଼ିଆଙ୍କ ଲିଙ୍କ୍‌ ପଦାକୁ ଆସୁଛି। ଏହି ଲିଙ୍କ୍‌ କେତେବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ନେଇ ପହଞ୍ଚାଉଛି ତ ଆଉ କେତେବେଳେ ବିଧାୟକ, ମନ୍ତ୍ରୀଙ୍କ ପାଖକୁ। ଆଉ ସବୁଠୁ ବଡ଼ କଥା ହେଲା, ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କ ଚେର ଓଡ଼ିଶାରେ ସୀମିତ ନଥିଲା। ଓଲିଉଡ୍‌ ଲିଙ୍କ୍‌ରେ ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଅଭିନେତା ଓ ପ୍ରତିଷ୍ଠିତ ଲୋକ ବି ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଖାସ୍ ଏଥିପାଇଁ ଅର୍ଚ୍ଚନା ତାଙ୍କ ପାଖରେ ୧୦ରୁ ଅଧିକ ଯୁବତୀଙ୍କୁ ରଖି ଦେହ ବ୍ୟବସାୟ ରାକେଟ୍ ଚଳାଇଥିଲେ।

Advertisment

ଅପରପଟେ ଏହାରି ଭିତରେ ବିଜେପିର ବରିଷ୍ଠ ନେତା କେଭି ସିଂହଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କ ଲିଙ୍କ୍‌ ବି ପଦାକୁ ଆସିଛି। ୨୦୨୦ ମସିହାରେ ରାଣୀ ମହୁମାଛି ଅର୍ଚ୍ଚନା ଏହି ଦମ୍ପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏତଲା ଏତେ ସଙ୍ଗୀନ ଥିଲା ଯେ ରାଜ୍ୟ ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଥିଲା। ୨୦୨୦ ମସିହା ନଭେମ୍ବର ୨୫ତାରିଖରେ କ୍ୟାପିଟାଲ୍ ଥାନାରେ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ତତ୍କାଳୀନ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ଶୁଭଶ୍ରୀ ପଣ୍ଡା ସିଂହଦେଓ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପ୍ରତାରଣା ଓ ଠକେଇ ପାଇଁ ଦଫା ୪୧୭, ଭୟ ଦେଖାଇବା ପାଇଁ ଦଫା ୫୦୬ ଓ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଦଫା ୩୪ରେ ତଦନ୍ତ ଆରମ୍ଭ କରିଥିଲା। ସେତେବେଳେ ପୁଲିସ ତଦନ୍ତରୁ ଏକଥା ବି ଜଣାପଡ଼ିଥିଲା ଯେ ଅର୍ଚ୍ଚନା ବ୍ଲାକ୍‌ମେଲ୍ କରୁଥିଲେ। ଘଟଣାର ୨ବର୍ଷ ପରେ ବି ମାମଲା ବିଚାରାଧୀନ ଥିବା ଜଣାପଡ଼ିଛି।

ସାମ୍ନାକୁ ଆସୁଛି ନେତା, ପୁଲିସ ଓ ମନ୍ତ୍ରୀଙ୍କ ଲିଙ୍କ୍

publive-image

ବାଲେଶ୍ବରର ଜଣେ ପୂର୍ବତନ ବିଧାୟକ ଓ କୋରାପୁଟର ମଧ୍ୟ ଜଣେ ବିଧାୟକଙ୍କ ସହିତ ଏହି ବ୍ଲାକମେଲର୍‌ ଦମ୍ପତିଙ୍କର ଘନିଷ୍ଠ ବନ୍ଧୁତା ରହିଛି। ଏହି ଦମ୍ପତି ବିଭିନ୍ନ ନେତାଙ୍କ ଲିଙ୍କ୍‌ରେ ଆସିବା ପରେ ରେଞ୍ଜ୍ ରୋଭର୍ ଓ ଥର୍ ଭଳି ଦାମୀ କାର୍ ସେମାନଙ୍କୁ ଗିଫ୍ଟ୍‌ରେ ମିଳିଥିବା କୁହାଯାଉଛି। ବଡ଼କଥା ହେଉଛି, କାର୍ କିଣିବା ବେଳେ ସବୁ ଟଙ୍କା ଅନ୍ କ୍ୟାସ୍ ମୋଡ୍‌ରେ ଦିଆଯାଇଥିଲା। ଯାହା ଆଗାମୀ ଦିନରେ ଇଡି ଓ ଆୟକର ବିଭାଗ ତଦନ୍ତ ପରିସରକୁ ଯାଇପାରେ। ଏପରିକି ଅର୍ଚ୍ଚନାଙ୍କ ଘରେ ଚଢ଼ଉ କରିପାରନ୍ତି ବୋଲି ସୂଚନା ମିଳୁଛି। ସେହିଭଳି ଅର୍ଚ୍ଚନାଙ୍କ ଘର ପ୍ରତିଷ୍ଠାରେ ଗଂଜାମର ଜଣେ ବର୍ଷୀୟାନ୍ ରାଜନେତା ତାଙ୍କ ଘରକୁ ଆସିଥିଲେ। ସୁନା ଥାଳିରେ ପାଦ ପକାଇବା ପରେ ସେ ଗୃହ ପ୍ରବେଶ କରିଥିଲେ। ଏହି ଦମ୍ପତି କଲିକତାର ରୋଷେୟା ଆଣି ୭୦ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନରେ ତାଙ୍କୁ ଆପ୍ୟାୟିତ କରିଥିଲେ। ସେହିଭଳି ରେଳବାଇ ବିଭାଗର ଜଣେ ପୂର୍ବତନ ଡିଆର୍‌ଏମ୍ ଓ ପୁଲିସ ବିଭାଗର ଜଣେ ଆଇପିଏସ୍ ମଧ୍ୟ ତାଙ୍କ ସଂପର୍କରେ ଥିଲେ। ଉଭୟଙ୍କ ମାଧ୍ୟମରେ ଦମ୍ପତି କୋଟି କୋଟି ଟଙ୍କାର କାରବାର କରିବା ସହିତ ସେମାନଙ୍କୁ ମଧ୍ୟ ବ୍ଲାକମେଲ୍ କରି ଟଙ୍କା ଶୋଷିଥିବା ଜଣାପଡ଼ିଛି।

ଗୋଟିଏ ପରେ ଗୋଟିଏ ଏହିଭଳି ବଡ଼ବଡ଼ିଆଙ୍କ ଲିଙ୍କ୍‌ର ଗୁମର ପଦାକୁ ଆସୁଥିବାରୁ ପୁଲିସ ଜାଣିଶୁଣି ଚୁପ୍ ରହୁଥିବା ଜଣାପଡ଼ିଛି। ଗତ ୬ତାରିଖରୁ ଅର୍ଚ୍ଚନାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କମିସନରେଟ୍ ପୁଲିସ ବ‌ିଶେଷ ସୂଚନା ଦେଉନାହିଁ।

ଅର୍ଚ୍ଚନାଙ୍କ ହନିଟ୍ରାପ୍ ତଦନ୍ତ ଯେତେ ଅଗ୍ରଗତି କରୁଛି ପୁଲିସ ରହସ୍ୟ ଭିତରକୁ ଠେଲି ହୋଇଯାଉଛି। ନିକଟରେ ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ୍ କଥା ପଦାକୁ ଆସିବା ପରେ ଅର୍ଚ୍ଚନାଙ୍କ ନାଁରେ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣି ପୂରା ଘଟଣାର ମୋଡ଼ ବଦଳାଇଥିଲେ। ପୀଡ଼ିତା ଅର୍ଚ୍ଚନାଙ୍କ ନାଁରେ ଦେହ ବ୍ୟବସାୟର ଯେଉଁ ସଙ୍ଗୀନ ଅଭିଯୋଗ ଆଣିଥିଲେ, ସେ ସବୁର କଳା କାରନାମା ପ୍ରମୋଦ ନାମକ ଜେଣ ବ୍ୟକ୍ତିଙ୍କ ଜାଗମରାସ୍ଥିତ ଘରେ ଘଟୁଥିଲା। ସେଇଠାରେ ହିଁ ପୀଡ଼ିତାଙ୍କ ଖାଦ୍ୟରେ ନିଶା ମିଶାଇ ଉଲଗ୍ନ ଭିଡିଓ ରେକର୍ଡିଂ କରାଯାଇଥିଲା। ପରେ ବ୍ଲାକ୍‌ମେଲ୍ କରାଯାଇଥିଲା ଏବଂ ଶେଷରେ ନୟାଗଡ଼ରୁ ଆରମ୍ଭ କରି ଓଲିଉଡ୍‌ର ଅକ୍ଷୟ ପରିଜାଙ୍କ ସମସ୍ତଙ୍କୁ ଜାଲରେ ଫସାଇ ଦିଆଯାଇଥିଲା। ପୀଡ଼ିତା ସ୍ପଷ୍ଟ ଭାବେ ଏଭଳି ଅଭିଯୋଗ ଆଣିବା ପରେ ବି ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରିନାହିଁ। ୨୦୧୭ ନଭେମ୍ବର ନିଜେ ରାଣୀ ମହୁମାଛି ଅର୍ଚ୍ଚନା ଘର ମାଲିକ ତଥା ଚଳଚ୍ଚିତ୍ର ପ୍ରଯୋଜକଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହି ଘଟଣାର ତଦନ୍ତ ବାବଦରେ ମଧ୍ୟ କମିସନରେଟ୍ ପୁଲିସ ପାଖରେ କୌଣସି ଉତ୍ତର ନାହିଁ। ବିଭିନ୍ନ ଅଭିନେତା, ନେତା, ମନ୍ତ୍ରୀଠୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସବୁ ଏଠାକୁ ନିୟମିତ ଯାଆସ କରୁଥିଲେ।

ଗହଣା ବ୍ୟବସାୟୀଙ୍କ ପୁଅ ଦେଇଥିଲେ ଦେଢ଼କୋଟି
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ହନିଟ୍ରାପ୍ କୁଇନ୍ ଅନେକ ପ୍ରଭାବଶାଳୀ ବ୍ୟବସାୟୀଙ୍କୁ ବି ଶୋଷଣ କରିଛି। ରାଜଧାନୀର ଏକ ବଡ଼ ଗହଣା ସୋରୁମ୍‌ର ମାଲିକଙ୍କ ପୁଅ ମଧ୍ୟ ତାଙ୍କ ଟ୍ରାପ୍‌ର ଶିକାର ହୋଇଥିଲେ। ଏକ ହୋଟେଲ୍‌ରେ ରାତି ବିତାଇ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଏଦ କରିଥିଲେ। ଆଉ ଉକ୍ତ ଭିଡିଓକୁ ଢାଲ କରି ପ୍ରାୟ ଦେଢ଼କୋଟି ଟଙ୍କା ସେ ଚଳୁ କରିଥିବା ଜଣାପଡ଼ିଛି। ସାମାଜିକ ପ୍ରତିପତି ଦୃଷ୍ଟିରୁ ଏବଂ ଦୁଷ୍କର୍ମ ଅଭିଯୋଗରୁ ବର୍ତ୍ତିବା ପାଇଁ ସେ ଟଙ୍କା ଦେଇ ମାମଲାର ରଫାଦଫା କରିଥିବା କୁହାଯାଉଛି।