କଟକ : କଟକ ପ୍ୟାରୀମୋହନ ଏକାଡେମିର ଶିକ୍ଷକ ଅନଲାଇନ କ୍ଲାସରେ ଅଶ୍ଳୀଳ ଫଟୋ ସେୟାର କରିବା ଘଟଣା ହଟଚମଟ ସୃଷ୍ଟି କରିଛି। ଏହି ଘଟଣାରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହି ଘଟଣାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ମିଶାଇ ୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଅନଲାଇନ କ୍ଲାସ୍ ଚାଲିଥିବାବେଳେ ଅଶ୍ଳୀଳ ଫଟୋ ସେୟାର ସମ୍ପର୍କରେ ପଚରାଉଚରା କରାଯାଇଥିଲା। ମଙ୍ଗଳବାର ବିଇଓ ଏ ସଂକ୍ରାନ୍ତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବେ। ଅନ୍ୟପଟେ ଦରଘାବଜାର ଥାନା ପୁଲିସ ଆଜି ଏକ ମାମଲା ରୁଜୁ କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅନଲାଇନ୍ କ୍ଲାସ କରିଥିବା ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ତାଲିକା ମାଗିଛି। ଆସନ୍ତାକାଲି ସେମାନଙ୍କୁ ପୃଥକ ଜେରା କରାଯିବ। ଅନ୍ୟପଟେ ଅଭିଭାବକଙ୍କୁ ମଧ୍ୟ ଜେରା କରିବ ପୁଲିସ। ଏହାସହିତ ହ୍ବାଟସଆପକୁ ପୁଲିସ ଚିଠି ଲେଖିବାକୁ ଯୋଜନା କରୁଛି। ଅଶ୍ଳୀଳ ଫଟୋର ଲିଙ୍କ ଡିଲିଟ୍ ହୋଇଥିବାରୁ ପ୍ରମାଣ ପାଇଁ ଚିଠି ଲେଖିବ।
ସୂଚନା ଅନୁଯାୟୀ, ପ୍ୟାରୀମୋହନ ଏକାଡେମିରେ ହ୍ବାଟସଆପ୍ ଗ୍ରୁପ ମାଧ୍ୟମରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗଲା ୩୦ ତାରିଖରେ ଅନଲାଇନରେ ପାଠ ପଢ଼ାଯାଉଥିବା ବେଳେ ଏକ ଅଶ୍ଳୀଳ ଫଟୋ ଜଣେ ଶିକ୍ଷକ ସେୟାର କରିଦେଇଥିଲେ। ଏ ସଂକ୍ରାନ୍ତରେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ସେକ ରହେମତ ଏବଂ ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଅରୁଣ ସେଠୀ ଉଭୟ ଜିଲ୍ଲାପାଳ ଏବଂ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ଦଫା ୨୯୨, ୫୦୯, ୬୭ ଆଇଟି ଆକ୍ଟରେ ଏକ ମାମଲା(୮୧/୨୦) ରୁଜୁ କରିଛି। ସେଦିନ ଯେଉଁ ଛାତ୍ରଛାତ୍ରୀ ଅନ୍ଲାଇନ କ୍ଲାସ କରୁଥିଲେ ସମସ୍ତଙ୍କ ପରିଚୟ ଥାନାରେ ଦାଖଲ କରିବାକୁ ପୁଲିସ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି।
ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ନିରଞ୍ଜନ ବେହେରା କହିଛନ୍ତି ଯେ, ଏହି ଫଟୋ ସେୟାର ଘଟଣାରେ ଶିକ୍ଷକଙ୍କ କେତେ ପରିମାଣରେ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ କରାଯାଉଛି।