ଦିଅର କଲା ଭାଉଜର ଅଶ୍ଳୀଳ ଫଟୋ ଭାଇରାଲ୍‌, ସାଇବର୍‌ ଥାନାରେ ଅଭିଯୋଗ କଲେ ମହିଳା

ସମ୍ବଲପୁର : ଦିଅର ଭାଉଜର ଅଶ୍ଳୀଳ ଫଟୋ ଭାଇରାଲ୍‌ କରିଛି। ତାହା ପୁଣି ସ୍ବାମୀଙ୍କ ଇଙ୍ଗିତରେ। ସମ୍ବଲପୁର ଅଞ୍ଚଳର ଜଣେ ମହିଳା ସାଇବର୍‌ ଥାନାରେ ଏଭଳି ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରର ମହିଳା ଜଣକ ୨୦୧୬ରେ ଝାଡ଼ଖଣ୍ଡରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀଙ୍କ ସହ ଅନେକ ସମୟରେ ଝଗଡ଼ା ହେଉଥିଲା। ସ୍ବାମୀଙ୍କ ସହ ସମ୍ପର୍କ ବିଗୁଡୁଥିବା ଦେଖି ସୁଯୋଗ ହାତେଇବାକୁ ଚେଷ୍ଟା କରିଥିଲା ମହିଳାଙ୍କ କକା ଶ୍ବଶୁରଙ୍କ ପୁଅ। ଆରମ୍ଭ ହୋଇଥିଲା ହ୍ବାଟ୍ସଆପ୍‌ ଚାଟିଂ। ପରେ ସମ୍ପର୍କ ନିବିଡ଼ ହେବାରେ ଲାଗିଲା। ଧୀରେ ଧୀରେ ଘନିଷ୍ଠତା ବଢ଼ିବା ସହ ଉଭୟଙ୍କ ମଧ୍ୟରେ ଭିଡିଓ କଲିଂରେ କଥାବାର୍ତ୍ତା ଚାଲିଲା। ଭିଡିଓ କଲିଂରେ ଅଶ୍ଳୀଳତା ମଧ୍ୟ ଆରମ୍ଭ ହେଲା। ଏସବୁ ଭିତରେ ମହିଳାଙ୍କ ଦିଅର(କାକା ଶ୍ବଶୁରଙ୍କ ପୁଅ) ସ୍କ୍ରିନ୍‌ସଟ୍‌ ଓ ସ୍କ୍ରିନ୍‌ ରେକର୍ଡର୍‌ ସାହାଯ୍ୟରେ ମହିଳାଙ୍କର ଅଶ୍ଳୀଳ ଭିଡିଓ ଓ ଫଟୋ ମୋବାଇଲ୍‌ରେ ସେଭ୍‌ କରି ଚାଲିଲା। ଯାହା ମହିଳାଙ୍କୁ ମଧ୍ୟ ଜଣା ନଥିଲା।

ଦିନେ ହଠାତ୍‌ ମହିଳାଙ୍କୁ ତାଙ୍କ ଦିଅର ସେହି ଅଶ୍ଳୀଳ ଫଟୋ ପଠାଇବା ସହ ସାମାଜିକ ଗଣମାଧ୍ୟମରେ ଛାଡ଼ିବାକୁ ଧମକ ଚମକ ଦେବା ଆରମ୍ଭ କରିଦେଲା। ଏସବୁ ପରେ ମହିଳା ଜଣକ ମଙ୍ଗଳବାର ସମ୍ବଲପୁର ସାଇବର୍‌ ଥାନାରେ ତାଙ୍କ ସ୍ବାମୀ ଓ ଦିଅରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ସ୍ବାମୀଙ୍କ ଇଙ୍ଗିତରେ ତାଙ୍କ ଦିଅର ଏସବୁ କାରସାଦି କରୁଥିବା ସେ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ମହିଳାଙ୍କ ଅଭିଯୋଗ ପରେ ସାଇବର୍‌ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର