ଭୁବନେଶ୍ବର: ୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିବ। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହି ଭିଜନ୍‌ ଡକ୍ୟୁମେଣ୍ଟ ପାଇଁ ଏକ ୱେବ୍‌ ପୋର୍ଟାଲ ଉନ୍ମୋଚନ କରି ଜନସାଧାରଣଙ୍କୁ ଏଥିପାଇଁ ମତାମତ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। 

Advertisment

ଏହି ଵେବ୍ ପୋର୍ଟାଲ ହେଉଛି- https://vision.odisha.gov.in/ । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ଵେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଜନସାଧାରଣ ଏହି ୱେବ୍‌ ପୋର୍ଟାଲ ସହିତ ହ୍ୱାଟସ୍ ଆପ୍ ଚାଟ୍ ବଟ୍ +୯୧ ୬୩୭୦୯୫୧୯୨୦ ଓ ଇ-ମେଲ [email protected]  ଜରିଆରେ ରାଜ୍ୟ ସରକାରଙ୍କୁ ଆଜିଠାରୁ ୩ସପ୍ତାହ ମଧ୍ୟରେ ପ୍ରସ୍ତାବ ପଠାଇପାରିବେ। ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇପାରିବେ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଓ ୬ଟି ସଚିବ ସ୍ତରୀୟ କମିଟି ଗଠନ କରାଯାଇଛି। 

 ଆସନ୍ତା ୩ସପ୍ତାହ ଭିତରେ ପ୍ରସ୍ତାବ ପଠାଇପାରିବେ ଜନସାଧାରଣ
ମତାମତ ଅନୁଶୀଳନ ପାଇଁ ବିଭିନ୍ନ କମିଟି ଗଠିତ
ବିକଶିତ ଓଡ଼ିଶାର ରୂପରେଖ ଲୋକମାନେ ହିଁ ପ୍ରସ୍ତୁତ କରିବେ: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକଙ୍କ ମତାମତ ଆଧାରରେ ହିଁ ବିକଶିତ ଓଡ଼ିଶା ଗଠନ ପାଇଁ ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ। ବିକଶିତ ଓଡ଼ିଶାର ରୂପରେଖ ଓଡ଼ିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ। ଏହା କେବଳ ଏକ ସରକାରୀ ଦସ୍ତାବିଜ୍‌ ହେବ ନାହିଁ, ବରଂ ଏହା ଓଡ଼ିଶାର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଏପରି ଏକ ଦସ୍ତାବିଜ୍‌ ହେବ ଯାହା ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ। ସରକାରରେ ତାଙ୍କର ସହଯୋଗୀ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣ ମଧ୍ୟ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କ ବିଚାର ଓ  ପ୍ରସ୍ତାବ ଉପରେ ଅନୁଶୀଳନ କରି ପ୍ରସ୍ତାବ ଗ୍ରହଣ କରିବେ। ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶହେ ବର୍ଷ ଓ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବ। ତେଣୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସଙ୍ଗେ ସଙ୍ଗେ ୨୦୪୭  ମସିହାରେ ବିକଶିତ ଭାରତ ଗଠନ ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ୫ଶହ ବିଲିଅନ୍ ଡଲାର ଅର୍ଥନୀତି ଓ ୨୦୪୭ ସୁଦ୍ଧା ରାଜ୍ୟ ୧.୫ ଟ୍ରିଲିଅନ୍ ଅର୍ଥନୀତିରେ ପରିଣତ ହେବାର ମଧ୍ୟ ଲକ୍ଷ୍ୟ ରହିଛି। 

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କୁ ଅଂଶୀଦାର କରି ସରକାର ଆଗକୁ ବଢ଼ିବେ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ ସେଥିରେ ସବୁ ବର୍ଗର ଲୋକଙ୍କ ମତାମତ ପ୍ରତିଫଳିତ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ନୀତି ଆୟୋଗର ସହଯୋଗରେ ଓଡ଼ିଶା ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ସାଧାରଣ ଲୋକଙ୍କଠାରୁ ଆସିଥିବା ମତାମତକୁ ଅନୁଶୀଳନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଉତ୍କୃଷ୍ଟ ମତାମତ ଆଧାରରେ ଏହାକୁ ପ୍ରସ୍ତୁତ କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ।