କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ପୋସ୍କୋ ସିଏମ୍‌ଡି, ଓଡ଼ିଶା ପ୍ରକଳ୍ପକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ବର : ଦକ୍ଷିଣ କୋରିଆର ପ୍ରମୁଖ ଇସ୍ପାତ ନିର୍ମାତା ପୋହାଙ୍ଗ ଷ୍ଟିଲ୍ କମ୍ପାନି (ପୋସ୍କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଜିଓଙ୍ଗ-ଓ ଚୋଇ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ‌ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ନିଜେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟରରେ ଏ ନେଇ ସୂଚନା ଦେଇଛନ୍ତି।

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ପୋସ୍କୋ ସିଏମ୍‌ଡି ଭେଟିବା ପରେ ଓଡ଼ିଶାରେ କମ୍ପାନି ପ୍ରକଳ୍ପ ସ୍ଥାପନ କରିବା ଲାଗି ପୁଣି ଥରେ ଆଗ୍ରହ ପ୍ରକାଶ କରିଛି କି? ଏମିତି ଏକ ପ୍ରଶ୍ନ ଉପରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିନ୍ତୁ ଏ ନେଇ କୌଣସି ସୂଚନା ମିଳିନାହିଁ। କେନ୍ଦ୍ରମନ୍ତ୍ରୀ ମଧ୍ୟ ନିଜ ଟ୍ବିଟ୍‌ରେ ମଧ୍ୟ ଏକଥା କିଛି ଦର୍ଶାଇନାହାନ୍ତି। କିନ୍ତୁ ଗତକାଲି ଦିଲ୍ଲୀରେ ପୋସ୍କୋ ସିଏମ୍‌ଡିଙ୍କୁ କେନ୍ଦ୍ରମନ୍ତ୍ରୀ ଭେଟିବା ଓ ଆଜି ଜାପାନ ପ୍ରତିନିଧି ଦଳ ସହିତ ଓଡ଼ିଶା ଆସି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ଘଟଣାକୁ କେହି ସହଜରେ ନେଉନାହାନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କ ବିଭାଗ ଅଗ୍ରାଧିକାର ଦେଉଥିବା ସୂଚନା ମିଳୁଛି।

ପାରାଦୀପ ନିକଟରେ ବାର୍ଷିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ ପାଇଁ ୨୦୦୫ ମସିହା ଜୁନ ୨୨ ତାରିଖରେ ଓଡ଼ିଶା ସରକାରଙ୍କ ସହିତ ପୋସ୍କୋ କମ୍ପାନି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିଲା। ଏଥିପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ମଧ୍ୟ କରିଥିଲେ। ତେବେ କମ୍ପାନି ଆବଶ୍ୟକ କରୁଥିବା ଜମି କମ୍ପାନିକୁ ପ୍ରଦାନ କରିବାରେ ବିଫଳ ହେବା ସହିତ ଖଣି ମିଳିବାରେ ଅସୁବିଧା ଏବଂ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଆଦି କାରଣରୁ ଓଡ଼ିଶା ପ୍ରକଳ୍ପରୁ ପୋସ୍କୋ ଓହରି ଯାଇଥିଲା। ଏହି କାରଖାନା ନିର୍ମାଣ ବାବଦରେ କମ୍ପାନି ପ୍ରାୟ ୫୨ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା।

ପୋସ୍କୋ ଓହରିଯିବା ପରେ ସଂପୃକ୍ତ ପ୍ରକଳ୍ପ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା, ସେଠାରେ ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଏକ ସମନ୍ବିତ ଇସ୍ପାତ କାରଖାନା ନିର୍ମାଣ କରିବାକୁ ଯୋଜନା ଚଳାଇଛି। କମ୍ପାନି ୫୩,୭୦୦ କୋଟି ଟଙ୍କାର ନିବେଶରେ ବାର୍ଷିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ। ଏଥିପାଇଁ ଜନଶୁଣାଣି ଶେଷ ହୋଇଥିବାରୁ ଜେଏସ୍‌ଡବ୍ଲ୍ୟୁର ଉକ୍ତ ପ୍ରକଳ୍ପ ନିର୍ମାଣ ଆଶା ଉଜ୍ଜ୍ବଳ ରହିଛି। ପୋସ୍କୋ ଏକ ବନ୍ଦର ଭିତ୍ତିକ ଇସ୍ପାତ ପ୍ରକଳ୍ପ ନିର୍ମାଣ କରିବାକୁ ଚାହୁଁଥିଲା। କମ୍ପାନି ବିଦେଶରୁ ଉଚ୍ଚମାନର ଲୁହାପଥର ଆମଦାନି କରି ଏଠାରେ ଇସ୍ପାତ ନିର୍ମାଣ କରିଥାନ୍ତା ଏବଂ ସେହି ଇସ୍ପାତକୁ ବିଦେଶକୁ ରପ୍ତାନି କରିଥାନ୍ତା। ସେତେବେଳେ ପୋସ୍କୋର ଏହି ନିବେଶ ପ୍ରସ୍ତାବ ଦେଶର ସର୍ବବୃହତ୍ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ) ପ୍ରସ୍ତାବ ହୋଇଥିବାରୁ ଏହାକୁ ନେଇ ଦେଶରେ ଜୋରଦାର ଚର୍ଚ୍ଚା ହୋଇଥିଲା।

ପୋସ୍କୋ ଓଡ଼ିଶା ପ୍ରକଳ୍ପରୁ ଓହରିଯିବାର ଦୀର୍ଘବର୍ଷ ପରେ କେନ୍ଦ୍ର ଇସ୍ପାତମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କମ୍ପାନି ମୁଖ୍ୟ ଭେଟିବା ଏକ ଭିନ୍ନ ବାର୍ତ୍ତା ଦେଉଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ‌ପୋସ୍କୋକୁ ପୁଣି ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାକୁ ମନାଇବା ଲାଗି ଯଥାସାଧ୍ୟ ଉଦ୍ୟମ କରିଥିବେ ବୋଲି ଗୋଟିଏ ବର୍ଗ ପ୍ରକାଶ କରୁଛନ୍ତି। ଶ୍ରୀ ପ୍ରଧାନ ଯଦି ପୋସ୍କୋକୁ ଓଡ଼ିଶାକୁ ଫେରାଇ ଆଣିପାରିଲେ ତେବେ ଏହାକୁ ଏକ ବଡ଼ ସଫଳତା ବୋଲି ବିଚାର କରାଯିବ। ତେବେ ଅନ୍ୟ ଗୋଟିଏ ଗୋଷ୍ଠୀର କହିବା କଥା ହେଉଛି, ଉଭୟଙ୍କ ମଧ୍ୟରେ ଆଲୋଚନା କେବଳ ମହାରାଷ୍ଟ୍ର ପ୍ରକଳ୍ପ ମଧ୍ୟରେ ସୀମିତ ଥିଲା।

ସମ୍ବନ୍ଧିତ ଖବର