କେନ୍ଦୁଝର: ଓଡ଼ିଶାରୁ ମୁହଁ ଫେରାଇ ପଳାଇଥିବା ଦକ୍ଷିଣ କୋରିଆ କମ୍ପାନି ପୋସ୍କୋ ପୁଣି ଫେରିବ। ତେବେ ଏଥର ଏକା ନୁହେଁ, ଜେଏସ୍‌ଡବ୍ଲୁ ସହିତି ମିଶି କେନ୍ଦୁଝର ଜିଲ୍ଲାରେ ଏକ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ବୋଲି ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସୂଚନା ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ-୨୦୨୫ ପାଇଁ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍‌ ସୋ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇ କମ୍ପାନିର ବରିଷ୍ଠ ପଦାଧିକାରୀ ଯୋଗ ଦେଇ ପରସ୍ପର ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି। ଉଭୟ କମ୍ପାନି ଯୁଗ୍ମ ଭାବେ କେନ୍ଦୁଝରରେ ଏହି କାରଖାନା କରିବେ ବୋଲି ଏମ୍‌ଓୟୁରେ ଉଲ୍ଲେଖ ରହିଛି। ବୁଝାମଣା ଅନୁସାରେ ୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ କାରଖାନା ପ୍ରତିଷ୍ଠା ପାଇଁ ଦୁଇ କମ୍ପାନି ମିଳିତ ଭାବେ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେନ୍ଦୁଝରରେ ଜେଏସ୍‌ଡବ୍ଲୁ-ପୋସ୍କୋ କରିବେ ଷ୍ଟିଲ୍‌ ପ୍ଲାଣ୍ଟ୍‌: ମୁଖ୍ୟମନ୍ତ୍ରୀ

Advertisment

ଓଡ଼ିଶାକୁ କେନ୍ଦୁଝର ଜିଲ୍ଲା ଯେତିକି ଦେଇଛି, ତା’ଠାରୁ ଯଥେଷ୍ଟ କମ୍‌ ପାଇଛି। କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଏକ ବୃହତ୍‌ ଇସ୍ପାତ କାରଖାନାର ଆବଶ୍ୟକତା ରହିଛି। ବିକାଶ କେନ୍ଦୁଝରରୁ ଆରମ୍ଭ ହେବ। ସୁନାର କେନ୍ଦୁଝର ଗଠନ ପରେ ସୁନାର ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ କେନ୍ଦୁଝରବାସୀଙ୍କ ସୁଖସମୃଦ୍ଧି କାମନା କରିବା ସହ ଏଠାକାର ଲୋକେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମା’ କାଳୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କେନ୍ଦୁଝର ଜିଲ୍ଲାରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ ହୋଇଥିବା ବେଳେ ସ୍ଥାନ ନିରୂପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରସ୍ତାବିତ ଇସ୍ପାତ କାରଖାନା କେନ୍ଦୁଝର ଜିଲ୍ଲାର ତରମାକାନ୍ତ ଚା’ ବଗିଚା, ପାଟଣା, ରାଇସୁଆଁ ଅଞ୍ଚଳରେ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।