୧୦ ହଜାର ତଳକୁ ଖସୁନି: ରାଜ୍ୟରେ ଚିନ୍ତା ବଢ଼ାଉଛି ସଂକ୍ରମଣ, ସଂକ୍ରମଣ ହ୍ରାସ ପ୍ରକ୍ରିୟା ମନ୍ଥର ହେବ

ଆଉ ୧୦,୩୨୧ ପଜିଟିଭ୍, ୨୨ମୃତ, ଗ୍ରାମାଞ୍ଚଳରେ ବଢ଼ୁଛି ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ହଜାର ଉପରେ ସ୍ଥିର ରହିଛି। ଗତ ୧ସପ୍ତାହ ହେବ ଦେଶରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଓଡ଼ିଶାରେ ଏବେ ବି ସ୍ଥିତି ସମ୍ବେଦନଶୀଳ ରହିଛି। କିଛି ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର୍‌ ରାଜ୍ୟର ଟିପିଆର୍‌ଠାରୁ ଅଧିକ ରହିଛି। ଏହାସହ ସହରାଞ୍ଚଳକୁ ପଛରେ ପକାଇ ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଯଦିଓ ରାଜ୍ୟ ସରକାର ଆଜି ପୁଣି ଲକ୍‌ଡାଉନ୍‌ ଅବଧି ଜୁନ୍ ପହିଲାକୁ ବଢ଼ାଇଛନ୍ତି, ତଥାପି ରାଜ୍ୟରେ ସଂକ୍ରମଣ ଖସିବା ଲାଗି ଆହୁରି ୭ରୁ୧୦ଦିନ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଭୁବନେଶ୍ବର ଏମ୍‌ସ କମ୍ୟୁନିଟି ମେଡିସନ୍‌ର ବିଭାଗର ପ୍ରଫେସର ଡା.ବିନୋଦ ପାତ୍ର କହିଛନ୍ତି ଯେ ଏବେ ବି ଓଡ଼ିଶା ଜାତୀୟସ୍ତରରେ ହୋଇଥିବା ସଂକ୍ରମଣଠାରୁ ପ୍ରାୟ ୧୫ଦିନ ପଛରେ ରହିଛି। ଏ ଦୃଷ୍ଟିରୁ ଓଡ଼ିଶାରେ ସଂକ୍ରମଣ ଖସିବା ଲାଗି ଆହୁରି ୧୦ଦିନ ଲାଗିପାରେ। ଏପରିକି ଓଡ଼ିଶା ଶୀର୍ଷ ସଂକ୍ରମଣ ଛୁଇଁ ସାରିଛି ବୋଲି କହିବା ମଧ୍ୟ ଠିକ୍ ହେବ ନାହିଁ। ଏଥିପାଇଁ ଆହୁରି ସପ୍ତାହେ ଅପେକ୍ଷା କରିବାକୁ ପଡ଼ିପାରେ। ଏହାସହ ରାଜ୍ୟରେ ଲକ୍‌ଡାଉନ୍‌ରେ ବୃଦ୍ଧି ଉଭୟ ସଂକ୍ରମଣ ଓ ଟିପିଆର ହ୍ରାସ କରିବାରେ ସହାୟକ ହେବ। ରାଜ୍ୟର କିଛି ଜିଲ୍ଲା ଏବେ ହଟସ୍ପଟ୍‌ ପାଲଟିଛି। ଏଥିରେ ଦ୍ରୁତ ପରିବର୍ତନ ମଧ୍ୟ ‌ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ ରାପିଡ୍‌ କିଟ୍‌ରେ ଅଧିକରୁ ଅଧିକ ପରୀକ୍ଷା ହେବା ଦରକାର। ଯାହାଫଳରେ କମ୍ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହିତ ଚିକିତ୍ସା କରାଯାଇ ପାରିବ ବୋଲି ଡା.ପାତ୍ର କହିଛନ୍ତି।

ବରିଷ୍ଠ ଚିକିତ୍ସକ ଡା.ନିରଜ ମିଶ୍ର କହିଛନ୍ତି ଯେ ଦିଲ୍ଲୀରେ ୧ମାସ ଲକ୍‌ଡାଉନ୍‌ କାରଣରୁ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି। ଏପରିକି ଟିପିଆର୍ ୭ପ୍ରତିଶତରୁ ତଳେ ରହିଛି। ହେଲେ ଓଡ଼ିଶାରେ ଲକ୍‌ଡାଉନ୍ କାରଣରୁ ଆମର ଶୀର୍ଷ ସଂକ୍ରମଣ ଆସିବାରେ ବିଳମ୍ବ ହେଉଛି। ହୁଏତ ଆହୁରି ସପ୍ତାହେ ଲାଗିପାରେ। ଏହାସହ ରାଜ୍ୟରେ ଏବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କଲାଣି। ସହରାଞ୍ଚଳରେ ତ ସଂକ୍ରମଣ ଶୀଘ୍ର ଖସିଯିବ, ହେଲେ ଗ୍ରାମାଞ୍ଚଳରେ ବଢ଼ିବ। ରାଜ୍ୟ ସରକାର ଘରକୁ ଘର ବୁଲି ଲୋକଙ୍କ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଚଳିତମାସ ଶେଷ ଆଡ଼କୁ ରାଜ୍ୟରେ ସଂକ୍ରମଣ ଖସିବାକୁ ଆରମ୍ଭ କରିବ। ହେଲେ ଓଡ଼ିଶାରେ ସଂକ୍ରମଣ ଖସିବା ଅନ୍ୟ ରାଜ୍ୟ ତୁଳନାରେ ମନ୍ଥର ହେବ। କାରଣ ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ପରୀକ୍ଷା ଆରମ୍ଭ ହେବ ଏବଂ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ଡା.ମିଶ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦,୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଦ୍ବିତୀୟ ଦିନ ଲାଗି ଟିପିଆର ୧୮ ପ୍ରତିଶତକୁ ଖସି ଆସିଛି। ହେଲେ ପୁଣିଥରେ ଖୋର୍ଧା ଜିଲ୍ଲା ସଂକ୍ରମଣର ଶୀର୍ଷକୁ ଫେରିଛି। ଜିଲ୍ଲାରୁ ୧୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯୭,୪୪୯କୁ ବୃଦ୍ଧି ପାଇଛି। ଏହାବାଦ୍ ସୁନ୍ଦରଗଡ଼ ୮୧୯, କଟକ ୭୩୧, କଳାହାଣ୍ଡି ୫୯୯, ପୁରୀ ୪୭୨, ଅନୁଗୁଳ ୪୭୧, ମୟୂରଭଞ୍ଜ ୪୫୮, ସମ୍ବଲପୁର ୪୦୫, ଭଦ୍ରକ ୩୫୦, କୋରାପୁଟ ୩୩୮, ନବରଙ୍ଗପୁର ୩୩୪, ଯାଜପୁର ୩୩୦, ବରଗଡ଼ ୩୨୦, ଝାରସୁଗୁଡ଼ା ୩୧୨ ଓ ଷ୍ଟେଟ୍‌ ପୁଲରୁ ୨୪୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୩୩ହଜାର ୩୦୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନାରେ ୨୨ଜଣ ପ୍ରାଣ ହରାଇଛନ୍ତି। ଏଥିରେ ସୁନ୍ଦରଗଡ଼, କଳାହାଣ୍ଡି, ବୌଦ୍ଧ, ଖୋର୍ଧା ଓ ନୂଆପଡ଼ାରୁ ୩ଜଣ ଲେଖାଏ, ରାୟଗଡ଼ା, କୋରାପୁଟ ଓ ଗଜପତିରୁ ୨ଜଣ ଲେଖାଏ, ବଲାଙ୍ଗୀରରେ ଜଣେ କରୋନାର ଶିକାର ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଗତ ଚତୁର୍ଥ ଦିନ ଲାଗି ୧୦ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଖୁସରର ଖବର। ଆଜି ୧୦,୨୪୨ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୩୬ହଜାର ୫୯୫ରେ ପହଞ୍ଚି ଯାଇଛି। ରାଜ୍ୟରେ ଏବେ ୯୪,୨୯୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ସମୁଦାୟ ସଂକ୍ରମଣର ୧୫ ପ୍ରତିଶତ। ଖୋର୍ଧା ଜିଲ୍ଲାରେ ୧୪ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର