ଉପସ୍ଥାପନା ଶୈଳୀ ରୋଚକ ହେଲେ ସକାରାତ୍ମକ ଖବରକୁ ବି ପାଠକ ଗ୍ରହଣ କରିନେବେ : ପ୍ରଭୁ ଚାଓ୍ଵଲା

ଭୁବନେଶ୍ୱର: ‘ଭଲ ଖବର, ସକରାତ୍ମକ ଖବର ଓ ପାଠକଙ୍କୁ ପସନ୍ଦ ଲାଗୁଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ଦରକାର। କେବଳ ଯେ ନକାରାତ୍ମକ ଖବର ପାଠକଙ୍କୁ ଆକର୍ଷିତ କରେ, ତାହା ବିବେଚନା କରିବା ସ୍ପୃହଣୀୟ ନୁହେଁ। ଅନେକ ସମୟରେ ଏପରି ମନେହୁଏ କି ସକାରାତ୍ମକ ଖବର ହୁଏତ ପାଠକ ପସନ୍ଦ କରିବେ ନାହିଁ, କିନ୍ତୁ ଉପସ୍ଥାପନା ଶୈଳୀ ରୋଚକ ହେଲେ ତାହାକୁ ପାଠକ ଗ୍ରହଣ କରିନେବେ। ତେଣୁ ସାମ୍ବାଦିକମାନଙ୍କୁ ଖବର ଲେଖିବା ଶୈଳୀ ଉପରେ ଗୁରୁତ୍ୱ ଦେବା ଦରକାର।’

ଆଜି ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌କୁ ଅତିଥିଭାବେ ଆସିଥିବା ବିଶିଷ୍ଟ ସାମ୍ବାଦିକ ତଥା ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାଓ୍ଵଲା ଉପରୋକ୍ତ ମତାମତ ରଖିଛନ୍ତି। ‘ସମ୍ବାଦ’ର  ସମ୍ପାଦକ  ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ଗଣମାଧ୍ୟମ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ ଶ୍ରୀ ଚାଓ୍ଵଲା। ଓଡ଼ିଶାର ଗଣମାଧ୍ୟମ ସମ୍ପର୍କରେ ମତରଖି ସେ କହିଥିଲେ, ଅତୀତରେ ଓଡ଼ିଶା କଳାହାଣ୍ଡିର ଦୁର୍ଭିକ୍ଷ, ମହାବାତ୍ୟା, ନକ୍ସଲ ହିଂସା ଲାଗି ଚର୍ଚ୍ଚାରେ ଥିଲା। ମାତ୍ର ବର୍ତ୍ତମାନ ଓଡ଼ିଶା ସମ୍ପର୍କରେ ସକାରାତ୍ମକ ଓ ଭଲ ଖବର ଲେଖାଯିବା ଦରକାର। ଓଡ଼ିଶାର ଖାଦ୍ୟ, ବନ୍ୟପ୍ରାଣୀ, ସଂସ୍କୃତି ବହୁତ ଆକର୍ଷଣୀୟ, ସେ ସମ୍ପର୍କରେ ଦେଖ ଭଲଭଲ କଥା ଉପସ୍ଥାପନ କରାଯାଇପାରିବ।

ଏହି ପ୍ରସଙ୍ଗ ଆଲୋଚନା ସମୟରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ, ଯଦି ଆପଣ ସରକାରଙ୍କ ସମ୍ପର୍କରେ ସକାରାତ୍ମକ ଖବର ପରିବେଷଣ କରିବେ ତେବେ ଲୋକେ ଏହାକୁ ହୁଏତ ଚାଟୁକାରୀତା କହିପାରନ୍ତି। ଏ ପ୍ରଶ୍ନରେ ଶ୍ରୀ ଚାଓ୍ଵଲା କହିଥିଲେ, ପୁରୀରେ ନବୀନ ପଟ୍ଟନାୟକ ସରକାର କ’ଣ କରୁଛନ୍ତି ତାହା ଉଲ୍ଲେଖ ନ କରି ଆପଣ ପୁରୀ ବିଷୟରେ ବିଭିନ୍ନ ପ୍ରସଙ୍ଗ ଉତଥାପନ କରିପାରନ୍ତି। ଓଡ଼ିଶାରେ ଯାହା ସବୁ ଭଲ ଘଟୁଛି ତାହାକୁ ଜାତୀୟସ୍ତରରେ ଉପସ୍ଥାପିତ କରିବା ଲାଗି ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ସେମିନାର ଓ ସମ୍ପୋସିୟସ୍‌ ହେବା ମଧ୍ୟ ଦରକାର। ଏହା ଦ୍ବାରା ଓଡ଼ିଶା ସଂପର୍କରେ ଜାତୀୟସ୍ତରରେ ପ୍ରଚଳିତ ଧାରଣାରେ ପରିବର୍ତ୍ତନ ଆସିବ।

ସମ୍ବନ୍ଧିତ ଖବର