ରାଜ୍ୟରେ ୧୦% ତଳକୁ ଖସିଲା ପଜିଟିଭ୍ ହାର, ଦୁଇ ମାସ ପରେ ମିଳିଲା ଆଶ୍ୱସ୍ତି

ଦିନକରେ ୭୦୦୨ ପଜିଟିଭ୍‌
ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକ
କରୋନା ମୃତ୍ୟୁ ୩ ହଜାର ନିକଟତର

ଭୁବନେଶ୍ବର : ଗତ ଏପ୍ରିଲ ୧୫ ତାରିଖରେ ରାଜ୍ୟରେ ପଜିଟିଭ୍ ହାର ୯.୭ ପ୍ରତିଶତ ରହିଥିଲା। ପରେ ଏହା ଦ୍ରୁତ ଗତିରେ ବଢ଼ିଥିଲା। ଗୋଟିଏ ସମୟରେ ଏହା ୨୩ ପ୍ରତିଶତ ଛୁଇଁଥିଲା। ହେଲେ ପାଖାପାଖି ୨ ମାସ ପରେ ରାଜ୍ୟରେ ଏବେ କରୋନା ସଂକ୍ରମଣ ପଜିଟିଭ୍ ହାର ୧୦ ପ୍ରତିଶତ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧,୯୭୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୭୦୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ପଜିଟିଭ୍ ହାର ଏବେ ୯.୭ ପ୍ରତିଶତ ରହିଛି।

ମାତ୍ର ଚିନ୍ତାର ବିଷୟ ହେଲା, ଖୋର୍ଧା ଓ କଟକ ଜିଲ୍ଲାରେ ଏବେ ବି ଉଚ୍ଚ ପଜିଟିଭ୍ ହାର ଜାରି ରହିଛି। ଦୁଇ ଜିଲ୍ଲାରେ ପଜିଟିଭ୍ ହାର ଏବେ ୧୬ ପ୍ରତିଶତ ରହିଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଯୋଗୁଁ ସଂକ୍ରମଣ କମିଥିବା ବେଳେ ଖୋର୍ଧାରେ ସଂକ୍ରମିତଙ୍କ ସଂଖ୍ୟା ହଜାର ତଳକୁ ଖସୁ ନାହିଁ। ଅପରପକ୍ଷେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପଜିଟିଭ୍ ହାର ୫ପ୍ରତିଶତ ତଳକୁ ରେକର୍ଡ କରାଯାଇଛି।

ମାତ୍ର ରାଜ୍ୟ ପଜିଟିଭ୍ ହାର ଏବେ ବି ଜାତୀୟ ହାରଠାରୁ ଉଚ୍ଚରେ ରହିଛି। ଗତ ସପ୍ତାହରେ ରାଜ୍ୟର ପଜିଟିଭ୍ ହାର ୧୨ପ୍ରତିଶତ ଥିବା ବେଳେ ଦେଶରେ ଏହା ୫ପ୍ରତିଶତ ରେକର୍ଡ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଏକଦା ପଜିଟିଭ୍ ହାର ୨୩ ପ୍ରତିଶତ ଥିଲା। ଏବେ ତାହା ୧୦ପ୍ରତିଶତ ତଳକୁ ଖସି ଆସିଲାଣି। ପୂର୍ବରୁ ରାଜ୍ୟରେ କମ୍ ନମୁନା ପରୀକ୍ଷା ହେଉଥିବା ‌ବେଳେ ଏବେ ନମୁନା ପରୀକ୍ଷା ବୃଦ୍ଧି କରାଯାଇଛି। ସଂକ୍ରମଣ ହାର କମିବା ଏକ ଭଲ ଲକ୍ଷଣ। ଫଳରେ ରାଜ୍ୟରେ ସଂକ୍ରମଣ କମୁଛି ବୋଲି ଧରିବାକୁ ହେବ। ଏପରି ଯଦି ୦.୫ କିମ୍ବା ୧.୨ ପ୍ରତିଶତ ସଂକ୍ରମଣ ହାର କମେ, ତାହାଲେ ଆସନ୍ତା ୭/୮ଦିନ‌ରେ ରାଜ୍ୟ ଏକ ଭଲ ସ୍ଥିତିରେ ପହଞ୍ଚି ପାରିବ ବୋଲି ଡା. ମହାପାତ୍ର କହିଛନ୍ତି।

ରାଜ୍ୟରେ ସଂକ୍ରମଣ ହ୍ରାସ ସତ୍ତ୍ବେ ମୃତ୍ୟୁସଂଖ୍ୟା ବଢ଼ୁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୪୨ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ଅନୁଗୁଳ, କଟକ, ଖୋର୍ଧାରୁ ୪ ଲେଖାଏଁ, କଳାହାଣ୍ଡି, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧରୁ ୩ ଲେଖାଏଁ, ସୁନ୍ଦରଗଡ଼, ରାୟଗଡ଼ା, ମୟୂରଭଞ୍ଜ, ଜଗତସିଂହପୁର, ଗଜପତିରୁ ୨ ଲେଖାଏଁ, ବରଗଡ଼, ଗଞ୍ଜାମ, କନ୍ଧମାଳ, ଯାଜପୁର, କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ ପୁରୀରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି।

ଖୋର୍ଧା ଜିଲ୍ଲାରୁ ୧୧୬୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୧ହଜାର ୫୭୦କୁ ବୃଦ୍ଧି ପାଇଛି। କଟକ ୭୭୧, ଯାଜପୁର ୪୮୬, ଅନୁଗୁଳ ୩୮୮, ମୟୂରଭଞ୍ଜ ୩୭୦, ବାଲେଶ୍ବର ୩୩୧, ପୁରୀ ୩୦୬, ଭଦ୍ରକ ୨୬୭, ସୁନ୍ଦରଗଡ଼ ୨୪୩, ଜଗତସିଂହପୁର ୨୩୨, ରାୟଗଡ଼ା ୨୨୨, ନୟାଗଡ଼ ୧୯୬, କେନ୍ଦ୍ରାପଡ଼ା ୧୮୮ ଓ ଷ୍ଟେଟ୍‌ ପୁଲରୁ ୨୦୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୧୩ହଜାର ୯୬ରେ ପହଞ୍ଚି ଯାଇଛି। ରାଜ୍ୟରେ ଆଜି ୭୩୫୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୦,୬୭୩କୁ ଖସି ଆସିଛି। ଅପରପକ୍ଷେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୩୯ହଜାର ୩୭୬କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୦.୫ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ଏବେ ୧୧ଟି ଜିଲ୍ଲା ରେଡ୍‌-ଜୋନ୍‌ରେ ରହିଛି।

ସମ୍ବନ୍ଧିତ ଖବର