ରାଜ୍ୟରେ ପଜିଟିଭ୍ ହାର କମୁନି

ବଢ଼ିଲା ସଂକ୍ରମଣ, ଦିନକରେ ୭୨୧୬ ପଜିଟିଭ୍‌, ପୁଣି ୩୩ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍ ଲାଗୁ ହେବାର ୩ ସପ୍ତାହ ବିତିବାକୁ ବସିଛି। ହେଲେ ଦୈନିକ କରୋନା ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିନାହିଁ। ବାତ୍ୟା ପ୍ରଭାବରୁ ଦୈନିକ ଯେତିକି ନମୁନା ପରୀକ୍ଷା ହେଉଥିଲା, ତାହାର ଯଥେଷ୍ଟ କମ୍ ପରୀକ୍ଷା ହେଉଛି। ଏହା ସତ୍ତ୍ବେ ପଜିଟିଭ୍ ହାର ପୂର୍ବଭଳି ବଳବତ୍ତର ରହିଛି। ରାଜ୍ୟର ସଂକ୍ରମଣକୁ ନେଇ ଅନେକ ବିଶେଷଜ୍ଞ ଭିନ୍ନ ଭିନ୍ନ ଆକଳନ କରିଥିଲେ ହେଁ ସବୁ ଆକଳନ ଫେଲ୍ ମାରିଛି। ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ସଂକ୍ରମଣ କମିବା ନେଇ ଯେଉଁ ଆଶା ସୃଷ୍ଟି ହୋଇଥିଲା, ତାହା ମଧ୍ୟ ମଉଳିଯିବା ଭଳି ପରିସ୍ଥିତି ଦେଖା ଦେଲାଣି। ଅଧିକାଂଶ ଜିଲ୍ଲାରେ ଏବେ ବି ପଜିଟିଭ୍ ହାର ୨୫-୩୦ ପ୍ରତିଶତ ଭିତରେ ରହିଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପିବା କାରଣରୁ ରାଜ୍ୟରେ କରୋନା ଏ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରୁ ନାହିଁ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩,୭୬୮ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟର ୩ଟି ଜିଲ୍ଲାରେ ନମୁନା ପରୀକ୍ଷା ବନ୍ଦ ପାଇଁ ନିର୍ଦେଶ ହୋଇଥିବାରୁ ସେସବୁ ଜିଲ୍ଲାରେ କମ୍ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉଛି। ତଥାପି ରାଜ୍ୟରେ ପଜିଟିଭ୍ ହାର ୧୬.୪ ପ୍ରତିଶତ ରହିଛି। ଗୋଟିଏ ଦିନରେ ରାଜ୍ୟରେ ୭୧୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣରେ କଟକ ଜିଲ୍ଲା ଆଗରେ ରହିଛି। ଜିଲ୍ଲାରୁ ୧୦୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଖୋର୍ଧାରୁ ୮୦୯ ଆକ୍ରାନ୍ତ ବାହାରିଛନ୍ତି। ଏହି ଦୁଇ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପୂର୍ବରୁ ଚେତାବନୀ ଦେଇସାରିଛି। ଦୁଇ ଜିଲ୍ଲାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରୁ ଅଧିକରୁ ଅଧିକ ଆକ୍ରାନ୍ତ ବାହାରିଥିବା ଲକ୍ଷ୍ୟ କରାଯାଉଛି। ଖୋର୍ଧାରେ ସମୁଦାୟ ସଂକ୍ରମଣ ୧ଲକ୍ଷ ୧୧ହଜାର ୨୬୩କୁ ବୃଦ୍ଧି ପାଇଥିବା ବେଳେ କଟକ ଜିଲ୍ଲାରେ ୫୯ହଜାର ୫୧୨କୁ ଛୁଇଁଲାଣି। ଅନ୍ୟ ଜିଲ୍ଲମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ୪୮୭, ଢେଙ୍କାନାଳ ୪୨୮, ଅନୁଗୁଳ ୪୦୯, ବରଗଡ଼ ୩୩୧, ଭଦ୍ରକ ୨୪୬, ନବରଙ୍ଗପୁର ୨୪୨, ସମ୍ବଲପୁର ଓ ଯାଜପୁର ୨୪୧ ଲେଖାଏଁ, କୋରାପୁଟ ୨୨୦, ବାଲେଶ୍ବର ୨୧୫, ସୁନ୍ଦରଗଡ଼ ୧୮୪ ଓ ଷ୍ଟେଟ ପୁଲରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଉ ୩୩ଜଣଙ୍କୁ ମୁଣ୍ଡ ନେଇଛି କରୋନା। ଫଳରେ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୬୫୧ରେ ପହଞ୍ଚିଛି। ରାଜ୍ୟରେ ପୁଣିଥରେ ୧୧,୯୫୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୦,୧୧୮କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୪୭ହଜାର ୧୩୩ରେ ପହଞ୍ଚି ଯାଇଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୮୭ ପ୍ରତିଶତକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର