ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ ରାଜ୍ୟରେ ପଜିଟିଭ ହାର କମିଛି | ମେ ୨୨ ରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ | ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା | ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି | ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ |

ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମୁଛି ଏବଂ ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି | ଆନ୍ଧ୍ର ଓ ପଶ୍ଚିମବଙ୍ଗର ସଂକ୍ରମଣ କମୁଥିଲେ ବି ବିପଦ ରହିଛି | ଏଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାନ୍ତ ସିଲ କରାଯାଇଛି | ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦ ପ୍ରତିଶତ ରହିଛି |

ଏସବୁ ଜିଲ୍ଲା ହେଉଛି ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ପୁରୀ, ମୟୁରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ | ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪ ପ୍ରତିଶତରେ ପହଂଚିଛି | ୧୯ଟି ଜିଲ୍ଲାରେ ପଜିଟିଭିଟି କମୁଥିବାବେଳେ ୫ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି | ଆଗକୁ ପଜିଟିଭିଟି ଆହୁରି କମିବା ନେଇ ଆଶା କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି |

ସମ୍ବନ୍ଧିତ ଖବର