ଭୁବନେଶ୍ୱର : କିମ୍ସରେ ପୋଷ୍ଟ୍ କୋଭିଡ୍ କେୟାର୍ ସ୍ପେସିଆଲିଟି କ୍ଲିନିକ୍ ଖୋଲାଯାଇଛି। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଏହି କ୍ଲିନିକ୍ର ଆଉଟଡୋର୍ ଖୋଲା ରହୁଛି। କୋଭିଡ୍ରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କଠାରେ ଦେଖା ଯାଉଥିବା ସମସ୍ୟାର ସମାଧାନ ପାଇଁ ଇଣ୍ଟରନାଲ୍ ମେଡିସିନି, ରେସ୍ପିରେଟୋରି ମେଡିସିନି, ହୃଦ୍ରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା, ଚିକିତ୍ସାସେବା ଓ ପରାମର୍ଶ ଦିଆଯାଉଛି। ଏଥିସହିତ ଏହି କ୍ଲିନିକ୍ରୁ ମଧୁମେହ, ଉଚ୍ଚରକ୍ତଚାପ ଓ ହୃଦ୍ରୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।
କିମ୍ସ ପରିଚାଳିତ କୋଭିଡ୍ ହସପିଟାଲରେ ରାଜ୍ୟରୁ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କୋଭିଡ୍ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ୍ ଚେକ୍ ଅପ୍ କରିବା ପାଇଁ ଆସୁଛନ୍ତି। ଏହି ରୋଗୀମାନେ କୋଭିଡ୍ରୁ ସୁସ୍ଥ ହେବା ପରେ ଏବେ ସେମାନଙ୍କଠାରେ ଦୁର୍ବଳତା, ଶ୍ଵାସ ପ୍ରଶ୍ଵାସରେ କଷ୍ଟ, ଶରୀର ଓ ଗଣ୍ଠିରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଉଛି। ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବାରୁ ସେମାନଙ୍କ କିଡ୍ନି ଓ ଫୁସ୍ଫୁସ୍ରେ ସମସ୍ୟା ଲାଗି ରହୁଛି। ଏହି ସବୁ ସମସ୍ୟାର ସମୁଖୀନ ହେଉଥିବା ରୋଗୀଙ୍କ ପାଇଁ କିମ୍ସରେ ଏହି ସ୍ପେସିଆଲିଟି କ୍ଲିନିକ୍ ଖୋଲାଯାଇଛି। ଆଉଟ୍ଡୋରରେ ଦେଖା କରୁଥିବା ବ୍ୟକ୍ତିଙ୍କ ପରୀକ୍ଷା ପରେ ଯାହାର କିଡ୍ନି ଓ ଫୁସଫୁସ ଜନିତ ସମସ୍ୟା ଦେଖାଯାଉଛି, ସେମାନଙ୍କୁ ରୁମାଟୋଲୋଜି, ହୃଦ୍ରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦିଆଯାଉଛି।