ଆଳି/ରାଜକନିକା: ଆଳି ଓ ରାଜକନିକାରେ ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଏଥିରେ ମୋଟ୍‌ ୧୭ ଜଣ ଆହତ ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଆଜି ସନ୍ଧ୍ୟାରେ ଆଳି ଥାନା ସଂସିଧା ପଞ୍ଚାୟତ ଅଧୀନ ଠାକୁରପାଟଣା ଗାଁରେ ଭୋଟ୍ ଦେବା ନ ଦେବା ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୭ ଆହତ ହୋଇଛନ୍ତି। ଗୋଟିଏ ପରିବାରର ୫ଜଣ ଓ ଅନ୍ୟ  ପରିବାରର ୨ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଠାକୁରପାଟଣା ଗାଁର ପ୍ରଫୁଲ୍ଲ ପାଣ୍ଡବଙ୍କ ପୁଅ ଜିତେନ୍ଦ୍ର ଆଜି ସକାଳେ ଦୋକାନ ଖୋଲିଥିଲେ। ସେହି ଗାଁର ମିହିର ପାଣ୍ଡବ ତାଙ୍କ ଦୋକାନକୁ ଆସି ଏକ ନିର୍ଦ୍ଦିଷ୍ଟ ଦଳକୁ କାହିଁକି ଭୋଟ ଦେଇଛ ବୋଲି କହି ଗାଳିଗୁଲଜ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା।

Advertisment

ପରବର୍ତ୍ତୀ ସମୟରେ ଯୁକ୍ତିତର୍କ ଉଗ୍ରରୂପ ଧାରଣ କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଗୋଟିଏ ପକ୍ଷର ପ୍ରଫୁଲ୍ଲ ପାଣ୍ଡବ, ପତ୍ନୀ ବୈଦେହୀ, ପୁଅ ଜିତେନ୍ଦ୍ର, ବୋହୂ ରଶ୍ମିତା, ନାତି ଅଭିମନ୍ୟୁ କ୍ଷତବିକ୍ଷତ ହୋଇଥିବା ବେଳେ ଅନ୍ୟ ପକ୍ଷରୁ ବାପ ଅଲେଖ ପାଣ୍ଡବ ଓ ପୁଅ ମିହିର ଆହତ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆହତଙ୍କ ମଧ୍ୟରୁ ପ୍ରଫୁଲ୍ଲ ଓ ଜିତେନ୍ଦ୍ରଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷ ମଧ୍ୟରୁ ଗୋଟିଏ ପକ୍ଷ ଶାସକ ଦଳର ସମର୍ଥକ ହୋଇଥିବା ବେଳେ ଆଉ ଗୋଟିଏ ପକ୍ଷ ବିଜେପି ସମର୍ଥକ ବୋଲି ଜଣାପଡିଛି। ଗଣ୍ଡଗୋଳ ସମ୍ପର୍କରେ ଆଳି ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ କହିଛନ୍ତି। ଘଟଣାକୁ ନେଇ ଠାକୁରପାଟଣା ଗାଁରେ ଉତ୍ତେଜନା ଲାଗି ରହିଛି। ସେହିପରି ରାଜକନିକା ବ୍ଲକ୍‌ର ଅଶୋକବଜାରରେ ଅପରାହ୍ନ ୫ଟା ସମୟରେ ବିଜେଡି ଓ କଂଗ୍ରେସର କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ଜଣ ଲେଖାଏ କରି ମୋଟ ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତର ଥିବା ୫ ଜଣଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି l ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଘଟଣାକୁ ନେଇ ଥାନାରେ କୌଣସି ଏତଲା ହୋଇ ନ ଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ଧଳ କହିଛନ୍ତି l