ଘଟଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା; ସରପଞ୍ଚ ସମର୍ଥକଙ୍କ ଉପରେ ଆକ୍ରମଣ

ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଘଟଗାଁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ମୁକୁନ୍ଦପୁରପାଟଣା ପଞ୍ଚାୟତର ରାଜନୈତିକ ହିଂସାକାଣ୍ତ ଘଟିଛି। ସରପଞ୍ଚ ସମର୍ଥକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି।

ପଞ୍ଚାୟତ କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ କରାଇ ନଦେବାକୁ ବଡଧରଣର ଷଡଯନ୍ତ୍ର କରିବା ସହ ବିଭିନ୍ନ ପ୍ରକାର ଅଗଣତାନ୍ତ୍ରିକ କାର୍ଯ୍ୟକଳାପ, ଆକ୍ଷେପ ଓ ପ୍ରତିଆକ୍ଷେପ ଜାରି ରହିଛି। ଗୁରୁବାର ଦିନ ୩ଟା ବେଳେ ସରପଞ୍ଚଙ୍କ ସମର୍ଥିତ ଯୁବନେତା ସଂଜୟ ମିଶ୍ର ଓ ଜଣେ ପଞ୍ଚାୟତ କର୍ମଚାରୀ ସତ୍ୟରଂଜନ ସେଠୀ ନିଜ ମୋଟର ସାଇକେଲରେ ଯାଉଥିବା ବେଳେ ହଠାତ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ଗାଡିକୁ ଅଟକାଇ ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସଂଜୟ ମିଶ୍ର ଓ ସତ୍ୟରଂଜନ ଆହତ ହୋଇଛନ୍ତି। ଘଟଣାଟି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଘଟିଥିବାରୁ ସରପଞ୍ଚଙ୍କ ବହୁ ସମର୍ଥକ ତୁରନ୍ତ ସେଠାରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ। ସଂଜୟ ଓ ସତ୍ୟରଂଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସରପଂଚ ସମର୍ଥକମାନେ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଥାନାରେ ପହଞ୍ଚିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେବାରୁ ଲୋକମାନେ ଉତ୍ତ୍ୟକ୍ତ ହୋଇ ଥାନା ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଦୁଇଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶରେ ବହୁ ଗାଡ଼ିମୋଟର ଅଟକି ରହିଥିଲା। ସଂଧ୍ୟା ପ୍ରାୟ ୬ ଟା ବେଳେ ଏସଆଇ ତପନ କୁମାର ଜେନା ଓ ଶିବଶମ୍ଭୁ ନାଏକ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ୨୪ ଘଣ୍ଟା ମଧ୍ୟ‌ରେ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ଘୋଷଣା ପରଠାରୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଠିକଭାବେ ବଣ୍ଟନ କରାଯାଉନାହିଁ। ଦୁଇଦିନତଳେ କିଛି ଯୁବକ ପଞ୍ଚାୟତରେ ଚାଉଳ ବଣ୍ଟନକୁ ବିରୋଧ କରିଥିଲେ। ଏହାପରେ ବ୍ଲକର ଯୋଗାଣ ନିରୀକ୍ଷକ ଘଟଣାସ୍ଥଳକୁ ଆସି ଚାଉଳ ବଣ୍ଟନକୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଗତକାଲି ସରପଞ୍ଚ ଓ ତାଙ୍କର ଶତାଧିକ ସମର୍ଥକ ବ୍ଲକ ଘେରାଉ କରି ରାସନ ସାମଗ୍ରୀ ଓ ଭତା ବଣ୍ଟନକୁ କାହିଁକି ବନ୍ଦ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଗୁରୁବାର ଦିନ ବଣ ଚକୁଳିଆରେ ଚାଉଳ ବଣ୍ଟନ ଓ ମୁକୁନ୍ଦପୁରପାଟଣା ଗ୍ରାମରେ ଭତ୍ତା ବଣ୍ଟନ ସରପଞ୍ଚଙ୍କ ଦ୍ବାରା କରାଯାଇଥିଲା। ଅପରପକ୍ଷ ଏହା ଜାଣିବା ପରେ ରକ୍ତମୁଖା ହୋଇ ଆକ୍ରମଣ କରିଥିବା ଅଭି‌ଯୋଗ ହେଉଛି। ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଲାଗିରହିଛି। ଘଟଗାଁ ଥାନାଧିକାରୀଣୀ ପ୍ରତିଭାମଂଜରୀ ସାହୁ ପୌର ନିର୍ବାଚନ ଡ୍ୟୁଟିରେ କେନ୍ଦୁଝର ଯାଇଥିବାରୁ ଥାନାରେ ତାଙ୍କ ଅନୁପସ୍ଥିତିରେ ଏସ୍‌ଆଇ ଶିବଶମ୍ଭୁ ନାଏକ ଦାୟିତ୍ବରେ ଅଛନ୍ତି। ତାଙ୍କୁ ଏନେଇ ପଚାରିବାରୁ ସେ ଥାନା ଅଧିକାରୀ ଆସିଲେ ମାମଲା ରୁଜୁ ହେବ ବୋଲି କହିଛନ୍ତି। ତେବେ ଉଭୟପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

ସେପଟେ ଘଟଗାଁ ନାଏକ ସାହିରେ ଜନୈକ ମହିଳା ସମର୍ଥକଙ୍କୁ ତାଙ୍କ ଘରପାଖରେ ସଂଧ୍ୟା ସମୟରେ କିଛି ଯୁବକ ଓ ମହିଳା ଘରେ ପଶି ଅତର୍କିତ ଆକ୍ରମଣ କରିଛନ୍ତି। ସେ ଆହତ ହୋଇ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଘଟଗାଁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।

ଆକ୍ରମଣରେ ବିଧାୟକଙ୍କ ପୁତୁରା ଗୁରୁତର

ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଗଡବାନ୍ଧଗୋଡ଼ାରେ ରାଜନୈତିକ ହିଂସା ଥମିବାର ନାଁ ଧରୁନାହିଁ। ଗତ ରାତିରେ କେତେକ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସାନ ଭାଇଙ୍କ ପୁଅ  ଅବିନାଶ ପାତ୍ର (୩୨) ଗୁରୁତୁର ଆହାତ ହୋଇଛନ୍ତି। ତାଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାର୍‌ପିଟ୍ ଘଟଣାରେ ଅବିନାଶଙ୍କ ମୁଣ୍ତ ଫାଟିଯାଇ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କ ବୁଲେଟକୁ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏନେଇ ବିଧାୟକଙ୍କ ପୁତୁରା ଥାନାରେ ଗ୍ରାମର ୯ ଜଣ ଯୁବକଙ୍କ ନାମରେ ଅଭିଯୋଗ କରିଛନ୍ତି। ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରଫୁଲ୍ଲକୁମାର ବାର୍ଲା  ୬୩/୨୨ରେ ଏକ ମାମଲା ରୁଜୁ କରି  ଘଟଣାର ତଦନ୍ତ କରୁଛନ୍ତି। ଘଟଣାରେ କାହାକୁ ଏଯାଏ ଗିରଫ କରାଯାଇ ନଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର