ଅନୁଗୁଳ: ନିର୍ବାଚନ ବେଳେ ଶାନ୍ତ। ନିର୍ବାଚନ ପରେ ଗଣ୍ଡଗୋଳ। କିଛି ବର୍ଷ ହେଲା ଅନୁଗୁଳରେ ଏହି ଧାରା ଦେଖିବାକୁ ମିଳୁଥିଲା ବେଳେ ଏହା ସଚେତନ ନାଗରିକଙ୍କୁ ଚିନ୍ତାରେ ପକାଇ ଦେଇଛି। ରାଜନୀତି ପାଇଁ ହିଂସାକୁ ଆପଣେଇବାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏପଟେ ପୁଲିସକୁ ବି ଏହା ଅଡ଼ୁଆ ପରିସ୍ଥିତିରେ ପକାଇ ଦେଇଛି।ନିର୍ବାଚନ ଚାଲିଥିବା ସମୟରେ ଛେଣ୍ଡିପଦା ବ୍ଲକ୍‌ କୋଶଳା ସିମିଳିସାହିର ମତଦାନ କେନ୍ଦ୍ରରେ ଗଣ୍ଡଗୋଳ ହେଲା। ଖୋଦ୍‌ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଜଣଙ୍କୁ ପିଟିବା ପାଇଁ ଗୋଡ଼ାଉଥିବାର ଭିଡିଓ ଭାଇରାଲ ହେଲା। ଏଥିନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏପଟେ ମତଦାନ ପରେ ବୃଦ୍ଧି ପାଇଛି ହିଂସା। ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକଙ୍କ କ୍ଷତାକ୍ତ ମୃତଦେହ ତାଙ୍କ ଘର ଅଗଣାରୁ ମିଳିଛି। ତାଙ୍କ ମୃତ୍ୟୁ ଉପରୁ ପରଦା ହଟି ନଥିଲେ ମଧ୍ୟ ରାଜନୈତିକ ଆକ୍ରୋଶରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ମତଦାନ ସମୟ‌ରେ ତାଙ୍କର କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିବାରୁ ହତ୍ୟା ସନ୍ଦେହ ବଢ଼ିଛି। ଏପଟେ ଏହି ଛେଣ୍ଡିପଦା ବ୍ଲକ୍‌ର ନୂଆଗାଁ, ବସନ୍ତପୁର, ସନ୍ତରାବନ୍ଧ, ପାତ୍ରପଡ଼ା, ଜେରେଙ୍ଗ ଦେହୁରୀସାହିରେ ନିର୍ବାଚନ ପରେ ହିଂସା ବଢ଼ିଛି। ସାମାନ୍ୟ ଘଟଣାକୁ ନେଇ ବିଭିନ୍ନ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲା ବେଳେ ଗାଁ ପରିବେଶ ଅଶାନ୍ତ ହୋଇଛି। ସେହିପରି ବାଗଡ଼ିଆ ଥାନା ପାତ୍ରପଡ଼ା ଗାଁ ତାଳମଣ୍ଡଳିସାହିରେ ଦଳୀୟ ମତଦାନକୁ କେନ୍ଦ୍ରକରି ଜଣେ ଯୁବକ ରିଭଲଭର୍‌ରେ ଆକ୍ରମଣ କରିବାରୁ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହି ସବୁ ଘଟଣା ପରେ ଗାଁ ଗୁଡ଼ିକରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ରାଜନୈତିକ ଗଣ୍ଡଗୋଳ ହୋଇଥିବାରୁ ଏହା କେତେବେଳେ ବି ଉଗ୍ର ରୂପ ଧାରଣ କରିବାର ଆଶଙ୍କା ରହିଛି। ତେଣୁ ପୁଲିସ ଏହା ଉପରେ କଡ଼‌ା ନଜର ରଖିଛି। ତଥ‌ାପି ବିପଦ ଟଳିନି। କେବଳ ଛେଣ୍ଡିପଦା ନୁହେଁ, ନିର୍ବାଚନ ପରେ ଆଠମଲ୍ଲିକ, ପାଳଲହଡ଼ା ଓ ଅନୁଗୁଳ ନିର୍ବାଚନମଣ୍ଡଳୀରୁ ଗୋଷ୍ଠୀ ବିବାଦ ସାମ୍‌ନାକୁ ଆସିଛି। ରାଜନୀତିକୁ ନେଇ ସମର୍ଥକମାନେ ମୁହାଁମୁହିଁ ସ୍ଥିତିକୁ ଆସୁଛନ୍ତି। ଫଳାଫଳ ଆସିବା ପୂର୍ବରୁ ଏମିତି ବିବାଦ ବଢ଼ିଥିବାରୁ ଜୁନ୍‌ ୪ ପରେ ଗଣ୍ଡଗୋଳ ଆହୁରି ବଢ଼ିବ‌ାର ଆଶଙ୍କା ପ୍ରକାଶ ପାଇଛି।

କେବଳ ଏହି ନିର୍ବାଚନ ପରେ ହିଂସା ବଢ଼ିଛି, ତାହା ନୁହେଁ। ଗତ ପୌର ଓ ପଞ୍ଚାୟତ ନିର୍ବାଚନ ପରେ ପରେ ଅଶାନ୍ତ ହୋଇପଡ଼ିଥିଲା ଅନୁଗୁଳ। ଏପରିକି ସପ୍ତାହକରେ ଦୁଇ ମୁଣ୍ଡ ଗଡ଼ିଥିଲା। ୨୦୨୨ରେ ପଞ୍ଚାୟତ ନିର୍ବାଚନ ସରିବା ପରେ ଏପ୍ରିଲ ୧୪ ତାରିଖ ରାତିରେ ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଦୁର୍ଗାପୁର ଗାଁର ସାଗର ପ୍ରଧାନ(୪୨) ଗାଁ ଦାଣ୍ଡରେ ଶୋଇଥିଲା ବେଳେ ତାଙ୍କୁ ସେହି ଗାଁର ଗୋବିନ୍ଦ ସାହୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପଞ୍ଚାୟତ ନିର୍ବାଚନ ସମୟରେ ଉଭୟଙ୍କ ଭିତରେ ହୋଇଥିବା ଝଗଡ଼ା ପାଇଁ ଏହି ହତ୍ୟାକାଣ୍ଡ ଭିଆଇଥିବା ଗୋବିନ୍ଦ ପୁଲିସ ଆଗରେ ସ୍ବୀକାର କରିଥିଲା। ଏହାକୁ ନେଇ ସାରା ପଞ୍ଚାୟତରେ ଅଶାନ୍ତି ବଢ଼ିଥିଲା ବେଳେ ପୁଲିସର ଚିନ୍ତା ବଢ଼ିଥିଲା। ସେହିପରି ବନ୍ତଳା ଥାନା ତଳଗଡ଼ ଗ୍ରାମର ନିର୍ବାଚନୀ କାରଣରୁ ଜଣେ ବୃଦ୍ଧଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ନିର୍ବାଚନ ସମୟରେ ଟଙ୍କା ନେଣଦେଣକୁ ନେଇ ତଳଗଡ଼ର ଉମେଶ ଦେହୁରୀ(୬୭)ଙ୍କ ସହ ଗାଁର କିଛି ଲୋକଙ୍କର ଝଗଡ଼ା ହୋଇଥିଲା। ପରେ ସେମାନେ ଉମେଶଙ୍କୁ ଡାକିନେଇ ହିନ୍ଦୋଳ-ନରସିଂହପୁର ଥାନା ସୀମାନ୍ତ ନୂଆଗାଁ ନିକଟସ୍ଥ ଜଙ୍ଗଲ ଭିତରେ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଏହା ଛଡ଼ା ଛୋଟମୋଟ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଏଣୁ ରାଜନୈତିକ ଗଣ୍ଡଗୋଳ ଚାପିବା ପାଇଁ ଏବେଠାରୁ ପ୍ରୟାସ ହେବା ସହ ଆପୋସ ସାମଧାନ ମାଧ୍ୟମରେ ଛୋଟମୋଟ ବିବାଦ ତୁଟାଇବାକୁ ପଡ଼ିବ। ନ ହେଲେ ଶାନ୍ତ ଅନୁଗୁଳ ଅଯଥାରେ ଅଶାନ୍ତ ହେବାର ଆଶଙ୍କା ରହିଛି। ଏପଟେ ପୁଲିସ ସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।