ଭୁବନେଶ୍ୱର :କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣସଂରକ୍ଷିତ ବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ଇକୋନୋମିକାଲି ବ୍ୟାକ୍ଓ୍ଵାର୍ଡ କ୍ଲାସ(ଇବିସି) ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ବ୍ୟବସ୍ଥା ହୋଇଛି। ତିନି ବର୍ଷ ହେଲା ଏହି ସ୍କଲାରସିପ୍ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି। ୨୦୧୭-୧୮ ଶିକ୍ଷାବର୍ଷରେ ଓଡ଼ିଶାରୁ ୪୨ ଜଣ ଏହି ସ୍କଲାରସିପ୍ ପାଇବାକୁ ଆବେଦନ କରିଥିଲେ ମଧ୍ୟ ଜଣେ ବି ହେଲେ ଏ ପର୍ଯ୍ୟନ୍ତ ପାଇନାହାନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଅଭାବ ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ସମସ୍ୟା ଉପୁଜିଛି। ଏନେଇ ସାମାଜସେବୀ କୁଳମଣି ମିଶ୍ର ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିନାହିଁ।
ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ ଏସ୍ସି,ଏସ୍ଟି ଓ ଓବିସି ବର୍ଗଙ୍କୁ ଛାଡ଼ି ଅନ୍ୟ ଅଣସଂରକ୍ଷିତ ଛାତ୍ରଛାତ୍ରୀଙ୍କ ଲାଗି ଆମ୍ବେଦକର ଇବିସି ମାଟ୍ରିକ୍ ସ୍କଲାରସିପ୍ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲା। ହେଲେ ଏନେଇ ଗରିବ ମେଧାବୀ ଛାତ୍ରଛାତ୍ରୀ କିମ୍ବା କଲେଜ ଅଧ୍ୟକ୍ଷ, ଶିକ୍ଷାନୁଷ୍ଠାନର ସ୍କଲାରସିପ୍ ସେକ୍ସନ ମଧ୍ୟ ଏନେଇ ଅବଗତ ନ ଥିବା ଦେଖିବାକୁ ମିଳିଛି। ଇବିସିର ଅଣସଂରକ୍ଷିତ ବର୍ଗଙ୍କ ଲାଗି କୌଣସି ସ୍କଲାରସିପ୍ ବ୍ୟବସ୍ଥା ନ ଥିବାରୁ ଏନେଇ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟକୁ ୨୦ ଥର ଇମେଲ୍ କରିବା ସହ ‘my gov.nic.in’ ମାଧ୍ୟମରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍କଲାରସିପ୍ କରାଯାଇଥିଲା। ହେଲେ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବି ସଚେତନତା କରାଗଲା ନାହିଁ। ଯେଉଁଥିପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଏଭଳି ସ୍କଲାରସିପ୍ ପାଇବାରୁ ବଞ୍ଚିତ ହୋଇଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ଅଣସଂରକ୍ଷିତ ବର୍ଗର ଇବିସି ଛାତ୍ରଛାତ୍ରୀ ଥିବା ଏହି ସ୍କଲାରସିପ୍ ପାଇବା ଲାଗି ପରିବାରର ବାର୍ଷିକ ଆୟ ଏକ ଲକ୍ଷ ଟଙ୍କା ରଖାଯାଇଛି। ଯେତେବେଳେ କି ଏସ୍ସି ଓ ଏସ୍ଟି ବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ଯେଉଁଥିପାଇଁ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ବୃତ୍ତି ପ୍ରଦାନ କ୍ଷେତ୍ରରେ ମଧ୍ୟ ପାତରଅନ୍ତର କରାଯାଇଛି। ଏସ୍ସି ଓ ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ଯଦି ୨,୪୯,୯୯୯ ଟଙ୍କା ହୋଇଥିବ ତେବେ ସେମାନଙ୍କୁ ୧୨୦୦ ଟଙ୍କାର ବୃତ୍ତି ମିଳିବ। କିନ୍ତୁ ଅଣସଂରକ୍ଷିତ ବର୍ଗ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ଯଦି ୯୯,୯୯୯ ଟଙ୍କା ଥିବ ତେବେ ୭୫୦ ଟଙ୍କାର ବୃତ୍ତି ମିଳିବ।
ଏନେଇ ଶ୍ରୀ ମିଶ୍ର ଏବେ ପୁଣିଥରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଟି.ସି. ଗେହଲଟ୍ଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ସ୍କଲାରସିପ୍ ପ୍ର୍ରଦାନ କରାଯାଉଥିବା ନେଇ ଛାତ୍ରଛାତ୍ରୀ ସଚେତନ ନାହାନ୍ତି। ଏସମ୍ପର୍କରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କେହି ବି ବିଜ୍ଞାପନ ପ୍ରକାଶ କରି ନାହାନ୍ତି। ଓଡ଼ିଶାରୁ ୪୨ ଜଣ ଆବେଦନ କରିଥିବା ବେଳେ ଜଣଙ୍କୁ ହେଲେ ବୃତ୍ତି ମିଳିନି। ଯେତେବେଳେ କି ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ୩ ବର୍ଷ ହେଲା ଏହି ବୃତ୍ତି ପାଉଛନ୍ତି।