ଆସିଲା ମାହାଙ୍ଗା ଗଣହତ୍ୟା ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟ: ଧାରୁଆ ଅସ୍ତ୍ରରେ ହତ୍ୟା, ମୃତ୍ୟୁ ପୂର୍ବରୁ ସମସ୍ତେ କରିଥିଲେ ପ୍ରତିରୋଧ

କଟକ: ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସଭିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ସମୟରେ ମୃତକମାନେ ପ୍ରତିରୋଧ କରିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେବେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ।
ଧାରୁଆ ଅସ୍ତ୍ରରେ କ୍ଷତ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ହତ୍ୟାକାଣ୍ଡ ସମୟରେ ନିଜକୁ ବଞ୍ଚାଇବାକୁ ୫ ଜଣ ମୃତକ ଅନେକ ପ୍ରୟାସ କରିଥିବା ସହ ଅଭିଯୁକ୍ତ ଶିବକୁ ନେହୁରା ହୋଇଥିଲେ। ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ବ୍ୟକ୍ତି ସାମିଲ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ମାହାଙ୍ଗା ଗଣହତ୍ୟା ମାମଲାର ଅଭିଯୁକ୍ତ ଶିବକୁ ପୁଲିସ ଗତ ଗୁରୁବାର ଦିନ ରିମାଣ୍ଡରେ ଆଣିଥିଲା। କିନ୍ତୁ ସେଦିନ ଶିବ ଚାଲି ନପାରିବାରୁ ରିମାଣ୍ଡର ପ୍ରଥମ ଦିନ ବେକାର ଯାଇଥିଲା। ପରଦିନ କୁସୁପୁର ଗାଁ ତଥା ହତ୍ୟାକାଣ୍ଡ ଘଟାଇଥିବା ସ୍ଥଳ ଓ ଭଡ଼ାଘରେ ପହଞ୍ଚି ପୁଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା। କିନ୍ତୁ ଏଯାଏ କେବଳ ଶିବକୁ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଉଛି। ପୁଲିସ ଏଯାଏ ବ୍ୟବଚ୍ଛେଦ ରିପୋର୍ଟ ପାଇ ନଥିବାରୁ ତଦନ୍ତ ବିଶେଷ ଆଗେଇ ପାରୁନଥିବା କୁହାଯାଉଛି। କେବଳ ଶିବର ବୟାନ ଉପରେ ପୁଲିସ ବିଶ୍ବାସ କରି ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି।
ଭିତର ପଟୁ କବାଟ ଦେଇ ଶିବ ସମସ୍ତଙ୍କୁ ଜଣକ ପରେ ଜଣକୁ ହାଣି ଥିବା କହୁଛି। ଘରର ଲାଇଟ ବନ୍ଦ ଥିବା ବେଳେ ମୋବାଇଲ ଟର୍ଚ ଆଲୁଅରେ ୫ ଜଣଙ୍କୁ ହତ୍ୟା କରିଥିଲା। ପ୍ରଥମେ ଭାଉଜକୁ ପରେ ବଡ଼ଭାଇ ଅଲେଖକୁ, ପରେ ଦୁଇ ପୁତୁରାଙ୍କୁ ଓ ଶେଷରେ ଝିଆରୀକୁ ଶିବ ହାଣି ଥିବା କହୁଛି। ସମସ୍ତଙ୍କୁ ହାଣିବା ଏବଂ ସମସ୍ତେ ମରି ଯାଇଥିବା ନିଶ୍ଚିତ ହେବା ପରେ ଛାତ ଉପରକୁ ଯାଇ ଶିବ ଘଣ୍ଟାଏ ପବନ ଖାଇ ଘରର ମୁଖ୍ୟ ଫାଟକରେ ତାଲା ପକାଇ ନିଜ ଭଡ଼ା ଘରକୁ ଫେରିଯାଇଥିଲା ଏବଂ ପରେ ଭିଡିଓ ପ୍ରସ୍ତୁତ କରି ଛାଡ଼ିବା ସହିତ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା କହୁଛି। ଏ ସବୁର ସତ୍ୟାସତ୍ୟକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ରହୁଥିଲେ ବି ପୁଲିସ ଶିବକୁ ଧରି ଏଯାଏ ତଦନ୍ତ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଶିବ ତାର ବଡ଼ ଭାଇ ଅଲେଖ, ଭାଉଜ, ଦୁଇ ପୁତୁରା ଓ ଝିଆରୀଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର