ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟରେ ଖାଲି ଥିବା ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ପୂରଣ ହେବ। ଗତ ଦୁଇ ମାସ ଧରି ବିଭିନ୍ନ ବିଶ୍ବବିଦ୍ୟାଳୟରୁ ହସ୍ତଗତ ହୋଇଥିବା ତଥ୍ୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଆଜି ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନ(ଓପିଏସ୍‌ସି) ସଚିବଙ୍କୁ ଚିଠି ଲେଖି ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ସାଧାସଳଖ ନିଯୁକ୍ତି ପ୍ରକ୍ରିୟା କରିବାକୁ ଅନୁରୋଧ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଫକୀର ମୋହନ, ଉତ୍ତର ଓଡ଼ିଶା, ଗଙ୍ଗାଧର ମେହେର, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ ରମା‌ଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଖାଲିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ କରାଯିବ। ଏହାବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ପଦ ବି ପୂରଣ ହେବ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଅନୁଯାୟୀ ପଦ‌କ୍ଷେପ ନେବାକୁ କୁହାଯାଇଛି। ଏଥିସହ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଆସୋସିଏଟ୍‌ ପ୍ରଫେସର୍‌ ଓ ପ୍ରଫେସର୍‌ ପଦ ଲାଗି ମଧ୍ୟ ଖୁବ୍‌ଶୀଘ୍ର ତଥ୍ୟ ଦାଖଲ କରାଯିବ ବୋଲି ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ମୋଟ ୪୮୪ଟି ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଲାଗି ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ। ରେଭେନ୍ସା‌ ବିଶ୍ବବିଦ୍ୟାଳୟର ସର୍ବାଧିକ ୧୦୬ଟି ପଦ ଥିବା ବେଳେ ଉତ୍କଳର ୪୮, ସମ୍ବଲପୁରର ୨୮, ବ୍ରହ୍ମପୁରର ୩୫, ଫକୀରମୋହନର ୧୪, ଉତ୍ତର ଓଡ଼ିଶାର ୩୪, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୬୩, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୨୩, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ୬ଟି ପଦ ରହିଛି। ଏହାବ୍ୟତୀତ ନବଗଠିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ୭୨ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର ୫୬ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯିବ।