ସେମିଳିଗୁଡ଼ା/ସୁନାବେଡ଼ା: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଘାଟଗୁଡ଼ାସ୍ଥିତ କୋଲାବ ପୋଲ ଉପରୁ ବୁଧବାର ସନ୍ଧ୍ୟାରେ ପୁଲିସ ଏକ ସ୍କୁଟି ଉଦ୍ଧାର କରିଛି। ଉକ୍ତ ସ୍କୁଟି ସେମିଳିଗୁଡ଼ା ଡାକଘରେ କାର୍ଯ୍ୟରତ ପି. ସନ୍ତୋଷ କୁମାରଙ୍କ ବୋଲି ପ୍ରାଥମିକ ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଛି। ତେବେ ସନ୍ତୋଷଙ୍କ ଦେଖା ମିଳୁନଥିବାରୁ ସେ ନଦୀକୁ ଡେଇଁ ଦେଇଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କୋରାପୁଟ ଗାନ୍ଧୀନଗର ନିବାସୀ ପି. ସନ୍ତୋଷ କୁମାର ସେମିଳିଗୁଡ଼ା ଡାକଘରେ ଅବସ୍ଥାପିତ ଅଛନ୍ତି। ତେଣୁ ପ୍ରତିଦିନ ଭଳି ଆଜି ସକାଳେ ମଧ୍ୟ ନିଜ ସ୍କୁଟି ଧରି ସେମିଳିଗୁଡ଼ା ବାହାରିଥିଲେ। ଅପରାହ୍ନରେ ପରିବାର ଲୋକ ତାଙ୍କ ମୋବାଇଲକୁ କଲ୍ କରିଥିଲେ। କିନ୍ତୁ ମୋବାଇଲ ସ୍ବିଚ୍ ଅଫ୍ ଥିବାରୁ ଡାକ ବିଭାଗର ଅନ୍ୟ କର୍ମଚାରୀଙ୍କୁ କଲ୍ କରି ସନ୍ତୋଷଙ୍କ ସଂପର୍କରେ ପଚାରିଥିଲେ। ସନ୍ତୋଷ ଆଜି କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡ଼ିବା ପରେ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ।
ଅନ୍ୟପଟେ ସନ୍ଧ୍ୟା ପ୍ରାୟ ୫ଟାରେ ଘାଟଗୁଡ଼ାସ୍ଥିତ କୋଲାବ ପୋଲଉପରେ ଏକ ସ୍କୁଟି ଥିବା ଦେଖିବା ପରେ କିଛି ଲୋକ ସନ୍ଦେହ କରି ସୁନାବେଡ଼ା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏହି ସ୍କୁଟି ସନ୍ତୋଷଙ୍କ ବୋଲି ଜଣାପଡ଼ିଥିଲା। କିନ୍ତୁ ଆଖପାଖ ଅଞ୍ଚଳରେ ସନ୍ତୋଷଙ୍କ ଦେଖା ନମିଳିବାରୁ ସେ ନଦୀକୁ ଡେଇଁ ଦେଇଛନ୍ତି ନା କେଉଁ ଆଡ଼େ ଚାଲିଯାଇଛନ୍ତି ସେନେଇ ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ସନ୍ତୋଷଙ୍କ ସ୍କୁଟି ପୋଲ ଉପରୁ ମିଳିବା ଏବଂ ତାଙ୍କ ଦେଖା ମିଳୁନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି।