ରାଇସୁଆଁ: କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳରେ ଏବେବି ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇନାହିଁ। ଏହି କାରଣରୁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ବିମଳା ପଞ୍ଚାୟତର ଡାକଘର କେବେ ହାଟପିଣ୍ଡିରେ ତ ଆଉ କେବେ ନିକଟସ୍ଥ ପାହାଡ଼ ଉପରେ ଚାଲୁଛି। ମୋବାଇଲ୍ ନେଟ୍ୱର୍କ ପାଇଁ ପୋଷ୍ଟମାଷ୍ଟର ଡାକଘର ଛାଡ଼ି ହାଟପିଣ୍ଡିରେ ବସି ସରକାରୀ କାମ କରୁଛନ୍ତି।
ତେଲକୋଇ ବ୍ଲକ୍ର ବିମଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ଡାକଘର। କାର୍ଯ୍ୟାଳୟ ଭିତରେ ମୋବାଇଲ୍ ନେଟ୍ୱର୍କ ଆସୁନଥିବାରୁ କାମ କରିବା ସମ୍ଭବ ହେଉନି। ବିଶେଷକରି, ଅନ୍ଲାଇନ୍ରେ ଆକାଉଣ୍ଟରେ ଟଙ୍କା ଜମା ଓ ଟଙ୍କା ଉଠାଇବାରେ ସମସ୍ୟା ହେଉଛି। ଆଜି ଅପରାହ୍ନରେ ଆମ ପ୍ରତିନିଧି ବିମଳା ଯାଇଥିବା ସମୟରେ ହାଟପଡ଼ିଆରେ ଥିବା ପିଣ୍ଡି ଉପରେ ବସି ପୋଷ୍ଟମାଷ୍ଟର ଫକୀର ମୋହନ ନାୟକ କାମ କରୁଥିଲେ। କିଛି ଉପଭୋକ୍ତା ତାଙ୍କ ପାଖରେ ବସିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଶ୍ରୀ ନାୟକଙ୍କୁ ପଚାରିବାରୁ, ଡାକଘରେ ନେଟ୍ୱର୍କ ରହୁନି; ଲୋକଙ୍କୁ ସେବା ଯୋଗାଇବା ପାଇଁ ହାଟପିଣ୍ଡିରେ ବସି କାମ କରୁଥିବା କହିଥିଲେ। ଏଠାରେ ନେଟ୍ୱର୍କ ନଆସିଲେ ପେଟରାଘାଟି ପାହାଡ଼ ଉପରକୁ ଯିବାକୁ ପଡ଼ୁଛି। ବିଭିନ୍ନ ସମୟରେ ପରିଦର୍ଶନରେ ଆସୁଥିବା ଡାକ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ସେ ଜଣାଇଛନ୍ତି। ହେଲେ, କୌଣସି ସୁଫଳ ମିଳୁନି ବୋଲି ସେ କହିଛନ୍ତି।
ସେହିପରି, ସରକାରଙ୍କ ପକ୍ଷରୁ ଲୋକଙ୍କୁ ହାତପାଆନ୍ତାରେ ବ୍ୟାଙ୍କସେବା ସେବା ଯୋଗାଇବା ପାଇଁ ପ୍ରତି ପଞ୍ଚାୟତରେ ସିଏସ୍ପି ପ୍ଲସ୍ ବା ଆମ ବ୍ୟାଙ୍କ କେନ୍ଦ୍ର ଖୋଲାଯାଇଛି। ବିମଳା ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଆମ ବ୍ୟାଙ୍କ କାର୍ଯ୍ୟାଳୟରେ ନେଟ୍ୱର୍କ ସମସ୍ୟା ଯୋଗୁଁ ଲୋକଙ୍କୁ ଉପଯୁକ୍ତ ସେବା ମିଳୁନି। ଏପରିକି ଫୋନ୍ କରିବାପାଇଁ ପାହାଡ଼ ଓ ଗଛ ଚଢ଼ିବା ସହ ଉଚ୍ଚସ୍ଥାନକୁ ଯିବାକୁ ପଡ଼ୁଛି। ଏଠାରେ ଏକ ମୋବାଇଲ୍ ଟାୱାର ନିର୍ମାଣ କରିବାକୁ ତେଲକୋଇ ବ୍ଲକ୍ ଉପାଧ୍ୟକ୍ଷା ରଞ୍ଜିତା ମହାନ୍ତ ଓ ସରପଞ୍ଚ ପ୍ରସନ୍ନ କୁମାର ନାୟକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/shfhsffhsfh.jpg)