ଖାଉଟି ଅଦାଲତରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗ: ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଫେବ୍ରୁଆରି ୧୨ରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ। ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସଭାପତି, ସଦସ୍ୟ ପଦ ସହିତ ବିଭିନ୍ନ ଜିଲା ଫୋରମ ଗୁଡିକରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗରେ ପକ୍ଷ ରଖିବେ। ଏଥିସହିତ ଖାଉଟି କମିସନ୍ ଓ ଜିଲ୍ଲା ଫୋରମ ଗୁଡିକରେ ଭିତ୍ତିଭୂମିର ଅଭାବ ଦୂର ଓ କର୍ମଚାରୀ ଅଭାବ ସମସ୍ୟା ସମାଧାନ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସଚିବ ହାଇକୋର୍ଟଙ୍କୁ ଅବଗତ କରିବେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରି ୨୨ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଖାଉଟି କମିସନ୍ ଓ ଜିଲ୍ଲା ଖାଉଟି ଫୋରମ ଗୁଡିକରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେବେ ସୁଦ୍ଧା ସଦସ୍ୟ ପଦ ପୂରଣ କରାଯିବ, ସେ ନେଇ ଅବଗତ କରିବାକୁ ସରରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ମାମଲାର ଶୁଣାଣି ସମୟରେ ଏହି ସବୁ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସନ୍ତୋଷଜନକ ନଥିବା ସ୍ପଷ୍ଟ ହୋଇଥିଲା। ଏଥିସହିତ ଖାଉଟି କମିସନରେ ସଭାପତି ଓ ସଦସ୍ୟ ପଦ ଖାଲି ପଡିଥିବା ବେଳେ ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ମହାପାତ୍ର, ବିରଜା ବଳ, ଦେବ ପ୍ରସାଦ ମହାପାତ୍ର, ଅରୁଣ ସାହୁ ଓ କଞ୍ଜ୍ୟୁମର ବାର୍ ସଭାପତି ଆଇନଜୀବୀ କରୁଣାକର ଜେନା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟ ଖାଉଟି କମିସନ୍ ଓ ଜିଲା ଫୋରମ ଗୁଡିକରେ ଭିତ୍ତିଭୂମିର ଅଭାବ ଓ ସଦସ୍ୟ ପଦ ଖାଲି ପଡିଥିବାରୁ ଖାଉଟି ମାମଲା ଗୁଡିକର ଶୁଣାଣିରେ ବିଳମ୍ବ ହେଉଛି ବୋଲି ଅଭିଯୋଗ କରି ଓଡ଼ିଶା କଞ୍ଜୁମର ଆସୋସିଏସନ ପକ୍ଷରୁ ୧୯୯୯ ମସିହାରେ ମାମଲା ଦାୟର ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗରେ ୧୯୯୯, ମାର୍ଚ୍ଚ ୨୨ରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବାରେ ଅବହେଳା ଅଭିଯୋଗ କରି ଆବେଦନକାରୀ ପରବର୍ତ୍ତୀ ସମୟରେ ଅଦ‌ାଲତ ଅବମାନନା ମାମଲା ରୁଜୁ କରିଥି‌ଲେ। ଅଦାଲତ ଅବମାନନା ମାମଲାରେ ଖାଉଟି ସଚିବ ସତ୍ୟପାଠ ଦାଖଲ କରି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ। ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ହାଇକୋର୍ଟରେ ଠିକ୍ ତଥ୍ୟ ଉପସ୍ଥାପନ କରାଯାଉ ନାହିଁ। ଅନ୍ୟପକ୍ଷରେ ଜାନୁଆରି ୨୩ରେ ଖାଉଟି କମିସନ ସଭାପତି ଅବସର ଗ୍ରହଣ କରିଥିଲେ। ପୂର୍ବରୁ ୨୦୧୮ରେ ଜଣେ ସଦସ୍ୟ ଅବସର ଗ୍ରହଣ କରିଥିବା ବେଳେ ସଭାପତିଙ୍କ ଅବସର ପରେ ଖାଉଟି କମିସନରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସରକାର ଖାଉଟି କମିସନ୍ ସଭାପତି ପଦ ପୂରଣ ପାଇଁ ଅବସରର ୩ ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିବା କଥା। କିନ୍ତୁ ଏପରି କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର