ଏମିତି ଚାଲିଛି ସରକାରୀ ଡିଗ୍ର୍ରି କଲେଜ : ୩୯ କଲେଜରେ ନାହାନ୍ତି ଲ୍ୟାବ୍‌ ଆସିଷ୍ଟାଣ୍ଟ, ୧୦୩ ଜୁନିଅର କ୍ଲର୍କ ପଦବି ଖାଲି, ୨୯ କଲେଜରେ ପିଇଟି ନାହାନ୍ତି

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଡିଗ୍ରି ଓ ସ୍ୱୟଂଶାସିତ କଲେଜର ବାସ୍ତବ ଚିତ୍ର ପଦାକୁ ଆସିଛି। ୧୯ ଜିଲ୍ଲାରେ ୪୪ଟି ସରକାରୀ କଲେଜରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ପଦବି ସମେତ ଫିଜିକାଲ ଏଜୁକେସନ୍‌ ଟିଚର(ପିଇଟି), ଜୁନିଅର ଲାଇବ୍ରେରିଆନ୍‌, ଜୁନିଅର କ୍ଲର୍କ ପଦବି ଦୀର୍ଘଦିନ ହେଲା ପୂରଣ କରାଯାଇନି।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ କହୁଛି ୪୪ଟି ସରକାରୀ କଲେଜ ପାଇଁ ୧୬୭ଟି ଲ୍ୟାବ୍‌ ଆସିଷ୍ଟାଣ୍ଟ ପଦବି ମଞ୍ଜୁର ହୋଇଛି। କିନ୍ତୁ ଅଛନ୍ତି ମାତ୍ର ୧୩ ଜଣ। ଆହୁରି ୧୫୪ଟି ପଦବି ଖାଲି ରହିଛି। ୧୨ଟି କଲେଜ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ପଦବି ମଞ୍ଜୁର କରାଯାଇ ନାହିଁ। ଆଗକୁ ପଦବି ମଞ୍ଜୁରୀ ହେବାର ସମ୍ଭାବନା ବି ନାହିଁ। ୨୭ କଲେଜ ପାଇଁ ଯେତିକି ପଦବି ମଞ୍ଜୁର ହୋଇଥିଲା ସେଗୁଡ଼ିକ ଏବେ ଖାଲି ରହିଛି।

ସେହିପରି ୪୪ଟି ସରକାରୀ କଲେଜ ମଧ୍ୟରୁ ୩୪ଟି ପାଇଁ ଜଣେ ଲେଖାଏ ପିଇଟି ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୧୯ଟି କଲେଜ ପାଇଁ ମଞ୍ଜୁର ହୋଇଥିବା ପିଇଟି ନାହାନ୍ତି। ୧୦ଟି କଲେଜ ପାଇଁ ଏପର୍ଯ୍ୟନ୍ତ ପଦବି ମଞ୍ଜୁର ବି ହୋଇ ନାହିଁ।

ରାଜ୍ୟର ପ୍ରମୁଖ ଡିଗ୍ରି କଲେଜ ଭାବେ ପରିଗଣିତ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ରାଉରକେଲା ଡିଗ୍ରି କଲେଜ ପାଇଁ ଏପର୍ଯ୍ୟନ୍ତ ପଦବି ନ ଥିବା ସୂଚନା ମିଳିଛି। ଜୁନିଅର ଲାଇବ୍ରେରିଆନ୍‌ ବି ସମାନ ଅବସ୍ଥା। ୪୪ଟି କଲେଜ ମଧ୍ୟରୁ ୩୩ଟି କଲେଜ ପାଇଁ ୩୬ଟି ପଦବି ମଞ୍ଜୁରୀ କରାଯାଇଛି। ସେଥିମଧ୍ୟରୁ ୧୮ଟି ପଦବି ଖାଲି ରହିଛି। ୧୧ଟି କଲେଜ ପାଇଁ ଏପର୍ଯ୍ୟନ୍ତ ପଦବି ମଞ୍ଜୁରୀ ହୋଇନାହିଁ।

ଅର୍ଧାଧିକ ଜୁନିଅର କ୍ଲର୍କ ପଦବି ଏବେ ଖାଲି ପଡ଼ିଛି। ୪୪ଟି କଲେଜ ପାଇଁ ୧୯୨ ପଦବି ମଞ୍ଜୁର ହୋଇଥିବାବେଳେ ୮୯ଟି ପୂରଣ ହୋଇଛି। ଆହୁରି ୧୦୩ଟି ପଦବି ଏବେ ଖାଲି ରହିଛି।
ବିଭିନ୍ନ କଲେଜ କର୍ତୃପକ୍ଷ ଏନେଇ ବାରମ୍ବାର ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟି ଆକର୍ଷଣ କରିବା ପରେ ଏବେ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଚୁକ୍ତିଭିତ୍ତିକରେ ୧୦୩ ଟି ଜୁନିଅର କ୍ଲର୍କ, ୧୫୪ଟି ଲ୍ୟାବ୍‌ ଆସିଷ୍ଟାଣ୍ଟ, ୧୮ଟି ଜୁନିଅର ଲାଇବ୍ରେରିଆନ୍‌, ୧୯ଟି ପିଇଟି ପଦ ପୂରଣ କରାଯିବ।

ସମ୍ବନ୍ଧିତ ଖବର