ଡ଼ାକ ବିଭାଗ ପକ୍ଷରୁ ‘ଜାତୀୟ ଡ଼ାକ ସପ୍ତାହ’ ପାଳନ

ଭୁବନେଶ୍ବର: ଡ଼ାକ ବିଭାଗ ପକ୍ଷରୁ ‘ଜାତୀୟ ଡ଼ାକ ସପ୍ତାହ’ ପାଳନ ଗତ ୯ ତାରିଖରୁ ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ପରିପ୍ରେକ୍ଷୀରେ ଆଜି ପିଏଲଆଇ/ଆରପିଏଲଆଇ ହିସାବରେ ପାଳନ କରାଯାଇ ବିଭିନ୍ନ ମେଳାର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଭୁବନେଶ୍ବର ପରିମଣ୍ତଳ କାର୍ଯ୍ୟାଳୟରେ ଏକ ଭବ୍ୟ ସମାବେଶରେ ଗତବର୍ଷର ଉତ୍କୃଷ୍ଟ ସେବା ପ୍ରଦାନକାରୀ ‌ଏଜେଣ୍ଟ ଡ଼ାକ କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ବାଇଁ ସମ୍ବର୍ଦ୍ଧିତ କରିଥିଲେ। ବାଳକୃଷ୍ଣ ପୂଜାରୀ ଓ ଭାଗବତ ଦାସ ସର୍ବଭାରତୀୟସ୍ତରରେ ସର୍ବୋତ୍କୃଷ୍ଟ ଡ଼ାକବୀମା ସଂଗ୍ରହକାରୀ ହିସାବରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ପୁରସ୍କାର ଗ୍ରହଣ କରିଥିଲେ। ପ୍ରଥମ ପୁରସ୍କାରରେ ୨୫୦୦୦ ହଜାର ଟଙ୍କା ଓ ତୃତୀୟ ପୁରସ୍କାରରେ ୧୫୦୦୦ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଗ୍ରାମୀଣ ଡ଼ାକ ଜୀବନ ବୀମା ପାଇଁ ସର୍ବଭାରତୀୟ ତୃତୀୟ ସ୍ଥାନ ଅଧିକାର କରି ଉର୍ମିଳା ନାୟକ ସମ୍ବର୍ଦ୍ଧିତ ହୋଇଥିଲେ। ଗତବର୍ଷ ପର୍ଯ୍ୟନ୍ତ ଓଡ଼ିଶା ପରିମଣ୍ତଳ ୨୭୦.୬୩ କୋଟିର ପିଏଲଆଇ ଏବଂ ୧୯୯.୩୫ କୋଟିର ଆରପିଏଲଆଇ କରି ପ୍ରାୟ ୨୧ ଲକ୍ଷ ପଲିସି ଧାରକଙ୍କ ଜୀବନ ବୀମାର ଦାୟିତ୍ବ ନେଇଥିଲେ।

ଚଳିତବର୍ଷ ପର୍ଯ୍ୟନ୍ତ ୨.୧୭ଲକ୍ଷ ଲୋକଙ୍କର ୭୩୨୦.୧୬ କୋଟିର ପିଏଲଆଇ ଏବଂ ୧୧ଲକ୍ଷ ଗ୍ରାମୀଣ ଜନସାଧାରଣଙ୍କର ୬୮୫୭.୧୦ କୋଟିର ଆରପିଏଲଆଇ କରିସାରିଛି। ସର୍ବଭାରତୀୟସ୍ତରରେ  ଡ଼ାକସଚିବ ବିନୀତ ପାଣ୍ତେ ସର୍ବମୋଟ ୮ଟି ବିଭାଗରେ ୨୪ ଜଣଙ୍କୁ ଭରଚ୍ୟୁଆଲ ମୋଡ଼ରେ ପୁରସ୍କାର ବିତରଣ କରିଥିଲେ। ଆଗାମୀ ପାଞ୍ଚ ମାସ ମଧ୍ୟରେ ଆହୁରି ୧ ଲକ୍ଷ ଲୋକଙ୍କୁ ଡ଼ାକଜୀବନ ବୀମାରେ ଅର୍ନ୍ତଭୁକ୍ତ କରି ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ଡ଼ାକ ମଣ୍ତଳ ଯୋଜନା କରିଅଛି। ଉକ୍ତ ସଭାରେ ଡ଼ାକ ପରିମଣ୍ତଳ ଅଫିସର ସମସ୍ତ ଅଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର