ଭୁବନେଶ୍ୱର : ଭାରତୀୟ ଡାକ ବିଭାଗ ପକ୍ଷରୁ ଦଶମ ରାଜ୍ୟସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ‘ଓଡିପେକ୍ସ-୨୦୧୮’ ଡିସେମ୍ବର ୧୫ରୁ ୧୭ ତାରିଖ ଯାଏଁ କେନ୍ଦୁଝରସ୍ଥିତ ରବୀନ୍ଦ୍ର ବିଦ୍ୟା ନିକେତନଠାରେ ଅନୁଷ୍ଠିତ ହେବ। ଯୁବପିଢ଼ିଙ୍କ ମଧ୍ୟରେ ଡାକ ଟିକେଟ ସଂଗ୍ରହ କରିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ତଥା ଡାକ ଟିକେଟ୍ ବା ଷ୍ଟାମ୍ପ ସଂଗ୍ରହ କରୁଥିବା ସଂଗ୍ରାହକଙ୍କୁ ନିଜ ସଂଗୃହୀତ ସାମଗ୍ରୀର ପ୍ରଦର୍ଶନ ପାଇଁ ଏପରି ଆୟୋଜନ କରାଯାଉଛି। ଏଥିରେ ପ୍ରାୟ ୫୦୦ ଡାକ ଟିକେଟ୍ ଫ୍ରେମ୍ ପ୍ରଦର୍ଶିତ ହେବ। ଓଡ଼ିଶାର କୋଣ ଅନୁକୋଣରୁ ଡାକ ଟିକେଟ୍ ସଂଗ୍ରାହକମାନେ ଏଥିରେ ଅଂଶଗ୍ରହଣ କରିବେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିଠି ଲେଖା, ଷ୍ଟାମ୍ପ୍ ଡିଜାଇନିଂ ଓ ଡାକ ଟିକେଟ୍ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଦର୍ଶନୀର ଗୋଟିଏ ଭାଗ ପ୍ରତିଯୋଗିତାମୂଳକ ହେବ। କିଛି ସ୍ୱତନ୍ତ୍ରତା ଥିବା କିମ୍ବା ଆଗରୁ ପୁରସ୍କୃତ ହୋଇଥିବା ସଂଗ୍ରାହକଙ୍କୁ ସେମାନଙ୍କ ସଂଗୃହୀତ ଡାକଟିକେଟ୍ ବିନା ପ୍ରତିଯୋଗିତାରେ ପ୍ରଦର୍ଶିତ କରିବାର ସୁଯୋଗ ଦିଆଯିବ। ପ୍ରଦର୍ଶନୀ ପାଇଁ ଫର୍ମ ସବୁ ମୁଖ୍ୟ ଡାକ ଘର, ଡାକ ଟିକେଟ୍ ସଂଗ୍ରହ ବ୍ୟୁରୋ, କଟକ ଓ ଭୁବନେଶ୍ୱର ଡିଭିଜନ୍ ଅଫିସ୍ରେ ଅଗଷ୍ଟ ୧୬ରୁ ଉପଲବ୍ଧ ହେବ। ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୫ ତାରିଖ ବୋଲି ଆଜି ପିଏମ୍ଜି ଛକସ୍ଥିତ ପୋଷ୍ଟାଲ୍ ରିକ୍ରିଏସନ୍ କ୍ଲବ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୋଷ୍ଟମାଷ୍ଟର ଜେନେରାଲ କରୋନେଲ୍ ଜେ କନ୍ହାର୍, ଡିପିଏସ୍ ଜି ଗୁରୁନାଥନ୍ ଓ ଆକାଉଣ୍ଟ୍ସ୍ ଡାଇରେକ୍ଟର୍ (ପୋଷ୍ଟାଲ୍) ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ଓଡିପେକ୍ସ-୨୦୧୮’ର ଲୋଗୋ ଓ ନିୟମାବଳୀ ଉନ୍ମୋଚିତ ହୋଇଛି।