ରାୟଗଡା: ସାରା ରାଜ୍ୟରେ ଏବେ ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଁ ଆବେଦନ କରୁଥିବା ନେଇ ଖୁଲାସା ହେବା ପରେ ବିଶେଷକରି ପୁଲିସ ଏବଂ ଡାକ ବିଭାଗ ଉପରେ ସମସ୍ତଙ୍କର ନଜର ପଡିଛି। ଡାକ ବିଭାଗରେ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇବା ପାଇଁ ରାଜ୍ୟର ବହୁ ପ୍ରାର୍ଥୀ ବାହାର ରାଜ୍ୟର ୯୦ ପ୍ରତିଶତରୁ ଅଧିକା ସାର୍ଟିଫିକେଟ ଆଣି ଆବେଦନ କରୁଛନ୍ତି। ପିଲାଙ୍କ ଚାହିଦାକୁ ଦେଇ ଏକ ବଡ ରାକେଟ କାମ କରୁଛି। ଏହାର ତଦନ୍ତ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Advertisment

ରାୟଗଡା ଏବଂ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ପାଇଁ ୭୮ଟି ପଦବି ରହିଛି। ସେଥିରୁ ୩୦ଟି ଶାଖା ପୋଷ୍ଟ ମାଷ୍ଟର, ୪୬ଟି ସହକାରୀ ଶାଖା ପୋଷ୍ଟ ମାଷ୍ଟର ଏବଂ ୨ଟି ଡାକସେବକ ପଦବି ରହିଛି। ତେବେ ରାୟଗଡା ପୋଷ୍ଟାଲ ଡିଭିଜନରେ ଏହି ପଦବି ପାଇଁ ବିଭିନ୍ନ ସ୍ଥାନରୁ ପିଲା ନକଲି ସାର୍ଟିଫିକେଟ ଆଣି ଆବେଦନ କରିଥିବା ନେଇ ଜଣାପଡିବା ପରେ ବିଭାଗ ପକ୍ଷରୁ ତଦନ୍ତ ଜୋରସୋରରେ ଚାଲିଛି। ବାହାର ଜିଲ୍ଲାରୁ ଆଣିଥିବା ମ୍ୟାଟ୍ରିକ ସାର୍ଟିଫିକେଟରେ ପ୍ରାୟ ୯୦ରୁ ୯୯ ପ୍ରତିଶତ ପିଲାମାନେ ମାର୍କ ରଖିଛନ୍ତି।

publive-image

ପ୍ରକାଶ ଥାଉକି ପୋଷ୍ଟାଲ ଚାକିରି ପାଇଁ ମ୍ୟାଟ୍ରିକ ପରୀକ୍ଷାର ମାର୍କକୁ ଆଧାର କରି ନିଯୁକ୍ତି ଦିଆଯାଇଥାଏ। ତେବେ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ସରିଯାଇଛି। ପ୍ରଥମ ପର୍ଯ୍ୟାୟରେ ୬୮ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଡକାଯାଇଥିଲା। କିନ୍ତୁ ସେଥିମଧ୍ୟରୁ ମାତ୍ର ୪୫ ଜଣ ହିଁ ଆସି ସାର୍ଟିଫିକେଟ ଯାଞ୍ଚ କରିଥିଲେ। ତେବେ ଆଉ ୨୩ ଜଣ ସାର୍ଟିଫିକେଟ ଯାଞ୍ଚ ପାଇଁ ଆସିଲେ ନାହିଁ। ସାର୍ଟିଫିକେଟ ଯାଞ୍ଚ ପାଇଁଆସିଥିବା ୪୫ ଜଣଙ୍କ ମଧ୍ୟରୁ ୩୦ ଜଣ ମ୍ୟାଟ୍ରିକରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି। ଏଠାରେ ସଂଦେହ ଉଠୁଛି ଯେ ଏତେ ମାର୍କ ଆଣିବା ପରେ କାହିଁକି ଏମାନେ ଯୁକ୍ତ ଦୁଇ ପାଠ ପଢିଲେ ନାହିଁ। କିନ୍ତୁ ଅନ୍ୟଦିଗରେ ୫୦,୬୦, ଏବଂ ୭୦ ପ୍ରତିଶତ ମାର୍କ ଆଣିଥିବା ପିଲାମାନେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସାର୍ଟିଫିକେଟ ଦେଇଥିବା ଜଣାପଡିଛି। ଯାଞ୍ଚ ହୋଇଥିବା ସାର୍ଟିଫିକେଟଗୁଡିକ ମଧ୍ୟରୁ ଯେଉଁମାନେ ୯୦ ପ୍ରତିଶତ ମାର୍କ ଆଣିଛନ୍ତି ସେମାନେ ଉତ୍ତରପ୍ରଦେଶ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶରୁ ସାର୍ଟିଫିକେଟ ଆଣିଥିବା ଜଣାପଡିଛି। ଆଉ ଯେଉଁମାନେ କମ୍ ମାର୍କ ଆଣିଛନ୍ତି ସେମାନେ ଓଡିଶାର ବିଏସସି ବୋର୍ଡରେ ପରୀକ୍ଷା ଦେଇ ପାସ କରିଛନ୍ତି। ସାର୍ଟିଫିକେଟ ଯାଞ୍ଚରେ ଗୁମର ଖୋଲିବାର ସଂଦେହ ରହିଥିବାରୁ ହୁଏତ ଅନ୍ୟ ୨୩ ଜଣ ୟାଞ୍ଚ ପାଇଁ ଆସିନଥିବା ସଂଦେହ କରାଯାଉଛି।

ବାହାର ରାଜ୍ୟରୁ ସାର୍ଟିଫିକେଟ ଖରିଦ କରି ଆଣି ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରୁଥିବା ସଂଦେହ ହେବା ପରେ ଡାକ ବିଭାଗ ତରଫରୁ ଯାଞ୍ଚକୁ କଡାକଡି କରାଯାଉଛି। ଗତ ୩ ତାରିଖରୁ ପୁଣି ଦ୍ବିତୀୟ ପର୍ଯ୍ୟାୟ ଯାଞ୍ଚ ଚାଲିଥିବା ଡାକ ଡିଭିଜନର ସହକାରୀ ଅଧିକ୍ଷକ ସି.ଏଚ ଜବାହାର ରାଓ ପ୍ରକାଶ କରିଛନ୍ତି। ଏଭଳି ଜାଲ ସାର୍ଟିଫିକେଟରେ ବହୁ ପିଲା ଚାକିରି କରୁଥିବା ନଜିର ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେଉଥିବାରୁ ଖସିବାରେ ସହଜ ହେଉଥିବା କୁହାଯାଇଛି।

ତେବେ ଯାଞ୍ଚ ସରିବା ପରେମଧ୍ୟ ପୁଣି ଥରେ ସାର୍ଟିଫିକେଟଗୁଡିକର ଅସଲି ନକଲି ଯାଞ୍ଚ କରାଯିବ।ଯଦି ଏଥିରେ କୌଣସି ହେରଫେର ସାମ୍ନାକୁ ଆସେ, ତେବେ ଥାନାରେ ଏତଲା ଦାୟର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି। ନକଲି ସାର୍ଟିଫିକେଟର ଚେର ଛତିଶଗ଼ଡ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶକୁ ଲମ୍ବିଥିବା କୁହାଯାଇଛି। ଯାଞ୍ଚ ପରେ ହିଁ ଅସଲ ଚିତ୍ର ସାମ୍ନାକୁ ଆସିବ ବୋଲି ବିଭାଗ କହିଛି। ମାର୍କ ଅନୁଯାୟୀ ଚାକିରି ପ୍ରଦାନ କରାଯାଉଥିବାରୁ ପାର୍ଥୀମାନେ ୯୦ରୁ ଉର୍ଦ୍ଧ୍ବ ପ୍ରତିଶତ ମାର୍କ ଆଣିଥିବା ସାର୍ଟିଫିକେଟ ଆଣି ଆବେଦନ କରୁଛନ୍ତି, ଯାହାକୁ ନେଇ ସଂଦେହ ସୃଷ୍ଟି ହେଉଛି।୯୦ରୁ ଉର୍ଦ୍ଧ୍ବ ପ୍ରତିଶତ ମାର୍କ ବାହାର ରାଜ୍ୟର ସାର୍ଟିଫିକେଟଗୁଡିକରେ ଦେଖିବାକୁ ମିଳିଥିବା ଜଣାପଡିଛି। ଜାଲ ସାର୍ଟିଫିକେଟ ଯୋଗୁଁ ଅସଲ ପିଲା ବାଦ ପଡିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।