ଡାକ ବିଭାଗର ଅଭିନବ ପ୍ରୟାସ : ଘରେ ପହଞ୍ଚିବ ଡିଜିଟାଲ ବ୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର : ସାରା ଦେଶରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ(ଆଇପିପିବି)। ଏହାଦ୍ୱାରା ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆସିବ। ଡାକ କର୍ମଚାରୀମାନେ ଲୋକଙ୍କ ଘରକୁ ଯାଇ ଡିଜିଟାଲ ବ୍ୟାଙ୍ଗିଙ୍ଗ୍‌ ସେବା ଯୋଗାଇ ଦେବେ। ଡାକ ବିଭାଗ ଅଧୀନରେ ଆଇପିପିବିକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଚଳିତ ମାସରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ସାରା ଦେଶରେ ଏହାର ୬୫୦ଟି ବ୍ରାଞ୍ଚ ଖୋଲିବ। ଏଥିରେ ଓଡ଼ିଶାର ୩୩ଟି ବ୍ରାଞ୍ଚ ରହିବ। ଏଥିପାଇଁ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ଆସନ୍ତା ଏକ ମାସ ମଧ୍ୟରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଓଡ଼ିଶା ପରିମଣ୍ଡଳର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ଡ. ସନ୍ତୋଷ କୁମାର କମିଳା କହିଛନ୍ତି।

ସେ କହିଛନ୍ତି ଯେ, ଏଣିକି ସାରା ଓଡ଼ିଶାର ବିଦ୍ୟୁତ୍‌ ଉପଭୋକ୍ତା ଡାକଘରେ ବିଜୁଳି ବିଲ୍‌ ପଇଠ କରିପାରିବେ। ନେସ୍‌କୋ, ସାଉଥ୍‌କୋ, େଓ୍ଵସ୍‌କୋର ଗ୍ରାହକମାନେ କିଛି ମାସ ହେଲା ଡାକଘରେ ବିଦ୍ୟୁତ୍‌ ଓ ପାଣି ବିଲ୍‌ ପଇଠ କରିପାରୁଛନ୍ତି। ଏହି ସେବାକୁ ଅଧିକ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ହୋଇଛି। ସେସୁ ଅଧୀନରେ ଥିବା ଗ୍ରାହକମାନେ ଏଣିକି ଡାକଘରେ ବିଜୁଳି ବିଲ୍‌ ପଇଠ କରିପାରିବେ। ଏନେଇ ଆସନ୍ତା ୨୨ ତାରିଖରେ ଭାରତୀୟ ଡାକ ବିଭାଗର ଓଡ଼ିଶା ପରିମଣ୍ଡଳ ଓ ସେସୁ ମଧ୍ୟରେ ରାଜିନାମା ହେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା ପରିମଣ୍ଡଳର ସଫଳତା ନେଇ ଶ୍ରୀ କମିଳା କହିଥିଲେ ଯେ ୨୦୧୭-୧୮ରେ ୧୭,୬୭,୧୭୬ଟି ନୂଆ ସେଭିଙ୍ଗ୍‌ସ ବ୍ୟଙ୍କ ପାସ୍‌ବୁକ ଖୋଲାଯାଇ ୩୧୮ କୋଟି ଟଙ୍କାର ସେଭିଙ୍ଗସ୍‌ ବ୍ୟାଙ୍କ ରେଭିନ୍ୟୁ ହାସଲ କରାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାରେ ୭୨,୨୬୦ଟି ଆକାଉଣ୍ଟ ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୨୪,୯୧୩ଟି ଆକାଉଣ୍ଟ ଖୋଲିଛି। ପୋଷ୍ଟାଲ ଲାଇଫ୍‌ ଇନ୍ୟୁରାନ୍ସରେ ଘରୋଇ କର୍ମଚାରୀ(ପ୍ରଫେସନାଲ)ମାନଙ୍କୁ ସାମିଲ କରାଯାଇଛି। ପୂର୍ବରୁ କେବଳ ସରକାରୀ କର୍ମଚାରୀଙ୍କ ଲାଗି ଏହା ଲାଗୁ ହେଉଥିଲା।

ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ଏବେ ସୁଦ୍ଧା ୪୭୩ଟି ପୋଷ୍ଟ ଅଫିସରେ ନୂତନ ଆଧାର ଓ ନବୀକରଣ ସେବା ଆରମ୍ଭ କରିଛି। ସମସ୍ତ ପେଷ୍ଟ ଅଫିସରେ ଆଧାର ସୁବିଧା ଉପଲବ୍ଧ କରାଯିବ। ପୂର୍ବରୁ ରାଉରକେଲା, ସମ୍ବଲପୁର ଓ କୋରାପୁଟରେ ପୋଷ୍ଟ ଅଫିସ୍‌ ପାସ୍‌ପୋର୍ଟ ସେବା କେନ୍ଦ୍ର ରହିଥିଲା। ୨୦୧୭-୧୮ରେ ବାଲେଶ୍ୱର, ବ୍ରହ୍ମପୁର, ବାରିପଦା ଓ ଭବାନୀପାଟଣାରେ ସେବା କେନ୍ଦ୍ର ଖୋଲିଛି। ଏହାଦ୍ୱାରା ଲୋକଙ୍କୁ ପାସ୍‌ପୋର୍ଟ କରିବା ଲାଗି ଭୁବନେଶ୍ୱରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଲୋକେ ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ଉକ୍ତ ୭ଟି ସହରର ମୁଖ୍ୟ ପୋଷ୍ଟ ଅଫିସରେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିପାରିବେ।

ଡାକ ସେବାକୁ ଆଧୁନିକୀକରଣ କରିବା ସହ ଘର ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼ ଓ ଝାରସୁଗୁଡ଼ାରେ ୨୬୧୧ଟି ଶାଖା ଡାକଘରେ ଦର୍ପଣ ଯୋଜନା ପ୍ରଚଳନ ହୋଇଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ କମ୍ପ୍ୟୁଟର ଦ୍ୱାରା ସେବା ଯୋଗାଇ ଦିଆଯାଉଛି। ସେହିପରି ସମସ୍ତ ଡାକଘର ଆରଏମ୍‌ଏସ୍‌ ଓ ସିଏସ୍‌ଆଇ ଯୋଜନାର ପ୍ରଚଳନ କରିବା ସହ ୧୦୨୪ଟି ଡାକଘରେ ସିବିଏସ୍‌(କୋର ବ୍ୟାଙ୍କିଙ୍ଗ୍‌ ସର୍ଭିସ୍‌) ସୁବିଧା ଉପଲବ୍ଧ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର