୨୯ରେ ରାଜ୍ୟ ସଂଗ୍ରହାଳୟରେ ଖୋଲିବ ପୋଷ୍ଟାଲ ଗ୍ୟାଲେରି

ଭୁବନେଶ୍ବର : ରାଜ୍ୟ ସଂଗ୍ରହାଳୟରେ ଖୋଲିବ ପୋଷ୍ଟାଲ ଗ୍ୟାଲେରି। ଓଡ଼ିଶା ମୁଖ୍ୟ ଡାକ ପରିମଣ୍ଡଳ ଓ ରାଜ୍ୟ ସଂଗ୍ରହାଳୟର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୯ତାରିଖରେ ଏହାର ଉଦ୍‌ଘାଟନ କରାଯିବ। ପୁରୁଣା ସମୟରେ ପ୍ରଚଳିତ ଡାକ ସେବା ଓ ଏହାର ଇତିହାସକୁ ଲୋକଲୋଚନକୁ ଆଣିବା ହେଉଛି ଏହି ଗ୍ୟାଲେରିର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମହାଡାକପାଳ ସନ୍ତୋଷ କାମିଲା କହିଲେ, ପୋଷ୍ଟାଲ ଗ୍ୟାଲେରିରେ ଭିକ୍ଟୋରିଆ ମୁକୁଟ ଥିବା ପୁରୁଣା ଡାକ ବାକ୍ସ, ମୋର୍ସ ମେସିନ୍ ସହ ରାଜ୍ୟରେ ଉନ୍ମୋଚିତ ହୋଇଥିବା ସ୍ମରଣୀୟ ଓ ସ୍ବତନ୍ତ୍ର କଭର, ପୁରୁଣା ଷ୍ଟାମ୍ପ, ସିଲ, କ୍ୟାସବ୍ୟାଗ୍, ପୋଷ୍ଟମ୍ୟାନ୍‌ଙ୍କ ବିଭିନ୍ନ ୟୁନିଫର୍ମ ଓ ଅନ୍ୟାନ୍ୟ ପୁରୁଣା ସାମଗ୍ରୀ ସ୍ଥାନ ପାଇବ। ଏଥିପାଇଁ ରାଜ୍ୟରେ ଥିବା ବିଭିନ୍ନ ଡାକଘର ଗୁଡ଼ିକରୁ ପୁରୁଣା ସାମଗ୍ରୀ ଉଦ୍ଧାର କରାଯାଇ ଏହି ଗ୍ୟାଲେରିରେ ରଖାଯାଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ ଜନ୍ମବାର୍ଷିକୀ ଉପଲକ୍ଷେ ଗ୍ୟାଲେରିରେ ଗାନ୍ଧୀଜୀଙ୍କ ସଂପର୍କିତ ଡାକଟିକଟ ସ୍ଥାନ ପାଇବ। ଏହାସହ ଗାନ୍ଧୀଜୀଙ୍କ ଉପରେ ସ୍ବତନ୍ତ୍ରଭାବେ ଏକ ଟିକଟ ପ୍ରଦର୍ଶନୀ ମଧ୍ୟ କରାଯିବ। ସେହିପରି ସ୍ବାଧୀନତା ସଂଗ୍ରାମୀ ସହିଦ ବାଜି ରାଉତ ଓ ବକ୍ସି ଜଗବନ୍ଧୁଙ୍କ ଉଦ୍ଦେଶ୍ୟରେ ଡାକ ବିଭାଗ ପକ୍ଷରୁ ମଧ୍ୟ ଦୁଇଟି ସ୍ବତନ୍ତ୍ର କଭର ଉ‌ନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ କାମିଲା ସୂଚନା ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଡାକସେବା ନିର୍ଦେଶକ ଜି.ଗୁରୁନାଥନ, ପିଏମଜି ବ୍ରହ୍ମପୁରର ଜଳେଶ୍ବର କହଁର ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର