୫ ଡିଭିଜନ୍‌ରେ ଡାକସେବା ପ୍ରଭାବିତ : ଜିପିଓ ଓ ଅଶୋକ ନଗର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ, ଅନ୍ୟ ସ୍ଥାନରେ ମାନୁଆଲି ଚାଲିଛି କାମ

ଭୁବନେଶ୍ବର : ‘ଫନି’ ଯୋଗୁଁ ରାଜ୍ୟରେ ଡାକସେବା ପ୍ରଭାବିତ ହୋଇଛି। ବିଦ୍ୟୁତ୍ ଓ ଇଣ୍ଟରନେଟ୍ ପାଇଁ ୫ ଡିଭିଜନ୍‌ରେ ଡାକସେବା ବାଧାପ୍ରାପ୍ତ ହୋଇଛି। ରାଜଧାନୀର ଜିପିଓ ଓ ଅଶୋକ ନଗରକୁ ବାଦ୍ ଦେଲେ ଅନ୍ୟ ସବୁ ଡାକଘରେ ମାନୁଆଲି କାମ ହେଉଥିବା ସୂଚନା ମିଳିଛି। ବ୍ୟବସ୍ଥାରେ ସୁଧାର ଆସିବା ପାଇଁ ଆହୁରି ଦିନେ କିମ୍ବା ଦୁଇ ଦିନ ସମୟ ଲାଗିବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି।

ପୁରୀ, ଭୁବନେଶ୍ବର, କଟକ ସିଟି, କଟକ ନର୍ଥ ଓ ସାଉଥ ଡିଭିଜନ୍ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ପୁରୀ ଡିଭିଜନ୍‌ରୁ ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ସଂପର୍କରେ କୌଣସି ସୂଚନା ବିଭାଗ ନିକଟରେ ପହଞ୍ଚି ପାରିନାହିଁ। ଭୁବନେଶ୍ବର ଡଭିଜନ୍‌ର କିଛି ଡାକଘରେ ପାଚେରି ଭାଙ୍ଗି ଯାଇଛି। ଡାକଘର ଇଣ୍ଟରନେଟ୍ ଦ୍ବାରା ଯୋଡ଼ି ହୋଇଥିବାରୁ କୌଣସି ପ୍ରକାର ବୁକିଂ ସମ୍ଭବ ହେଉନାହିଁ। ଯାହାଫଳରେ ସ୍ପିଡ୍ ପୋଷ୍ଟଠାରୁ ଆରମ୍ଭ କରି ରେଜିଷ୍ଟ୍ରି ପୋଷ୍ଟ ଓ ଅନ୍ୟ ଅର୍ଥନୈତିକ କାରବାର ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ବାତ୍ୟା ଯୋଗୁଁ ଯେଉଁସବୁ ପାର୍ସଲ ବଣ୍ଟନ ହୋଇପାରି ନ ଥିଲା ତାହା ଆଜିଠାରୁ ଆରମ୍ଭ ହୋଇଛି।

ଭୁବନେଶ୍ବର ଡିଭିଜନ୍‌ ଅଧୀନରେ ୮୬ଟି ଡାକଘର ରହିଛି। ତହିଁରୁ ରାଜଧାନୀରେ ୪୪, ଖୋର୍ଧା ମୁଖ୍ୟ ଡାକଘର ଅଧୀନରେ ୩୫ ଓ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଡାକଘର ରହିଛି। ଏଥିରୁ କେବଳ ଜିପିଓ ଓ ଅଶୋକ ନଗର ସଂପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ। ଅନ୍ୟ ଡାକଘରଗୁଡ଼ିକରେ ମାନୁଆଲି କାମ କରାଯାଉଛି। ଜିପିଓରେ ପ୍ରତିଦିନ ୨ହଜାରରୁ ଅଧିକ ବୁକିଂ ହେଉଥିବା ବେଳେ ତାହା ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଭୁବନେଶ୍ବର ଡିଭିଜନ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀରେ ଥିବା ଉଦ୍ୟାନ ମାର୍ଗ, ଜିପିଓ, ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍ କଲୋନି, ୟୁନିଟ୍-୪ ପୋଷ୍ଟାଲ କଲୋନି, ବାଣୀ ବିହାର ପୋଷ୍ଟାଲ କଲୋନିରେ ଥିବା ଡାକଘର ପାଚେରି ଭୁଶୁଡ଼ି ପଡ଼ିଛି। ସିବିଏସ୍‌ ବା କୋର ବ୍ୟାଙ୍କିଙ୍ଗ ସେବା ଇଣ୍ଟରନେଟ୍ ଯୋଗୁଁ କାର୍ଯ୍ୟକାରୀ ହୋଇପାରୁ ନାହିଁ। ତେଣୁ ଡାକସେବାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ବିଏସ୍‌ଏନ୍‌ଏଲ୍ କର୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି। ଆସନ୍ତା ୧/୨ଦିନ ମଧ୍ୟରେ ଇଣ୍ଟରନେଟ୍‌ର ସୁବିଧା ମିଳିବ ବୋଲି ଆଶା କରାଯାଉଛି। ହାୱଡା, ହାଇଦ୍ରାବାଦ ଅଞ୍ଚଳରୁ ଯେଉଁସବୁ ପାର୍ସଲ ଆସୁଛି ତାହାର ମାନୁଆଲି ଏଣ୍ଟ୍ରି କରାଯାଇ ବଣ୍ଟା ଯାଉଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର