ସଫ୍ଟଓ୍ଵୟାର ମାଇଗ୍ରେସନ ସାଜିଛି ବୁମେରାଂ : ସାରା ଦେଶରେ ଡାକ ସେବା ବିପର୍ଯ୍ୟସ୍ତ

ଅଟିକିଛି ବହୁ ଗୁରୁତ୍ୱପୂର୍ଣ୍ଣ ସେବା, ସ୍ପିଡପୋଷ୍ଟ ପାଇଁ ଲାଗୁଛି ପାଞ୍ଚଘଣ୍ଟା

ଭୁବନେଶ୍ୱର : ବର୍ତମାନ ସମୟରେ ଡାକସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଭାରତୀୟ ଡାକବିଭାଗ କର୍ତୃପକ୍ଷ ଡାକ ବିଭାଗର ସଫ୍ଟେଓ୍ଵୟାର ମାଇଗ୍ରେସନ(କୋର ସିଷ୍ଟମ ଇଣ୍ଟିଗ୍ରେଟର) ବ୍ୟବସ୍ଥାକୁ ଆପଣାଇଛନ୍ତି। କିନ୍ତୁ ଏହି ମାଇଗ୍ରେସନ ବ୍ୟବସ୍ଥା ଡାକ ବିଭାଗ ତଥା ଜନସାଧାରଣଙ୍କ ପାଇଁ ବୁମେରାଂ ପାଲଟିଛିି। ଏହି ସଫ୍ଟଓୟାର ମାଇଗ୍ରେସନ ବ୍ୟବସ୍ଥା ପାଇଁ ସାରା ଦେଶରେ ଡାକ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ଦୁର୍ଦଶା ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସମସ୍ତ ଡାକଘରଗୁଡ଼ିକରେ ଦେଖିବାକୁ ମିଳିଛି।

ରାଜଧାନୀର ଛାତି ଉପରେ ଥିବା ଜିପିଓର ସ୍ଥିତି ଦୟନୀୟ ହୋଇପଡ଼ିଛି। ପୋଷ୍ଟାଲ ଅର୍ଡର, ପ୍ଲେଜ ଭଳି ବହୁ ଦରକାରୀ ସେବା ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। । ସାଧାରଣ ସ୍ପିଡ୍‌ ପୋଷ୍ଟ ବା ରେଜିଷ୍ଟ୍ରି ପୋଷ୍ଟ ପାଇଁ ଗ୍ରାହକଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଛି। ଏପରିକି ବହୁ ଗ୍ରାହକ ସେବା ନପାଇ ଫେରିଯାଉଥିବା ଦେଖିବାକୁ ମିଳୁଛି।

ରାଜଧାନୀରେ ଥିବା ସମୁଦାୟ ୩୪ଟି ସବ୍‌ ପୋଷ୍ଟ ଅଫିସ୍‌ରେ ଯାନ୍ତ୍ରିକ ବିଶେଷଜ୍ଞମାନଙ୍କର ଅଭାବ ଥିବାରୁ ସେଠାରେ କାମ ଏକପ୍ରକାର ଠପ୍‌ ହୋଇଯାଇଛି। ଏଥିସହିତ ରାଜଧାନୀର ଆଖପାଖ ଅଞ୍ଚଳରେ ଥିବା ୨୨ଟି ପୋଷ୍ଟ ଅଫିସ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଫଳରେ ରାଜଧାନୀର ମୁଖ୍ୟ ଡାକ ଘରେ ସବୁଦିନେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଏପରିକି ସଚିବାଳୟ ପରିସରରେ ଥିବା ଡାକଘରେ ମଧ୍ୟ ଏଭଳି ସ୍ଥିତି ଥିବାରୁ ସଚିବାଳୟର ଚିଠିପତ୍ର ମୁଖ୍ୟ ଡାକ ଘରୁ ପଠାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମୁଖ୍ୟ ଡାକ ଘରେ ମାତ୍ର ୩ଟି କାଉଣ୍ଟର ଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି। ବହୁ ସମୟ ଧରି ଭିଡ଼ ମଧ୍ୟରେ ଛିଡ଼ା ହୋଇ ଗ୍ରାହକମାନେ ଶେଷରେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି।

ଦୈନିକ ବହୁ ସଂଖ୍ୟାରେ ମହିଳା ଓ ବରିଷ୍ଠ ନାଗରିକଙ୍କ ଭିଡ଼ ଜମୁଥିଲେ ମଧ୍ୟ ସୋମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରା ନଯିବାରୁ ସେମାନେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଡାକ ବିଭାଗ ବର୍ତମାନ ବ୍ୟାଙ୍କିଙ୍ଗ୍‌ ସେବା ଆଡ଼କୁ ମୁହାଁଇଥିବା ବେଳେ ଏହି ମାଇଗ୍ରେସନ ପାଇଁ ଇ ପେମେଣ୍ଟ୍‌ ବ୍ୟବସ୍ଥା ମଧ୍ୟ ଠିକ ଭାବେ କାର୍ଯ୍ୟ କରୁନଥିବା ଦେଖାଯାଛି। ଯାହା ଆଲୋଚନାର ବିଷୟ ପାଲଟିଛି। ଏହି ସଫ୍ଟଓୟାର ସେବା ଟିସିଏସ୍‌ ପ୍ରଦାନ କରୁଥିବା ବେଳେ ଏନେଇ କମ୍ପାନି କର୍ତୃପକ୍ଷ ଚୁପ୍‌ ରହିଛନ୍ତି।

ଏପରି ଅଚଳାବସ୍ଥା ନେଇ ଭୁବନେଶ୍ୱରର ମୁଖ୍ୟ ଡାକ ଘରର ବରିଷ୍ଠ ଡାକପାଳ ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ସଫ୍ଟଓୟାର ମାଇଗ୍ରେସନ ସମସ୍ୟା ନେଇ ଆମେ ଅବଗତ ଅଛୁ। ଏଥିପାଇଁ ଆମକୁ ଓଭର ଟାଇମ୍‌ ମଧ୍ୟ କରିବାକୁ ପଡ଼ୁଛି।ବର୍ତମାନ ପରିସ୍ଥିତିରେ ବିଭାଗୀୟ କର୍ତୃପକ୍ଷ କେତେକ ସେବା ଯୋଗାଇବାକୁ ଅସମର୍ଥ ଥିମା ଶ୍ରୀ ପାତ୍ର ସ୍ୱୀକାର କରିଥିବା ବେଳେ କେବେ ଏହି ସମସ୍ୟାର ସମାଧାନ ହେବ ସେ ନେଇ କୌଣସି ସୂଚନା ବିଭାଗୀୟ କର୍ତୃପକ୍ଷ ଦେଇ ପାରିନାହାନ୍ତି।

ସମ୍ବନ୍ଧିତ ଖବର