ଓଡ଼ିଶାରେ ଡାକସେବା ଠପ୍‌ : ତିନି ଦିନ ହେଲା ଡାକଘରେ ପଡ଼ିରହିଛି ଚିଠି, ୭,୦୦୮ ଶାଖା ଡାକଘର ପ୍ରଭାବିତ

ଭୁବନେଶ୍ୱର : ଓଡ଼ିଶାରେ ଡାକ ସେବା ଠପ୍‌। ତିନି ଦିନ ହେଲା ଡାକ ମାଧ୍ୟମରେ ଚିଠି ଯାଇପାରୁନି। ସବୁ ଡାକଘରେ ଜମା ହୋଇ ରହିଛି ହଜାର ହଜାର ଚିଠି। ଡାକଘରେ ପଡ଼ି ରହିଥିବା ଚିଠି ଲୋକଙ୍କ ପାଖରେ ପହଞ୍ଚିପାରୁନି। ରାଜ୍ୟରେ ଥିବା ୭,୦୦୮ଟି ଶାଖା ଡାକଘର ମଧ୍ୟରୁ ୯୫ ପ୍ରତିଶତ ଡାକଘରେ ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

କେବଳ ଓଡ଼ିଶା ନୁହେଁ, ସାରାଦେଶରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି। ଗତ ୨୨ ତାରିଖଠାରୁ ୨ ଲକ୍ଷ ୬୫ ହଜାର ଡାକ ସେବକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟରେ ସାମିଲ ହୋଇଛନ୍ତି। ଏଥିସହ ଗତକାଲିଠାରୁ ଦେଶର ପ୍ରାୟ ଏକ ଲକ୍ଷ ୮୦ ହଜାର ପୋଷ୍ଟମ୍ୟାନ୍‌ ଓ ଏମ୍‌ଟିଏସ୍‌ (ମଲ୍‌ଟି ଟାସ୍କିଂ ଷ୍ଟାଫ୍‌) ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯେଉଁଥିପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଡାକସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଓଡ଼ିଶାରେ ଡାକମଣ୍ଡଳର ସମସ୍ତ ପୋଷ୍ଟମ୍ୟାନ୍‌ ଓ ଏମ୍‌ଟିଏସ୍‌ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ତେଣୁ ଡାକମଣ୍ଡଳରେ ଡାକସେବା ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସମସ୍ତ କର୍ମଚାରୀ ସାମିଲ ହୋଇଥିବାରୁ ସ୍ଥିତି ଆଗକୁ ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।

ଏଆଇପିଇୟୁ-ପିଏମ୍‌ର ମଣ୍ଡଳ ସମ୍ପାଦକ ସୁଧୀର କୁମାର ସ୍ୱାଇଁଙ୍କ କହିବାନୁଯାୟୀ ୩ ଦିନର ଆନ୍ଦୋଳନ ପରେ ବି ସରକାରଙ୍କ ନିଦ ଭାଙ୍ଗିନି। ତେଣୁ କର୍ମଚାରୀମାନେ ଜିଦ୍‌ରେ ଅଟଳ ଅଛନ୍ତି। ସରକାରଙ୍କ ଭେଦଭାବ ନୀତି ବିରୁଦ୍ଧରେ କର୍ମଚାରୀଙ୍କ ଅସନ୍ତୋଷ ବଢ଼ିଚାଲିଛି। କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନେ ୨୦୧୬ ଜାନୁଆରି ୧ରୁ ସପ୍ତମ ବେତନ କମିସନ ପାଇସାରିଥିବା ବେଳେ ୩ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କୁ କାହିଁକି ସେଥିରୁ ବଞ୍ଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ତୁରନ୍ତ ଦାବି ପୂରଣ କରା ନ ଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ ରୂପ ନେବ, ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି।

ଓଡ଼ିଶା ପରିମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଡ. ସନ୍ତୋଷ କୁମାର କମିଳାଙ୍କ କହିବାନୁଯାୟୀ ତିନି ଦିନ ହେଲା ଡାକସେବା ବନ୍ଦ ହୋଇଛି। ୭୦୦୮ଟି ଶାଖା ଡାକଘର ମଧ୍ୟରୁ ପାଖାପାଖି ୬୮୦୦ ବନ୍ଦ ହୋଇଛି। କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ୧୨୦୬ଟି ଡିପାର୍ଟମେଣ୍ଟାଲ ପୋଷ୍ଟଅଫିସ୍‌ ବନ୍ଦ ହୋଇନି। ସବୁଠି ଚାଲୁରହିଛି। କିନ୍ତୁ ଚିଠି ବଣ୍ଟା ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର