ଭୁବନେଶ୍ବର: ସବୁଠୁ ଭରସାଯୋଗ୍ୟ ଡାକ ସେବା ଲୋକମାନଙ୍କ ବିଶ୍ବାସ ହରାଇଛି। ନିଜ କାମ ଲାଗି ଡାକଘରକୁ ଯାଇଥିବା ଶହ ଶହ ଲୋକ ନିରାଶ ହୋଇ ଫେରୁଛନ୍ତି। ଟଙ୍କା ଜମା ହୋଇପାରୁନାହିଁ କି ବୀମା ବାବଦ ପଇସା ପଇଠ କରାଯାଇପାରୁନାହିଁ। ଲୋକମାନେ ନିଜ ଖାତାରୁ ଟଙ୍କା ଉଠାଇପାରୁନାହାନ୍ତି। ଅନ୍ଲାଇନ୍ରେ ହେଉଥିବା କୌଣସି କାମ ଡାକଘରେ ହୋଇପାରୁନାହିଁ। ଲିଙ୍କ୍ ଫେଲ୍ ହୋଇଥିବାରୁ ତିନି ଦିନ ଧରି ଡାକ ସେବା ଠପ୍ ହୋଇଯାଇଛି। କେବଳ କିଛି ହାତଗଣତି ଅଞ୍ଚଳ ନୁହେଁ, ଏହାର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହୋଇଛି। ଲୋକମାନେ ଡାକ ସେବାକୁ ନେଇ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ଡାକ ସେବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସେବାରେ ଏଭଳି ବିଭ୍ରାଟ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି।
ଏ ସମ୍ପର୍କରେ ଡାକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ଥିବା ୧୨୧୫ଟି ଡାକଘର ମଧ୍ୟରୁ ୩୦୦ରୁ ଅଧିକ ଡାକଘରର ଲିଙ୍କ୍ ଫେଲ୍ ହୋଇଛି। ସେଥିପାଇଁ ଅନ୍ଲାଇନ୍ରେ ହେଉଥିବା ଆର୍ଥିକ କାରବାରଗୁଡ଼ିକ ସମ୍ଭବ ହେଉନାହିଁ। ଯେଉଁ ଗ୍ରାହକମାନେ ଏହି କାମ ପାଇଁ ଆସୁଛନ୍ତି, ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। କିନ୍ତୁ ସ୍ପିଡ୍ ପୋଷ୍ଟ୍, ରେଜିଷ୍ଟ୍ରି ପୋଷ୍ଟ ଓ ପାର୍ସଲ୍ ସେବାରେ କୌଣସି ବିଭ୍ରାଟ ହୋଇ ନଥିବା ସେ କହିଛନ୍ତି। ଯେହେତୁ ଏହି ସେବାଗୁଡ଼ିକ ଭିନ୍ନ ଏକ ସିଷ୍ଟମ୍ ଦ୍ବାରା ପରିଚାଳିତ ହେଉଛି, ସେଥିପାଇଁ ତାହା ପ୍ରଭାବିତ ହୋଇ ନଥିବା ସେ କହିଛନ୍ତି।
ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ନିରାଶ ହୋଇ ଫେରୁଛନ୍ତି ଗ୍ରାହକ
ହୋଇପାରୁନି ଟଙ୍କା ଜମା, ଉଠାଣ
ଲିଙ୍କ୍ ଫେଲ୍ ସମ୍ପର୍କରେ ସେ କହିଛନ୍ତି ଯେ ଡାକଘରଗୁଡ଼ିକୁ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବା ଲାଗି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)କୁ ଦାୟିତ୍ବ ଦିଆଯାଇଛି। ତାହା ଏକ ତୃତୀୟ ପକ୍ଷ ସଂସ୍ଥା ଜରିଆରେ ସେହି କାର୍ଯ୍ୟ ସମ୍ପାଦନ କରୁଥିଲା। ମାତ୍ର କୌଣସି କାରଣ ଯୋଗୁଁ ଉକ୍ତ ସଂସ୍ଥା ଲିଙ୍କ୍ ସେବା ବନ୍ଦ କରିଦେଇଥିବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି। ଯେଉଁ ଡାକଘରଗୁଡ଼ିକର ଲିଙ୍କ୍ ଫେଲ୍ ହୋଇଛି ସେଠାକୁ ଯାଇଥିବା ଲୋକମାନେ ଲିଙ୍କ୍ ଥିବା ଅନ୍ୟ ଡାକଘରଗୁଡ଼ିକରେ ପହଞ୍ଚି ସେବା ହାସଲ କରିବା ପରେ ସେହି ଡାକଘରଗୁଡ଼ିକ ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଛି। ଫଳରେ ସେଠାରେ କାମ ଯେଭଳି ସ୍ବାଭାବିକ ହେବା କଥା ତାହା ହୋଇପାରୁନାହିଁ। ସିଷ୍ଟମ୍ ମନ୍ଥର ହୋଇପଡ଼ିବାରୁ କାମ ବହୁତ ବିଳମ୍ବ ହେଉଛି। ଏଭଳି ବଡ଼ ଧରଣର ଲିଙ୍କ୍ ଫେଲ୍ର ମୁକାବିଲା କରିବା ଲାଗି ଟେଲିକମ୍ କର୍ତ୍ତୃପକ୍ଷ ପ୍ରସ୍ତୁତ ନଥିବାରୁ ସମସ୍ୟାର ଶୀଘ୍ର ସମାଧାନ ହୋଇପାରୁନାହିଁ। ପ୍ରଭାବିତ ଡାକଘରଗୁଡ଼ିକରେ ଯେଭଳି ଶୀଘ୍ର ଲିଙ୍କ୍ ଫେରିଆସିବ ସେଥିପାଇଁ ଡାକ ବିଭାଗ ଓ ଟେଲିକମ୍ କମ୍ପାନିର ଅଧିକାରୀମାନଙ୍କୁ ନେଇ ଏକ ସମନ୍ବୟ କମିଟି ଗଠନ କରାଯାଇଛି। ରବିବାର ସୁଦ୍ଧା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବା ଦିଗରେ ଟିମ୍ କାମ କରୁଛନ୍ତି। ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁର ଭଳି ଅଞ୍ଚଳର ପ୍ରମୁଖ ଡାକଘରଗୁଡ଼ିକରେ ଲିଙ୍କ୍ ସ୍ବାଭାବିକ ହୋଇଥିବା ସେ ଦାବି କରିଛନ୍ତି।