ମାଲକାନଗିରି ପରେ ଏବେ ରାୟଗଡ଼ା : ମାଓ ବିରୋଧୀ ଅଭିଯାନର ମୂଳଦୁଆ ପଡ଼ିଲା

ସ୍ୱର ଉଠାଇଲା ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ, ସୁରକ୍ଷା ନାଁରେ ଶୋଷଣ ବନ୍ଦ କର

ରାୟଗଡ଼ା : ଦିନକୁ ଦିନ ମାଓବାଦୀଙ୍କ ବିରୋଧରେ ଉଠୁଛି ସ୍ବର । ମାଲକାନଗିରି ଜିଲ୍ଲାରେ ଉତ୍ତ୍ୟକ୍ତ ଗ୍ରାମବାସୀ ସିଧାସଳଖ ମାଓବାଦୀଙ୍କୁ ମୁକାବିଲା କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏହିଭଳି ଦୃଶ୍ୟ ଏବେ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁ ଡଙ୍ଗରିଆଙ୍କୁ ଢାଲ କରି ମାଓବାଦୀ ପୁଲିସକୁ ବିରୋଧ କରି ଆସୁଥିଲେ, ଏବେ ସେମାନେ ବିକାଶକୁ ସମର୍ଥନ କରିଛନ୍ତି। ସେମାନଙ୍କ ସହଯୋଗରେ ଏକ ରାସ୍ତାକାମ ମଧ୍ୟ ଆରମ୍ଭ ହୋଇଛି। ଏଥିସହିତ, ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକ୍‌ ସଦର ମହକୁମା ଓ ପାର୍ସାଲି ପଞ୍ଚାୟତରେ ଲାଗିଥିବା ମାଓ ବିରୋଧୀ ପୋଷ୍ଟର ବି ଦେଖିବାକୁ ମିଳିଛି।

ନିୟମଗିରିରେ ବିକାଶକୁ ବିରୋଧ କରି ଜାନୁଆରି ୨୧ ତାରିଖ ରାତିରେ ମାଓବାଦୀ ଗୁମ୍ମା ଠିକା କ୍ୟାମ୍ପରେ ୩ଟି ଗାଡ଼ି ପୋଡ଼ିଦେବା ସହ ମିକ୍ସଚର୍ ମେସିନକୁ ଏକ ଗାତରେ ପକାଇ ଦେଇଥିଲେ। ଏଥିସହିତ ରାସ୍ତା କାମକୁ ସମର୍ଥନ କରୁଥିବା ୪ ଡଙ୍ଗରିଆ ଯୁବକଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପୋଷ୍ଟରରେ ଚେତାବନୀ ଦେଇଥିଲେ। ଟାର୍ଗେଟରେ ଥିବା ଯୁବକଙ୍କୁ ଅପହରଣ କରି ମୁଣ୍ଡ ଜାମିନ୍ ରଖିବାକୁ ଉଦ୍ୟମ କରିଥିଲେ। ଏହି ଯୋଜନାରେ ସଫଳ ହୋଇନଥିଲେ। ତେବେ, ଗାଡ଼ି ପୋଡ଼ିବା ସହ ପୋଷ୍ଟରରେ ମାଓବାଦୀ ଦେଇଥିବା ମୃତ୍ୟୁଦଣ୍ଡ ଚେତାବନୀକୁ ଡଙ୍ଗରିଆ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହାର ନେତୃତ୍ବ ନେଇଛି ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ। ମଞ୍ଚ ଅଭିଯୋଗ କରିଛି ଯେ, ନିୟମଗିରିର ବିକାଶ ନାଁରେ ମାଓବାଦୀ ଡଙ୍ଗରିଆଙ୍କୁ ଶୋଷଣ କରୁଥିବାରୁ ସେମାନଙ୍କୁ ବିରୋଧ ପାଇଁ ନିଷ୍ପତ୍ତି ନିଆଯାଇଛି। ମାଓବାଦୀଙ୍କ ପ୍ରଭାବ ଯୋଗୁ ବନ୍ଦ କରିଥିବା ବିକାଶମୂଳକ କାର୍ଯ୍ୟ ଆଗକୁ କିଭଳି ହୋଇପାରିବ, ତାହାକୁ ବି ଅଗ୍ରାଧିକାର ଦେଇଛନ୍ତି।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳବାସୀଙ୍କ ଅନୁରୋଧକ୍ରମେ ପୁଣିଥରେ ରାସ୍ତା କାମ ଆରମ୍ଭ ହୋଇଛି। ଲାଖପଦରରୁ ଗୁମ୍ମାକୁ ସଂଯୋଗ ହେଉଥିବା ରାସ୍ତା ସମ୍ପୂର୍ଣ୍ଣ ହେବାକୁ ଅପେକ୍ଷା କରିଛନ୍ତି। ଡଙ୍ଗରିଆଙ୍କ କହିବାନୁସାରେ, ଏହି ରାସ୍ତା କାମ ସଂପୂର୍ଣ ହେଲେ ନିୟମଗିରି ଉପରେ ବସବାସ କରୁଥିବା ଅଧିକାଂଶ ବାସିନ୍ଦାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ସମେତ ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚି ପାରିବ।

ସୂଚନାଯୋଗ୍ୟ, ନିୟମଗିରି ପାହାଡ଼ ଉପରେ କଲ୍ୟାଣସିଂହପୁର ବ୍ଲକର ପାର୍ସାଲି, ସୁନାଖଣ୍ଡି ପଞ୍ଚାୟତର ୩୮ଟି ଗ୍ରାମବାସୀ ବସବାସ କରି ଆସୁଛନ୍ତି। ଅଧିକାଂଶ ଗ୍ରାମକୁ ରାସ୍ତା ନଥିବାରୁ ବିକାଶ ଅପହଞ୍ଚ ହୋଇ ରହିଥିବାରୁ ଡଙ୍ଗରିଆମାନେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି। ପାହାଡ଼ ଇଲାକାରେ ନିଜ ଭାଗ୍ୟକୁ ଆଦରି ଡଙ୍ଗରିଆ ପଡ଼ି ରହିଥିବାବେଳେ ସରକାରଙ୍କ କୋଟି କୋଟି ଟଙ୍କାର ଅନୁଦାନର କାଣିଚାଏ ଲାଭ ପାଇପାରୁନାହାନ୍ତି।

ସମ୍ବନ୍ଧିତ ଖବର