‘ଆମ ଏମ୍‌ପି ନିଖୋଜ, ତାଙ୍କୁ ଖୋଜିବାରେ ସାହାଯ୍ୟ କର’

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟରକୁ ନେଇ ବିବାଦ, ୫ ଜଣଙ୍କ ନାଁରେ ଏତଲା ଦେଲା ବିଜେପି

ବାଲେଶ୍ୱର : ବାଲେଶ୍ବରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର। ଆଜି ସକାଳୁ ସକାଳୁ ସହରର ବିଭିନ୍ନ କାନ୍ଥ ଓ ପାଚେରିରେ ଏମିତି କିଛି ପୋଷ୍ଟର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଲୋକେ। ତେବେ ଏହି ପୋଷ୍ଟର କିଏ ଲଗାଇଛି, କାହିଁକି ଲଗାଇଛି, ତାକୁ ନେଇ ଅନେକ ଦ୍ବନ୍ଦ୍ବରେ ପଡ଼ିଥିଲେ। ସହର ସାରା ଆଜି ଏହି ପୋଷ୍ଟରକୁ ନେଇ ଚର୍ଚ୍ଚା ହୋଇଥିଲା। ପୋଷ୍ଟରରେ ଲେଖାଅଛି ‘ସାହାଯ୍ୟ କର, ଆମ ଏମ୍‌ପି ନିଖୋଜ’ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବାରେ ସାହାଯ୍ୟ କର। ପୋଷ୍ଟରରେ କାହାର ନାଁ ଲେଖା ଯାଇନଥିଲେ ମଧ୍ୟ ‘ସୌଜନ୍ୟ ବାଲେଶ୍ୱର ପିପୁଲ’ ବୋଲି ଲେଖାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଭଳି ପୋଷ୍ଟରକୁ ନେଇ ଆଜି ବିଜେପି ପକ୍ଷରୁ ତନାଘନା ପ୍ରକାଶ ପାଇବା ସହ ସହଦେବଖୁଣ୍ଟା ଥାନାରେ ଏତଲା ମଧ୍ୟ ଦିଆଯାଇଛି। ରବିବାର ଅପରାହ୍ନରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସହଦେବଖୁଣ୍ଟା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କୁ ଭେଟିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ବଦନାମ କରିବାକୁ କିଛି ଲୋକ ହୀନ ଚକ୍ରାନ୍ତ କରିଥିବାବେଳେ ସଂଜୀବ ଗିରି, ସୁଧାଂଶୁ ଶେଖର ଜେନା, ଜ୍ଞାନେନ୍ଦ୍ର ମହାନ୍ତି, ମହମ୍ମଦ ଶେଖ୍‌, ଗୌତମ ସାହୁ ନାମକ ବ୍ୟକ୍ତି ନିଜ ନିଜ ‌ଫେସବୁକ୍‌ ଆକାଉଣ୍ଟରେ ଏହାକୁ ଭାଇରାଲ କରିଥିବା ଏତଲାରେ ଦର୍ଶାଯାଇଛି। ପୁଲିସ ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କେଉଁମାନେ ଏହା ପଛରେ ଅଛନ୍ତି ସେ ସଂକ୍ରାନ୍ତରେ ଖୋଳତାଡ଼ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ନିଜ ମନ୍ତ୍ରାଳୟର କାମ ପାଇଁ ମୁଁ ବ୍ୟସ୍ତ ରହିଛି। ତେଣୁ ଶାରୀରିକ ଭାବେ ହୁଏତ ମୋ ଲୋକସଭା କ୍ଷେତ୍ରରେ ଉପସ୍ଥିତି ନାହିଁ। କିନ୍ତୁ ଦିଲ୍ଲୀରେ ରହି ବି ପ୍ରତିଦିନ ମୋ ସଂସଦୀୟ କ୍ଷେତ୍ରରେ କରୋନା, ଅମ୍ଫାନ୍‌ କ୍ଷୟକ୍ଷତିର ମୁକାବିଲା ତଥା ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ କିପରି ଘରକୁ ପଠାଯିବ ସେ ନେଇ ନିଜ ଟିମ୍‌ ଓ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରଖୁଛି। ଲକ୍‌ଡାଉନ୍‌ ସମୟରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅସୁବିଧାରେ ଥିବା ଲୋକମାନଙ୍କ ନିକଟରେ ସାହାଯ୍ୟ ପହଞ୍ଚାଇବା, ଦୁଃଖୀ, ଗରିବ ଓ ଅସହାୟ ଲୋକଙ୍କ ପାଖରେ ଖାଦ୍ୟସାମଗ୍ରୀ ସହ ମାସ୍କ, ସାନିଟାଇଜର, ସାବୁନ ଆଦି ପହଞ୍ଚାଇବା କାର୍ଯ୍ୟକ୍ରମ ଏବେ ବି ଆମ ଟିମ୍‌ ଜାରି ରଖିଛନ୍ତି।’ ‘ ଏହାଛଡ଼ା ଆମର ଦଳୀୟ କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ କ୍ବାରାଣ୍ଟିନ୍‌ ସେଣ୍ଟର ଓ ସରକାରୀ କାର୍ଯ୍ୟକ୍ରମ ଠିକ୍‌ ଭାବେ ପରିଚାଳନା ହେଉଛି କି ନାହିଁ ସେ ଉପରେ ନଜର ରଖୁଛନ୍ତି। ଏଭଳି କାମ ଯିଏ କରିଛନ୍ତି ସେମାନଙ୍କୁ ମୋର କିଛି କହିବାର ନାହିଁ,’ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର