ପୋଷ୍ଟର ମରା ଘଟଣାକୁ ନେଇ ଗଣ୍ଡଗୋଳ; ଗିରଫ ହେଲେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ

ଭୁବନେଶ୍ୱର: ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ବିବାଦକୁ ନେଇ ଶେଷରେ ଗିରଫ ହୋଇଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ । ବିଭିନ୍ନ ଆଳ ଦେଖାଇ ଗିରଫଦାରିକୁ ଏଡ଼ାଇ ଚାଲିଥିଲେ ଭୁବନେଶ୍ୱର ସାଂସଦଙ୍କ ପିଏ ଧନେଶ୍ୱର ବାରିକ । ହେଲେ ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଶୁଭମ ହୀରାଙ୍କ ଅଭିଯୋଗ ଆଧାରରେ ଏହି ଗିରଫଦାରୀ ହୋଇଛି। ସେ ଥାନାରେ ଅଭିଯୋଗ କରିଥିଲେ ଯେ, ସେ ଓ ତାଙ୍କ କ୍ଲିନିକର ଷ୍ଟାଫମାନେ ବୁଦ୍ଧନଗର କଦଳୀ ଗୋଦାମରେ କ୍ଲିନିକର ପୋଷ୍ଟର ଲଗାଇବାବେଳେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ତାଙ୍କ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ତାଙ୍କୁ ଲୁହା ରଡରେ ପିଟିଥିଲେ । ପଗଡି ଖୋଲି ଚୁଟି ଧରି ତଳେ ପକାଇ ଚାପି ଦେଇଥିଲେ । ମୋବାଇଲକୁ ଭାଙ୍ଗି ଦେଇଥିଲେ ଆଉ ତାଙ୍କ ପକେଟରେ ସାଂସଦ ମହୋଦୟାଙ୍କ ଚିରା ପୋଷ୍ଟର ରଖି ଅନ୍ୟ ଜଣେ ଏହି ପୋଷ୍ଟର ଲଗାଇବାକୁ କହିଥିବା ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ । ଏହି ଘଟଣା ପରେ ଏବେ ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।

ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ଶୁଭମ ହୀରାଙ୍କ ମା’ଙ୍କର ଏକ କ୍ଲିନିକ୍ ରହିଛି। ଗତକାଲି ଶୁଭମ୍ ସେହି କ୍ଲିନିକ୍‌ର ପୋଷ୍ଟର ବିଭିନ୍ନ ସ୍ଥାନରେ ମାରୁଥିଲେ। ବୁଦ୍ଧ ନଗର କଦଳୀଗୋଦାମ ଅଞ୍ଚଳରେ ପୋଷ୍ଟର ମାରୁଥିବାବେଳେ ସେଠାରେ ଧନେଶ୍ବର ଓ ଜ୍ୟୋତିରଞ୍ଜନ ପହଞ୍ଚିଥିଲେ ଏବଂ ସେ କାହିଁକି ଅପରାଜିତାଙ୍କ ପୋଷ୍ଟର ମାରୁଛନ୍ତି କହି ଶୁଭମ୍‌ଙ୍କୁ ମାରପିଟ୍ କରିଥିଲେ। ଶୁଭମ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର