ଭୁବନେଶ୍ବର : ରାଜଧାନୀର ବିଭିନ୍ନ ସ୍ଥାନରେ ବିଜେପିର ପୋଷ୍ଟର୍ ଓ ହୋର୍ଡିଂକୁ କେହି ଦୁର୍ବୃତ୍ତ ବିକୃତ କରିଛନ୍ତି। ଏହି ପୋଷ୍ଟର୍ରେ ଥିବା ଦଳୀୟ ଚିହ୍ନ ଉପରେ ନୀରବ ମୋଦୀ, ବିଜୟ ମାଲ୍ୟାଙ୍କ ସହ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଫଟୋ ଲଗାଯାଇଛି। ସହରର କିଛି ସ୍ଥାନରେ ଏମିତି ଦେଖିବାକୁ ମିଳିଛି। ଏହି କାମ ବିଜେଡି କରିଛି ବୋଲି ବିେଜପି ଆରୋପ ଲଗାଇଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ବିଜେପି ପକ୍ଷରୁ କୁହାଯାଇଛି, ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଛି। ସେଥି ପାଇଁ କର୍ମୀମାନେ ବିଜେପି ନେତାମାନଙ୍କୁ ବଦନାମ କରିବା ପାଇଁ ଅପପ୍ରଚାର କରୁଛନ୍ତି। ଏହି କାମ ଦଣ୍ଡନୀୟ ଅପରାଧ। ଏହି ଅପରାଧ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରିବାକୁ ଦଳ ଦାବି କରିଛି। ବିଜେପି ଆଇନ୍ ପ୍ରକୋଷ୍ଠ ଆବାହକ ରବି ଶଙ୍କର ପଟ୍ଟନାୟକଙ୍କ ନେତୃତ୍ବରେ ଡିସିପିଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ସୂର୍ଯ୍ୟ ଦାସ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।