ଲୋକଙ୍କୁ ମିଳୁନି ଟିକା, ସେପଟେ ଶ୍ରେୟ ନେବାକୁ ପୋଷ୍ଟର ୱାର୍ 

ଭଞ୍ଜନଗର: କରୋନା ମହାମରୀରୁ ରକ୍ଷା ପାଇବା ପାଇଁ ଟିକା ଏକ ସୁରକ୍ଷା କବଚ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଗତ ୨୧ ତାରିଖରୁ ଏହାକୁ ବ୍ୟପକ କରାଯାଇଛି। ସାରା ରାଜ୍ୟରେ ୧୮ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ବିଶେଷଙ୍କୁ ଟିକାକରଣ କରାଯାଉଥିବା ବେଳେ ଟିକା ପାଇଁ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକୁ ମଧ୍ୟ ବ୍ୟପକ କରାଯାଇଛି। ଏଭଳି ସ୍ଥିତିରେ ସହରାଞ୍ଚଳରେ ଟିକା ନେବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଛି।

ଗଂଜାମ ଜିଲ୍ଲା ଏସଡିଏଚ ଭଞ୍ଜନଗର ପ୍ରାୟ ୨ ହଜାର ଜଣ ଟିକା ନେଇଥିବା ବେଳେ ବ୍ଳକର ପ୍ରାୟ ୩ ହଜାର ଲୋକଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ଟିକା ଅଭାବ ପାଇଁ ଟିକାକରଣ ବନ୍ଦ ଥିବା ବେଳେ ଟିକା ଆସିବା ପରେ ପୁଣି ଜାରି ରହିବ ବୋଲି ଜଣାପଡିଛି। ଟିକାକରଣ ସମୟରେ ପ୍ରତିଦିନ ଶତାଧିକ ଲୋକ ଟିକା କେନ୍ଦ୍ରଗୁଡିକରେ ଭିଡ ଜମାଉଥିଲେ। ଆଉ ଜନସମାଗମରୁ ରାଜନୈତିକ ଫାଇଦା ନେବା ପାଇଁ ଏବେ ଆରମ୍ଭ ହୋଇଛି ପୋଷ୍ଟର ୱାର୍। ଗତ ସୋମବାର ଠାରୁ ଜିଲ୍ଲାରେ ଟିକା ଅଭାବ ହେତୁ ସାମୟିକ ଭାବେ ଟିକକରଣ ବନ୍ଦ ରଖାଯାଇଥିଲେ ମଧ୍ୟ ପୋଷ୍ଟର ୱାର୍ ଥମିବାର ନାଁ ନେଉନି।

ଭଞ୍ଜନଗରରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ତିନୋଟି ଟିକାକରଣ କେନ୍ଦ୍ର କରାଯାଇଥିବା ବେଳେ ବ୍ଳକର ୩ ଟି ସିଏଚ୍ସିରେ ଟିକା ଦିଆଯାଉଥିଲା। ଏହି କେନ୍ଦ୍ରଗୁଡିକ ସାମ୍ନାରେ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ସହ ଫଟୋ ଥାଇ ପୋଷ୍ଟର ମରାଯାଇଛି। ଏଥିସହ ରାଜ୍ୟର କେତେକ ସ୍ଥାନରେ ବିଜେପି ଦଳ ପକ୍ଷରୁ ଏହି ମାଗଣା ଟିକାକରଣ ଅଭିଯାନ କେନ୍ଦ୍ର ସରକାରଙ୍କ କହି ବିକ୍ଷୋଭ କରାଯାଇଥିବା ବେଳେ ଏଠାରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳି ନଥିଲା। କିନ୍ତୁ ‘ବିଶ୍ବର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା’ ଉଦ୍ଦେଶ୍ୟରେ ଟିକାକରଣ କେନ୍ଦ୍ରଗୁଡିକରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ କିଛି ରାଜ୍ୟସ୍ତରର ଏବଂ ସ୍ଥାନୀୟ ନେତୃ ବୃନ୍ଦଙ୍କ ଫଟୋ ରହିଥିବା ଦେଖିବାକୁ ମିଳିଛି। ତେବେ ଟିକା ନେବା ପାଇଁ ଜନସାଧାରଣ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ଟିକାର ଅଭାବ ସମୟରେ ମଧ୍ୟ ଟିକାକରଣର ଶ୍ରେୟ ନେବା ପାଇଁ ପୋଷ୍ଟର ୱାର୍ ଚାଲିଥିବା ସାଧାରଣରେ ଚର୍ଚ୍ଚ ହେଉଛି।

ସମ୍ବନ୍ଧିତ ଖବର