ଘୁ.ଉଦୟଗିରି: ଗାଁରେ କାମ ନାହିଁ, ରୋଜଗାର ପନ୍ଥା ନାହିଁ। ମଣିଷ ଚାଲାଣ ହାଟରେ ଦଲାଲ୍‌ ରାଜ୍‌ ଚାଲିଛି। କନ୍ଧମାଳ ଜିଲ୍ଲାରୁ ପ୍ରତ୍ୟହ ଶହ ଶହ ଯୁବକଯୁବତୀ କାମଧନ୍ଦା ଆଶାରେ ବସ୍‌ ଯୋଗେ କେରଳ ଯାଉଛନ୍ତି। ଗାଁ ଗାଁରେ ପୋଷ୍ଟର୍‌ ଲାଗିଛି- ‘ରାଇକିଆରୁ କେରଳକୁ ପ୍ରତି ଶୁକ୍ରବାର ବସ୍‌ଯିବ, ଯୋଗାଯୋଗ କରନ୍ତୁ...।’ ଏବେ କନ୍ଧମାଳର ବିଭିନ୍ନ ଗାଁ, ଛକମାନଙ୍କରେ କାନ୍ଥବାଡ଼ ଓ ଗଛ ଗଣ୍ଡିରେ ଲାଗିଛି ଏଭଳି ପୋଷ୍ଟର। ଯୋଗାଯୋଗ ପାଇଁ ତିନିଟି ଫୋନ୍‌ ନମ୍ବର ମଧ୍ୟ ପୋଷ୍ଟର୍‌ରେ ଉଲ୍ଲେଖ ରହିଛି। ରାଇକିଆରୁ ବସ୍‌ ବାହାରୁଥିଲେ ମଧ୍ୟ ଏହି ଅଞ୍ଚଳର ପ୍ରାୟ ୬୦ କିମି ପରିସରରେ ଥିବା ଗାଁ ଗାଁ’ରେ ପୋଷ୍ଟର୍‌ ମାରି ଦଲାଲ୍‌ ତାଙ୍କ ଏଜେଣ୍ଟ୍‌ଙ୍କୁ କାମରେ ଲଗାଇଛନ୍ତି। ସେମାନଙ୍କୁ ଟାର୍ଗେଟ୍‌ ଦେଉଛନ୍ତି ଯେ ବସ୍‌ ସିଟ୍‌ ଭର୍ତ୍ତି ହେବା ବାଧ୍ୟତାମୂଳକ। ଜିଲ୍ଲାରେ ଦଲାଲ୍‌ମାନେ ଖୋଲାଖୋଲି ମୂଲଚାଲ କରି ଶ୍ରମିକ ଚାଲାଣ କରୁଛନ୍ତି। ଦଲାଲଙ୍କ କଥାରେ ମୋହଗ୍ରସ୍ତ ଯୁବଗୋଷ୍ଠୀ ପ୍ରତି ସପ୍ତାହରେ ଏଠାରୁ ଏକାଧିକ ବସ୍‌ରେ ଖୁନ୍ଦାଖୁନ୍ଦି ହୋଇ କାମ କରିବାକୁ କେରଳ ଯାଉଛନ୍ତି। ଅସୁରକ୍ଷିତ ଭାବେ ବସ୍‌ରେ ଲମ୍ବା ରାସ୍ତା ଯାଉଥିଲେ ବି ପ୍ରଶାସନର ନିଘା ନାହିଁ।

Advertisment

ବର୍ଷ ବର୍ଷ ଧରି ଦଲାଲ୍‌ମାନେ ଏଠାକୁ ଆସି ଦାଦନ ଶ୍ରମିକଙ୍କୁ ନେଇ ବସ୍‌ରେ ଯାଉଛନ୍ତି। ସେଠାକୁ ଯାଇ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯୁବକଯୁବତୀ କାମ କରୁଛନ୍ତି। ନା’ ରୋଜଗାରର ଗ୍ୟାରେଣ୍ଟି ଅଛି, ନା’ ଜୀବନର। ଅନେକ ସମୟରେ ଦଲାଲ୍‌ଙ୍କ କାରସାଦିରେ ଫସି, ନିର୍ଯାତିତ ହୋଇ ଲୁଚିଛପି ଗାଁକୁ ଫେରୁଛନ୍ତି। କହିବାକୁ ଗଲେ ଦାଦନ ସମସ୍ୟାର ନିୟନ୍ତ୍ରଣ ଆଉ ସରକାରଙ୍କ ହାତରେ ନାହିଁ। କନ୍ଧମାଳ ଭଳି ଜିଲ୍ଲାରେ ଦାଦନ ଦୁଃଖ ଏବେ ନିତିଦିନିଆ ହୋଇଗଲାଣି। 

ଜିଲ୍ଲାରେ ଜଳସେଚନ ସୁବିଧା ନଥିବାରୁ ଚାଷବାସ କାମ ହୋଇପାରୁନି। ବର୍ଷାଦିନ ସରିଗଲେ ଚାଷକାମ ବନ୍ଦ। ଯୁବପିଢ଼ିଙ୍କ ହାତରେ କିଛି କାମ ମଧ୍ୟ ନାହିଁ। ଅଳ୍ପକିଛି ଲୋକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଯେନତେନ ସାପ୍ତାହିକ ହାଟରେ ବିକ୍ରିବଟା କରି ରୋଜଗାର କରୁଥିବା ବେଳେ ବହୁ ଯୁବକ ବର୍ଷସାରା ବେକାର ବସିଥାନ୍ତି। ଅନ୍ୟପଟେ ଜିଲ୍ଲାରେ କଳକାରଖାନା ନାହିଁ। ପର୍ଯ୍ୟଟନ ଶିଳ୍ପର ସମ୍ଭାବନା ଥିଲେ ମଧ୍ୟ ଆଖିଦୃଶିଆ ବିକାଶ ହେଉନାହିଁ। ଉତ୍ପାଦିତ ପ୍ରାକୃତିକ ଦ୍ରବ୍ୟର ପ୍ରକ୍ରିୟାକରଣ ଶିଳ୍ପାନୁଷ୍ଠାନ ମଧ୍ୟ ନାହିଁ। ତେଣୁ ଯୁବପିଢ଼ିଙ୍କୁ କାମ ମିଳୁନଥିବାରୁ ରୋଜଗାର ଆଶାରେ ବାହାର ରାଜ୍ୟ ଯିବାକୁ ପଡ଼ୁଛି। ଦଲାଲ୍‌ଙ୍କ ମାୟା ଜାଲରେ ପଡ଼ି ରାଜ୍ୟ ବାହାରକୁ ଯାଇ ଅଧିକାଂଶ ନିର୍ଯାତିତ ହେଉଛନ୍ତି। ଅନ୍ତତଃପକ୍ଷେ ଜୀବନର ସୁରକ୍ଷା ଏବଂ ନିର୍ଯାତିତ ନ ହେବାର ଗ୍ୟାରେଣ୍ଟି ନେଇ ଶ୍ରମିକଟିଏ ବାହାରକୁ କାମ କରିବାକୁ ଯିବା ଓ ଶବ ହୋଇ ଯେଭଳି ନ ଫେରିବ, ସେ ବାବଦରେ ସରକାର ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମତ ଦେଇଛନ୍ତି।