ଜମାକାରୀଙ୍କର ୩୫ ଲକ୍ଷ ଟଙ୍କା ଜମାରାଶି ଆତ୍ମସାତ କରିଥିବା ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ୧୮୫ ଜଣ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳୀନ ଶାଖା ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ | ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ, ପୋଷ୍ଟମାଷ୍ଟର କମଳାକାନ୍ତ ନାୟକଙ୍କୁ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା ଥାଉ କି ୨୦୧୬ ମସିହାରେ ତତ୍କାଳୀନ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଭଦ୍ରକ ଡାକ ମଣ୍ଡଳ ଅଧିନସ୍ତ ଆହାରପଦା ଶାଖା ପୋଷ୍ଟ ଅଫିସରେ ବ୍ୟାପକ ଆର୍ଥିକ ଅନିୟମିତତା ଦେଖାଦେଇଛି।

୧୮୫ ଜଣ ଜମାକାରୀଙ୍କର ମୋଟ ଜମା ରାଶି ୩୫ ଲକ୍ଷ ଟଙ୍କାକୁ ଶାଖା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକ ଆତ୍ମସାତ କରି ପୋଷ୍ଟ ଅଫିସର ଜମା ନ କରି ଚଳୁ କରି ଦେଇଛନ୍ତି। ତେଣୁ ସେ ସେତେବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ ଥାନା କେସ ନଂ-୭୦/୧୬ ଦଫା ୪୦୯,୪୨୦, ୪୬୭, ୪୬୮, ୪୬୧ରେ ପୁଲିସ ଏକ ମାମଲା ରୁଜୁ କରି ଥିଲା ଓ ୨୩.୦୮.୨୦୧୭ରେ କମଳାକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେହି ଦିନରୁ ସେ ବିଚାରାଧିନ ବନ୍ଦୀ ଭାବେ ଜେଲରେ ରହିଥିଲେ ଓ ଆଜି ମାନ୍ୟବର କୋର୍ଟ ତାଙ୍କର ଚୁଡାନ୍ତ ରାୟରେ ୪୨୦, ୪୬୮, ୪୭୧ ଦଫାରେ ପ୍ରମାଣ ଅଭାବରୁ ଖଲାସ କରିଥିବାବେଳେ ୪୦୯ ଦଫାରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ପବ୍ଲିକ ପ୍ରସିକ୍ୟଟର ଦୁର୍ଗା ରାୟମହାପାତ୍ର ଓ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର