ବଲାଙ୍ଗୀର : ଉତ୍ତରପ୍ରଦେଶରୁ ମିଳିଥିବା ଜାଲ୍ ସାର୍ଟିଫିକେଟରେ ପୋଷ୍ଟମାଷ୍ଟର ଚାକିରି ପାଇଁ ଆବେଦନ। ଗୋଟିଏ କି ଦୁଇଟି ନୁହେଁ, ଏହିଭଳି ୩୭ଟି ନକଲି ସାର୍ଟିଫିକେଟ ଧରାପଡ଼ିଛି। ଏପରିକି, ଚାକିରି ପାଇଁ ଏକପ୍ରକାର ଯୋଗ୍ୟ ବିବେଚିତ ହୋଇଥିବା ଜଣେ ଦୁଇଜଣ ପ୍ରାର୍ଥୀ ବି ଅନ୍ତର୍ଭୁକ୍ତ ଅଛନ୍ତି। ଏହାପଛରେ ଏକ ବଡ଼ଧରଣର ରୢାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।
ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଇଁ ବାହାରିଥିବା ପଦବି ଭିତରୁ ଏବେ ପୋଷ୍ଟ ଅଫିସରେ ବିଭିନ୍ନ ପଦ ପାଇଁ ଏବେ ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ବଲାଙ୍ଗୀର ଡାକମଣ୍ଡଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ମୁଖ୍ୟ ଡାକଘର ବଲାଙ୍ଗୀର ଓ ସୋନପୁରକୁ ନେଇ ଗୋଟିଏ ଡାକମଣ୍ଡଳ। ତେଣୁ ବଲାଙ୍ଗୀର ଡାକ ମଣ୍ଡଳ ପାଇଁ ୮୩ଟି ବିପିଏମ୍ (ବ୍ରାଞ୍ଚ ପୋଷ୍ଟମାଷ୍ଟର), ଏବିପିଏମ୍ (ଆସିଷ୍ଟାଣ୍ଟ ବ୍ରାଞ୍ଚ୍ ପୋଷ୍ଟମାଷ୍ଟର) ଓ ଡାକସେବକ ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ନିୟମ ଅନୁଯାୟୀ ପୋଷ୍ଟଅଫିସରେ ଚାକିରି ପାଇଁ କୌଣସି ପରୀକ୍ଷା ଅପେକ୍ଷା ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଇଥାଏ। ତେଣୁ, ଏବେ ଅଧିକ ମାର୍କ ରଖିଥିବା ଆବେଦନକାରୀଙ୍କ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଏଥିସହିତ, ସାର୍ଟିଫିକେଟ ଓ ମାର୍କସିଟ ଛାନ୍ଭିନ୍ ହେଉଛି।
ସମସ୍ତେ ପ୍ରାୟ ୯୯% ନମ୍ବର ରଖିଛନ୍ତି
ଥାନାରେ ଅଭିଯୋଗ କଲେ ପୋଷ୍ଟାଲ୍ କର୍ତ୍ତୃପକ୍ଷ
ବଡ଼ଧରଣର ରୢାକେଟର ହାତ ଥିବା ସନ୍ଦେହ
ଗତକାଲି ଛାନ୍ଭିନ୍ ବେଳେ ପ୍ରାର୍ଥୀଙ୍କ କଥାବାର୍ତ୍ତା ଓ ରଖିଥିବା ମାର୍କ ନେଇ ଡାକ ବିଭାଗ କର୍ତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା। ବଲାଙ୍ଗୀର ପାଟଣାଗଡ଼ ଉପଖଣ୍ଡ ବିଭିନ୍ନ ଗାଁରେ ରହୁଥିବା ଆବେଦନକାରୀମାନେ ଉତ୍ତରପ୍ରଦେଶରୁ ମାଟ୍ରିକ ପାସ୍ କରିଥିବା ସାର୍ଟିଫିକେଟ ଓ ମାର୍କସିଟ ଦେଇଥିଲେ। ଆଉ ସମସ୍ତେ ମାଟ୍ରିକ ପରୀକ୍ଷାରେ ୯୦ରୁ ୯୯ ପ୍ରତିଶତ ମାର୍କ ରଖି ପାସ୍ କରିଥିବା ଜଣାପଡ଼ିଥିଲା ସନ୍ଦେହ ହେବାରୁ ପ୍ରଥମେ ଜଣେ ଆବେଦନକାରୀ ସୁବଳୟା ଭୁଏଙ୍କ ପ୍ରମାଣପତ୍ର ଓ ମାର୍କସିଟ ଯାଞ୍ଚ କରାଯାଇଥିଲା। ସୁବଳୟା ଉତ୍ତରପ୍ରଦେଶ ପ୍ରେମନଗର ଝାନ୍ସୀରେ ଡ. ବି.ଆର୍. ଆମ୍ବେଦକର ଇଣ୍ଟର ମିଡିଏଟ କଲେଜର ପ୍ରମାଣପତ୍ର ଓ ମାର୍କସିଟ ଦେଖାଇଥିଲେ। ମାର୍କସିଟ ଅନୁସାରେ ସେ ସବୁ ବିଷୟରେ ୯୮ ରୁ ୯୯ ନମ୍ବର ରଖିଛନ୍ତି। କିନ୍ତୁ, ଅଧିକାରୀ କିଛି ଇଂରାଜୀ ଶବ୍ଦ ଲେଖିବାକୁ କହିବା ପରେ ତାଙ୍କ ସାମ୍ନାରେ ନିଜେ ପାସ୍ କରିଥିବା କଲେଜର ନାଁ ବି ଠିକ୍ରେ ଲେଖିପାରି ନଥିଲେ। ଅନ୍ୟ ଶବ୍ଦ କଣ ଲେଖିଥିଲେ ସେ ବି ଜାଣିନଥିଲେ। ଆଶ୍ଚର୍ଯ୍ୟର ବିଷୟ. ତାଙ୍କ ପ୍ରମାଣପତ୍ରରେ ଲେଖାଯାଇଛି ସମ୍ମାନ ସହିତ ପ୍ରଥମ ଶ୍ରେଣୀରେ ସେ ମାଟ୍ରିକ ପାସ୍ କରିଛନ୍ତି, ଯେଉଁଥିରେ ଅନର୍ସ ବା ସମ୍ମାନ ବୋଲି କିଛି ନଥାଏ। ଏଭଳି ନକଲି ପ୍ରମାଣପତ୍ର ହାତେଇ ଚାକିରି ପାଇବା ଉପରେ ଥିଲେ ସୁବଳୟା। ସେହିପରି ଡାଲିମ୍ବ ରାଉତ ନାମକ ଜଣେ ଆବେଦନକାରୀଙ୍କ ଉତ୍ତରପ୍ରଦେଶ ବୋର୍ଡର ସାର୍ଟିଫିକେଟ ଓ ମାର୍କସିଟ ଦେଖାଇଥିଲେ। ସେ ଇଂରାଜୀରେ ୯୯ ପ୍ରତିଶତ ମାର୍କ ରଖିଥିଲେ ବି ଇଂରାଜୀ ଶବ୍ଦ ଲେଖି ଜାଣିନଥିଲେ।
ଏହା ଜଣାପଡ଼ିବା ପରେ ମୁଖ୍ୟ ଡାକଘର ଅଧୀକ୍ଷକ ଟାଉନ ଥାନା ପୁଲିସକୁ ସୂଚନା ଦେଇଥିଲେ। ଏତଲା ବି ଦେଇଥିଲେ। ପୁଲିସ ଆସି ପଚରାଉଚରା କରିବାପରେ ଜଣେ ଆବେଦନକାରୀ ସୁବଳୟା ସାର୍ଟିଫିକେଟ କିଣିଥିବା ସ୍ୱୀକାର କରିଥିଲେ। ସେ ମୋବାଇଲରୁ ୫୦ ହଜାର ଟଙ୍କା ଜଣକୁ ପଇଠ କରିଥିବା ପ୍ରମାଣ ବି ରହିଛି। ପୁଲିସ କିନ୍ତୁ ପ୍ରାଥମିକ ପ୍ରମାଣ ପାଇବା ପରେ ବି ମାମଲା ରୁଜୁ କରିନଥିବା ଜଣାପଡ଼ିଛି।
ଏ ପ୍ରସଙ୍ଗରେ ମୁଖ୍ୟ ଡାକଘର ଅଧୀକ୍ଷକ କହିଛନ୍ତି, ନାଁ, ଗାଁ ଠିକ୍ରେ କି ସାଧାରଣ ଇଂରାଜୀ ଲେଖି ଜାଣୁନଥିବା ପିଲା ୯୯ ପ୍ରତିଶତ ମାର୍କ ରଖିଛନ୍ତି। ଉତ୍ତରପ୍ରଦେଶ ବୋର୍ଡର ଯେତେ ଜଣ ଏଭଳି ପ୍ରମାଣପତ୍ର ଦେଉଛନ୍ତି, ସମସ୍ତଙ୍କ ସମାନ ଅବସ୍ଥା। ଏଣୁ ଥାନାରେ ତଦନ୍ତ କରିବାକୁ ଲିଖିତ ଦେଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଏସ୍ଡିପିଓ କହିଛନ୍ତି, ଡାକଘର ଅଧୀକ୍ଷକଙ୍କ ଅଭିଯୋଗ ପାଇଛୁ। ତଦନ୍ତ କରାଯିବ। ଏସବୁ ଭିତରେ ନକଲି ପ୍ରମାଣପତ୍ରଧାରୀମାନେ ମେରିଟ ଲିଷ୍ଟକୁ ଆସିଥିବା ବେଳେ ପ୍ରକୃତରେ ଓଡ଼ିଶା ବୋର୍ଡରେ ପାଠ ପଢ଼ିଥିବା ଅନେକ ଆଶାୟୀ ପ୍ରାର୍ଥୀ ମେରିଟ ଲିଷ୍ଟରୁ ବାଦ୍ ପଡ଼ିଛନ୍ତି। ଏଣୁ ଏହି ନକଲି ପ୍ରମାଣପତ୍ର ରାକେଟରେ ଏକ ବଡ଼ ଗୋଷ୍ଠୀ କାମ କରୁଥିବା ସନ୍ଦେହ କରାଯାଉଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/certificate-ffff.jpg)