କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରି ଡାକ ବିଭାଗରେ ଚାକିରି ପାଇଁ ଆବେଦନ ଘଟଣା ସାମନାକୁ ଆସିଛି। ଯାଞ୍ଚରେ ସାର୍ଟିଫିକେଟ୍ ନକଲି ବୋଲି ଧରା ପଡିବା ପରେ ସ˚ପୃକ୍ତ ଆବେଦନକାରୀଙ୍କ ନାଁରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦେଇଛନ୍ତି ଡାକ ଅଧୀକ୍ଷକ। ପୁଲିସ ମାମଲା(ନଂ-୧୦୧/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ଅନେକ ଆବେଦନକାରୀଙ୍କ ସାର୍ଟିଫିକେଟ୍ ନକଲି ଏବ˚ ସେସବୁ ଉତ୍ତରପ୍ରଦେଶରୁ ଆସିଥିବା ଧରାପଡ଼ିବା ପରେ ଏହା ପଛରେ ଏକ ବଡ଼ଧରଣର ରୢାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଡାକ ଡିଭିଜନ୍ ଅଧୀନରେ ୧୫ଟି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦବିରେ ନିଯୁକ୍ତି ପାଇଁ ଅନଲାଇନ୍ରେ ବିଜ୍ଞପ୍ତି ବାହାରିଥିଲା। ଗତ ଜାନୁଆରି ୨୭ତାରିଖରେ ହାଇଦ୍ରାବାଦ୍ର ସିପେଟ୍ ସରକାରୀ ସ˚ସ୍ଥା ପକ୍ଷରୁ ବିଜ୍ଞପ୍ତି ବାହାରିବା ପରେ ବହୁ ବେକାର ଯୁବକଯୁବତୀ ଆବେଦନ କରିଥିଲେ। ଏହି କ୍ରମରେ ଭଦ୍ରକ ଜିଲ୍ଲା ଲୁଣିଆ ଗ୍ରାମର ହୃଦାନନ୍ଦ ଜେନାଙ୍କ ବିବାହିତା ଝିଅ ଅନିତା ଜେନା ଆବେଦନ କରିଥିଲେ। ମେରିଟ୍ ଲିଷ୍ଟ୍ ପ୍ରକାଶିତ ହେବା ପରେ ଗତ ୨୧ତାରିଖରେ ତାଙ୍କୁ କେନ୍ଦ୍ରାପଡ଼ା ଡିଭିଜନ୍ ଅଫିସ୍କୁ ସାର୍ଟିଫିକେଟ୍ ଯାଞ୍ଚ୍ ପାଇଁ ଡକାଯାଇଥିଲା। ସେ ସାର୍ଟିଫିକେଟ୍ ସହିତ ଆସି ପୂର୍ବାହ୍ନରେ ପହଞ୍ଚିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉତ୍ତରପ୍ରଦେଶର ଆଦର୍ଶ ଆରିୟା ଏସ୍ଏସ୍ ଏଚ୍ଏସ୍ଏସ୍ ତରୁଲୀ ହାର୍ଦୋଇ ହାଇସ୍କୁଲ୍ରୁ ୨୦୦୯ମସିହାରେ ମାଟ୍ରିକ୍ ପାସ୍ କରିଥିବା ଅନିତା କହିଥିଲେ। ଏହାପରେ କର୍ତୃପକ୍ଷ ଯେତେବେଳେ ତାଙ୍କ ମାର୍କସିଟ୍ ଦେଖିଲେ, ସେତେବେଳେ ବିଭିନ୍ନ ବିଷୟରେ ରଖିଥିବା ନମ୍ବର ଦେଖି ଚକିତ ହେଇ ଯାଇଥିଲେ। କେବଳ ସାହିତ୍ୟ କାହିଁକି, ଏମିତି ଗୋଟିଏ ବିଷୟ ନ ଥିଲା, ଯେଉଁଥିରେ ୯୦ରୁ ଅଧିକ ନମ୍ବର ନାହିଁ। ସବୁ ବିଷୟରେ ୯୦ରୁ ଅଧିକ ନମ୍ବର ଏବ˚ ୬୦୦ରୁ ୫୭୭ମାର୍କ ରଖି ମାଟ୍ରିକ୍ ପାସ୍ କରିଥିବା ଅନିତା ଦର୍ଶାଇଥିଲେ। ମାତ୍ର କର୍ତୃପକ୍ଷ ନମ୍ବରକୁ ଦେଖି ସନ୍ଦେହ ହେବା ପରେ ବିଭିନ୍ନ ପ୍ରଶ୍ନ ପଚାରିବାରୁ ଅନିତା ହଡ଼ବଡେ଼ଇ ଯାଇ ସବୁ ସତ ମାନି ଯାଇଥିଲେ।
କେନ୍ଦ୍ରାପଡ଼ା ଡିଭିଜନ୍ର ଡାକ ଅଧୀକ୍ଷକ ଦେବରାଜ ସେଠୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଛଅ ଜଣଙ୍କ ସାର୍ଟିଫିକେଟ୍ ଯାଞ୍ଚ ସରିଲାଣି। ସେଥିରୁ ଏହି ଜଣଙ୍କ ସାର୍ଟିଫିକେଟ୍ ନକଲି ବାହାରିଛି। ଯେହେତୁ ଅଧିକ ନମ୍ବର ଆଧାରରେ ନିଯୁକ୍ତି ଦିଆଯାଉଛି, ତେଣୁ ଅନେକ ନମ୍ବର ବଢ଼ାଇ ଜାଲ୍ ସାର୍ଟିଫିକେଟ୍ ଜରିଆରେ ଆବେଦନ କରୁଛନ୍ତି। କିନ୍ତୁ ଯାଞ୍ଚରେ ଏହା ଧରାପଡ଼ି ଯାଉଛି। ଅନିତାଙ୍କ କ୍ଷେତ୍ରରେ ବିଭିନ୍ନ ବିଷୟରେ ଦର୍ଶାଯାଇଥିବା ନମ୍ବର ହିଁ ସନ୍ଦେହର ବିଷୟ ହୋଇଥିଲା। ତା'ଛଡ଼ା ଯେଉଁ ସ୍କୁଲ୍ ଏବ˚ ରୋଲ ନମ୍ବର ଦେଇଥିଲେ, ତାହା ବି ଯାଞ୍ଚରେ ଜାଲ୍ ଜଣାପଡ଼ିଥିଲା। ଏହାପରେ ଟାଉନ ଥାନାରେ ଏତଲା ଦିଆଯାଇଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତି କରି ଦଫା ୪୬୫, ୪୬୮, ୪୭୧ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା ତଦନ୍ତ ଅଧିକାରୀ ଏସ୍ଆଇ ରତିର˚ଜନ ନାୟକ ସୂଚନା ଦେଇଛନ୍ତି।