କଟକ : ବାଙ୍କିରେ ୧୫ ଦିନର ଶିଶୁକୁ ମାଙ୍କଡ଼ ଉଠାଇ ନେବା ଭଳି ଚର୍ଚ୍ଚିତ ଘଟଣାର ଦୁଃଖଦ ଅନ୍ତ ଘଟିଛି। ଶିଶୁର ମୃତଦେହ ବାରି ପଛପଟେ ଥିବା କୂଅରୁ ଉଦ୍ଧାର ହେବା ପରେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଶିଶୁ ପୁତ୍ର ଦେହରେ ମାଙ୍କଡ ନଖର କୌଣସି କ୍ଷତଚିହ୍ନ ନାହିଁ। ପୋଷ୍ଟମର୍ଟମର ୩୦ ଘଣ୍ଟା ପୂର୍ବରୁ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ପ୍ରକାଶ ପାଇବା ପରେ ଶିଶୁ ମୃତ୍ୟୁର କାରଣକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।
ପୋଷ୍ଟମର୍ଟମ ରିପୋର୍ଟରେ ଥିବା ଏହି ସବୁ ତଥ୍ୟ, ଏବେ ବାଙ୍କି ପାଟଣାସାହିର ଶିଶୁର ମୃତ୍ୟୁକୁ ନେଇ ସୃଷ୍ଟି କରିଛି ଅନେକ ପ୍ରଶ୍ନ ? ମାଙ୍କଡ଼ର କାହାଣୀ କହି ଏଭଳି ଏକ ସ୍ପର୍ଶକାତର ଘଟଣାକୁ ବାଟବଣା କରିବାକୁ ଉଦ୍ୟମ କରାଯାଉଛି କି ? ଏମିତିକି ଏନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ବାଙ୍କୀ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ଆସିଥିବା ତଥ୍ୟ-ବାଙ୍କି ଶିଶୁ ମୃତ୍ୟୁ ଘଟଣାକୁ ଏବେ ଆହୁରି ରସହ୍ୟ ଘେରକୁ ଠେଲି ଦେଇଛି।
ସୂଚନାଯୋଗ୍ୟ ଯେ, ବାଙ୍କି ଥାନା ପାଟଣାସାହିର ରାମକୃଷ୍ଣ ନାୟକଙ୍କ ପତ୍ନୀ ସରୋଜିନୀ ୧୫ ଦିନ ତଳେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଶିଶୁଟିର ଶାରୀରିକ ସମସ୍ୟା ଥିବାରୁ ତାକୁ କଟକ ଶିଶୁ ଭବନରେ ରଖି ଚିକିତ୍ସା କରାଯାଉଥିଲା। ଚାରି ଦିନ ତଳେ ଶିଶୁକୁ ଧରି ବାପା-ମା ଗାଁକୁ ଆସିଥିଲେ। ଶୁକ୍ରବାର ରାତିରେ ମଶାରି ଭିତରେ ବାପାମା’ଙ୍କ ପାଖରେ ଶିଶୁଟି ଶୋଇଥିବା ବେଳେ ଶନିବାର ସକାଳେ ଶିଶୁଟି ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ରବିବାର ସକାଳେ ବିରିପଟେ ଥିବା କୂଅରୁ ଶିଶୁର ମୃତ ଦେହ ମିଳିଥିଲା। ପରେ ଶବକୁ ବାଙ୍କି ଡାକ୍ତରଖାନାକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଯାଇଥିଲା।