ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ନେଇ ଗୃହରେ ମୁଲତବୀ ଆଲୋଚନା

ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ:ବିରୋଧୀ

ସୀମା ଲଂଘିଲାଣି ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଦାଦାଗିରି
ବିଧାନସଭା ଗୃହ କମିଟି ବି ଚୁପ୍‌
ବାଚସ୍ପତିଙ୍କ ଉପରେ ଅସନ୍ତୁଷ୍ଟ ହୋଇ କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ବର : ବହୁ ଦିନରୁ ଓଡ଼ିଶା ସହ ପଡ଼ୋଶୀ ରାଜ୍ୟଗୁଡ଼ିକର ସୀମା ବିବାଦ ଲାଗି ରହିଛି। ଏବେ ପରିସ୍ଥିତି ଏପରି ହେଲାଣି ଯେ ୧୪ ଜିଲ୍ଲାରେ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ପ୍ରଶାସନ ରାଜ୍ୟ ସୀମାବର୍ତ୍ତୀ ଗୋଟିଏ ପରେ ଗୋଟିଏ ଗାଁ ଓ ଚାଷଜମି ଦଖଲ କରିଚାଲିଛନ୍ତି। ଅଥଚ ସରକାର ଚୁପ୍‌ ବସିଛନ୍ତି। କୁଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା ପଡ଼ିରହିଛି। କିନ୍ତୁ ତା ପଛରେ ସରକାର ଆନ୍ତରିକତା ସହ ଲାଗୁ ନାହାନ୍ତି। ସୀମା ବିବାଦ ସଂକ୍ରାନ୍ତ ବିଧାନସଭା ଗୃହ କମିଟି କୋମାରେ। ଆଜି ବିଧାନସଭାରେ ପଡ଼ୋଶୀ ରାଜ୍ୟଙ୍କ ସହ ସୀମା ବିବାଦକୁ ନେଇ ମୁଲତବୀ ଆଲୋଚନାରେ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ବିରୋଧୀ। ତେବେ ଆଲୋଚନା ବେଳେ ବିଜେପିକୁ ଅଧିକ ସମୟ ଦିଆଯାଇଥିଲା ବେଳେ କଂଗ୍ରେସକୁ କାହିଁକି ପର୍ଯ୍ୟାପ୍ତ ସମୟ ଦିଆଯିବନି ବୋଲି ବାଚସ୍ପତି ଓ କଂଗ୍ରେସ ବିଧାୟକ ଦଳ ନେତା କଥା କଟାକଟି ହୋଇଥିଲେ। ବାଚସ୍ପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଅଧାରୁ କଂଗ୍ରେସ କକ୍ଷ ତ୍ୟାଗ କରିଥିଲା।

‘ବଢ଼ୁଛି ସୀମା ବିବାଦ, ସୀମା ଲଂଘିଲାଣି ପଡ଼ୋଶୀ ରାଜ୍ୟ, ରାଜ୍ୟ ସରକାର ନିରବ’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଥଲେ, ପଡ଼ୋଶୀ ରାଜ୍ୟମାନଙ୍କ ସହ ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ଅନ୍ୟ ରାଜ୍ୟମାନେ ଭୌଗଳିକ ସୀମା ଲଂଘି ଜୋର ଜବରଦସ୍ତ ରାଜ୍ୟର ଅନେକ ଅଞ୍ଚଳ ଛଡ଼ାଇ ନେବାରେ ସଫଳ ହୋଇଛନ୍ତି। ଅଥଚ ଆମେ ଦେଖଣାହାରି ହୋଇ ରହିଛୁ। ଏଥିପାଇଁ କିଏ ଦାୟୀ? ନିକଟରେ ଆନ୍ଧ୍ରପ୍ରଦେଶର ବୁସିଗୁଣ୍ଠା, ଡେକାପଦର, କୋଳାପୁଟ, ବଡ଼ଲାମ୍ବ ଗ୍ରାମବାସୀ ଏକଜୁଟ ହୋଲି ସୁନାବେଡ଼ା ନିକଟ ରାସ୍ତାରେ ପଥର ଗଦା କରି ଆନ୍ଧ୍ରର ସୀମା ଚିହ୍ନ ଦେବା ସହ ବାନା ପୋତିଥିଲେ। ଗତ ୧୮ ତାରିଖରେ ଦୁଇ ରାଜ୍ୟର ଅଧିକାରୀମାନେ ଆଲୋଚନା କରିବା ପରେ ରାସ୍ତାରୁ ପଥର ହଟାଯାଇଥିଲା। ଠିକ୍‌ ଏହାର ଦିନକ ପରେ ଆନ୍ଧ୍ରପଟୁ ନୂଆ ବିବାଦ ସୃଷ୍ଟି କରାଯାଇଛି। ଆନ୍ଧ୍ର ପ୍ରଦେଶ ସହିତ ଓଡ଼ିଶାର ସୀମା ବିବାଦ ବହୁ ପୁରୁଣା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଅନେକ ଗ୍ରାମ ବିବାଦଘେରେରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ୨୧ଟି ଗ୍ରାମ ଓ ଗୋଟିଏ ସଂରକ୍ଷିତ ଜଙ୍ଗଲ ଏହି ବିବାଦର ଶିକାର ହେଉଛନ୍ତି। ଏଥିପାଇଁ ଆନ୍ଧ୍ର ସରକାରଙ୍କ ପ୍ରଶାସନ ସହିତ ଯୁଗ୍ମ ତଦନ୍ତ ହୋଇଛି। ବହୁ ଦିନ ବିତିଲାଣି। କିନ୍ତୁ ରିପୋର୍ଟ କାହିଁ? କିଏ ନାହିରେ ତେଲ ଦେଇ ଶୋଇଛି?

ଗଜପତି ଜିଲ୍ଲା ସମ୍ପର୍କରେ ଶ୍ରୀ ମାଝୀ କହିଥିଲେ, ଏହି ଜିଲ୍ଲାର ୧୬ଟି ଗ୍ରାମ ସମ୍ପର୍କରେ ଯୁଗ୍ମ ତଦନ୍ତ ସରିଛି। କିନ୍ତୁ ରିପୋର୍ଟର ଦେଖା ନାହିଁ। କିଏ ସେହି ରିପୋର୍ଟ ପ୍ରକାଶ କରିବ? କୋରାପୁଟ ଜିଲ୍ଲାର କୁଟିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୨୧ଟି ଗ୍ରାମ ନେଇ ସମସ୍ୟା ରହିଛି। କାହାରି ଚିନ୍ତା ନାହିଁ। ସେଠାରେ ଏକ ପୁଲିସ ଥାନା ଖୋଲିବାକୁ ସରକାର ଘୋଷଣା କରିଥିଲେ। ଏବେ ଯାଏଁ ଥାନା ଖୋଲିଲା କି ନାହିଁ ରାଜସ୍ବମନ୍ତ୍ରୀ ଉତ୍ତର ରଖିବା ବେଳେ ଗୃହକୁ ଅବଗତ କରିବେ। ଓଡ଼ିଶା ସ୍କୁଲ୍‌ ଅଛି। କିନ୍ତୁ ଭିତ୍ତିଭୂମି ନଥିବାରୁ ପିଲା କମ୍‌। ତାକୁ ବି ସରକାର ବନ୍ଦ କରିବାକୁ ବସିଥିଲେ। ପୂର୍ବତନ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଏହି ଗୃହରେ ୧୧ ପୃଷ୍ଠା ଏକ ବିସ୍ତୃତ ତଥ୍ୟ ସମ୍ବଳିତ ଉତ୍ତର ରଖିଥିଲେ। ସେଥିରେ ବି ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟ ସହିତ ଆମର ସୀମା ବିବଦ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ଆନ୍ଧ୍ର କବଜାରେ କୁଟିଆ ଗ୍ରାମକୁ ନେଇ ପ୍ରଥମେ ୧୯୬୮ ମସିହାରେ ସୁପ୍ରିମ କୋର୍ଟରେ ମାମଲା ହୋଇଥିଲା। ସୁପ୍ରିମକୋର୍ଟ ତାଙ୍କ ଅନ୍ତରୀଣ ରାୟରେ ଉଭୟ ରାଜ୍ୟକୁ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ। ପରବର୍ତ୍ତୀ ଅବସ୍ଥାରେ ୨୦୧୧ ମସିହାରେ ସରକାର କ୍ୟୁରେଟିଭ ପିଟିସନ୍‌ ଦାଖଲ କରିଥିଲେ। ତାହା ଅଦାଲତଙ୍କ ଦ୍ବାରା ଖାରଜ ହୋଇଥିଲା। ଏହାପରେ ବି ସରକାର ନିରବ ରହିଲେ। ଅର୍ଥାତ୍‌ ସମସ୍ୟା ଯେଉଁଠି ସେଇଠି। ବିବାଦର ଫାଇଦା ଉଠାଇ ଆନ୍ଧ୍ର ପ୍ରଦେଶ ସରକାର ଓଡ଼ିଶା ସୀମାକୁ ଅତିକ୍ରମଣ କରିଚାଲିଛନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ମଧ୍ୟ ଆଲୋଚନାରେ ଭାଗ ନେଇ ବହୁ ସମୟ ପର୍ଯ୍ୟନ୍ତ ଓଡ଼ିଶାର ଗୌରବମୟ ଇତିହାସ ସମ୍ପର୍କରେ କହିଥିଲେ। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ହାଜତ ମୃତ୍ୟୁ ସମ୍ପର୍କିତ ଖବର ପ୍ରତିଦିନ ପ୍ରକାଶ ପାଉଛି। ଏବେ ସୀମାବିବାଦ ସୀମା ଲଂଘିଲାଣି ଅଥଚ ମୁଖ୍ୟମନ୍ତ୍ରୀ ଚୁପ୍‌ ବସିଛନ୍ତି। ପଡ଼ୋଶୀ ରାଜ୍ୟମାନଙ୍କ ଦାଦାଗିରି ଦିନକୁ ଦିନ ବଢ଼ୁଛି। ଖୁବ ଶୀଘ୍ର ସର୍ବଦଳୀୟ କମିଟି ଡାକି ଆଲୋଚନା କରିବାକୁ ସେ ଦାବି କରିଥିଲେ। ବିଜେପି ବିଧାୟକ କେ. ନାରାୟଣ ରାଓ କ୍ଷୋଭ ପ୍ରକାଶ କରି କହିଥିଲେ, ଯେତେବେଳେ ସୀମାନ୍ତ ଗାଁରେ ରାସ୍ତା କାମ ହେଉଛି ସେତେବେଳେ ସ୍ଥାନୀୟ ତହସିଲଦାର, ବିଡିଓ ଓ ଯନ୍ତ୍ରୀ ସେଠାରେ ଉପସ୍ଥିତ ରହୁଛନ୍ତି। କିନ୍ତୁ ଯେତେ‌ବେଳେ ଆନ୍ଧ୍ରର ଲୋକ ଆସି ଗଜପତି ଜିଲ୍ଲାରେ ଥିବା ଓଡ଼ିଆ ଲୋକଙ୍କ ଚାଷ ଜମିରେ ଜୋରଜବରଦସ୍ତ ଚାଷ କରୁଛନ୍ତି ସେତେବେଳେ ଅଧିକାରୀମାନଙ୍କୁ ଅବଗତ କରାଗଲେ ବି କେହି ଆସୁନାହାନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସର୍ବଦଳୀୟ ବୈଠକ ଡାକି ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିଥିଲେ। ଏହା ସହିତ ବିଧାନସଭା ଗୃହ କମିଟି ନିୟମିତ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରି ଲୋକମାନଙ୍କ ଭଲମନ୍ଦ ବୁଝିବା ସହ ଅଫିସରମାନଙ୍କ ସହ ସମୀକ୍ଷା କରିବାକୁ ଶ୍ରୀ ନାଏକ ପ୍ରସ୍ତାବ ଦେଇଥିଲେ।

ବିଜେପି ସଦସ୍ୟମାନେ ଦୀର୍ଘ ୫୦ ମିନିଟ୍‌ ଧରି ମୁଲତବୀ ପ୍ରସ୍ତାବରେ କହିବାରୁ ଏ ନେଇ ଆପତ୍ତି ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବାଚସ୍ପତିଙ୍କୁ ଅସନ୍ତୋଷ ପ୍ରକାଶ କରି ଶ୍ରୀ ମିଶ୍ର କହିଥିଲେ, ମୁଲତବୀ ପ୍ରସ୍ତାବ ୯୦ ମିନିଟ୍‌ ପାଇଁ ଆଲୋଚନା ହେବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ସୀମା ବିବାଦ ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗ। ଯେତେବେଳେ ଆପଣ ୫୦ ମିନିଟ୍‌ ବିଜେପି ଦଳକୁ ଦେଇସାରିଲେଣି ସେହି ତୁଳନାରେ କଂଗ୍ରେସକୁ ୩୦ ମିନିଟ୍‌ ଦେବେ। ଶ୍ରୀ ମିଶ୍ରଙ୍କ ଏହି ଦାବିକୁ ନେଇ ତତ୍‌କ୍ଷଣାତ୍‌ ବାଚସ୍ପତି କିଛି କହିନଥିଲେ। ବିଜେପିକୁ ଲକ୍ଷ୍ୟ କରି ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶା ସମ୍ପର୍କରେ ସ୍ବାଧୀନତା ପୂର୍ବର ଇତିହାସକୁ ଆଲୋଚନା କଲେ ଲାଭ ନାହିଁ। ଇତିହାସ ଗାୟନ କରି କିଛି ବି ହାସଲ ହେବ ନାହିଁ। ସମ୍ବିଧାନ ପ୍ରସ୍ତୁତ ପାଇଁ ଗଠନ ହୋଇଥିବା ସମ୍ବିଧାନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାରୁ ଜଣେ ନେତା ଯୁଧିଷ୍ଠିର ମିଶ୍ର ସଦସ୍ୟ ସାମିଲ ହୋଇଥିଲେ। ତାଙ୍କ ସହିତ ଢେଙ୍କାନାଳ ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ନେତା ସାରଙ୍ଗଧର ଦାସ ମଧ୍ୟ ସଦସ୍ୟ ଥିଲେ। ସେତେବେଳେ ସଢ଼େଇକଳା ଓ ଖରସୁଆଁର ତତ୍କାଳୀନ ରାଜା ଓଡ଼ିଶାରେ ମିଶିବାକୁ ପସନ୍ଦ କରିଥିଲେ। ୧୯୪୮ ମସିହା ଜାନୁଆରି ପହିଲା ତାରିଖରେ ମୟୂରଭଞ୍ଜକୁ ଛାଡ଼ି ଅନ୍ୟ ସମସ୍ତ ଗଡ଼ଜାତଗୁଡ଼ିକ ଓଡ଼ିଶାରେ ମିଶିଲେ। ଷଢ଼େଇକଳା ଓ ଖରସୁଆଁ ଓଡ଼ିଶାରେ ରହିବ କିନ୍ତୁ ପ୍ରଶାସନିକ ବ୍ୟବସ୍ଥା ତତ୍କାଳୀନ ବିହାର ସରକାର କରିବେ। ଏହାକୁ ନେଇ ଶ୍ରୀ ମିଶ୍ର ସମ୍ବିଧାନ ସଭାରେ ଆପତ୍ତି ଉଠାଇଥିଲେ। ସେତେବେଳେ ଶ୍ରୀ ମିଶ୍ରଙ୍କୁ ଆଶ୍ବାସନା ଦେଇ ସର୍ଦ୍ଦାର ପଟେଲ କହିଥିଲେ, ଏହା କେବଳ ଏକ ଅସ୍ଥାୟୀ ବ୍ୟବସ୍ଥା। ୧୯୪୯ରେ ମୟୂରଭଞ୍ଜ ଓଡ଼ିଶାରେ ମିଶିଲା ସତ କିନ୍ତୁ, ସଢେଇକଳା ଓ ଖରସୁଆଁ ତତ୍କାଳୀନ ବିହାର ଅଧୀନରେ ରହିଗଲା। ଏ ନେଇ ସମ୍ବିଧାନ ସଭାରେ ଯୁଧିଷ୍ଠିର ମିଶ୍ର ଘୋର ପ୍ରତିବାଦ କରିଥିଲେ। ପରବର୍ତ୍ତୀ କାଳରେ ୧୯୫୬ ରାଜ୍ୟ ପୁନର୍ଗଠନ କମିଟି ନେଇ ବିରାଟ ଆନ୍ଦୋଳନ ହୋଇଥିଲା। ବୋଧହୁଏ, ଏବର ସରକାର ସଢ଼େଇକଳା ଓ ଖରସୁଆଁ ଓଡ଼ିଶାର ଅଙ୍ଗ ବୋଲି ଭୁଲିଗଲେଣି। କୁଟିଆର ୨୧ଟି ଗାଁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ମାମଲା ପଡ଼ିରହିଛି। ସ୍ଥିତାବସ୍ଥା ଆଦେଶକୁ ନେଇ ସରକାର ଶୋଇଯାଇଛନ୍ତି। ମହାନଦୀ ଓ ସୀମା ବିବାଦ ନେଇ ବିଧାନସଭା ଗୃହ କମିଟି ହୋଇଛି। ସୀମା ବିବାଦ ସଂକ୍ରାନ୍ତ ଗୃହ କମିଟି କେତେଥର ବସିଛି। କଂଗ୍ରେସ ବିଧାୟକ ଦଳ ନେତା ଏପରି ୧୭ ମିନିଟ୍‌ କହିବା ପରେ ବାଚସ୍ପତି ଆଲୋଚନା ସାଙ୍ଗ କରିବାକୁ କହିବାରୁ ଶ୍ରୀ ମିଶ୍ର ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାକୁ ନେଇ କିଛି ସମୟ ପାଇଁ ବାଚସ୍ପତି ଓ ଶ୍ରୀ ମିଶ୍ରଙ୍କ ଭିତରେ କଥା କଟାକଟି ହୋଇଥିଲା। ପରେ ଆଲୋଚନାରେ ଭାଗ ନେବେନି ବୋଲି କହି ଶ୍ରୀ ମିଶ୍ରଙ୍କ ସମେତ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। କଂଗ୍ରେସ ସଦସ୍ୟମାନଙ୍କୁ ଗୃହକୁ ଫେରେଇଆଣିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି କହିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କଂଗ୍ରେସ ସଦସ୍ୟମାନଙ୍କୁ ଗୃହକୁ ଫେରିବା ପାଇଁ ଅନୁରୋଧ କରିଥିଲେ ବି ସେମାନେ ଫେରିନଥିଲେ।

ବିଜେଡି ବିଧାୟକ ପ୍ରୀତମ ପାଢ଼ୀ ଆଲୋଚନାରେ ଭାଗ ନେଇ କହିଥିଲେ, କୁଟିଆର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦ କୋଟି ଟଙ୍କା ଘୋଷଣା କରିଥିଲେ। ସେଥିରେ ସ୍କୁଲ, ପାନୀୟ ଜଳ ସମେତ ବିଭିନ୍ନ ଭିତ୍ତିଭୂମିର ବିକାଶ କରାଯାଇପାରିଛି। ଏବେ ବି କୁଟିଆର ୧୬ଟି ଗାଁକୁ ଆନ୍ଧ୍ର ପ୍ରଦେଶ ସରକାର ବିଜୁଳି ସଂଯୋଗ ଯୋଗାଇଛନ୍ତି। ଓଡ଼ିଶା ସୀମା ଭିତରକୁ ଆସି ଆନ୍ଧ୍ରପ୍ରଦେଶର କିଛି ଆସାମାଜିକ ବ୍ୟକ୍ତି ଆମ ଲୋକଙ୍କୁ ସବୁବେଳେ ଭୟ ଦେଖାଉଛନ୍ତି। ସେହିପରି ପଶ୍ଚିମବଙ୍ଗ ପ୍ରଶାସନ ଓ ଲୋକଙ୍କୁ ଦାଦାଗିରି ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିଜେଡି ବିଧାୟକ ଅଶ୍ବିନୀ କୁମାର ପାତ୍ର। ବିଜେଡି ବିଧାୟକ କିଶୋର ମହାନ୍ତି କହିଥିଲେ, ସୀମା ବିବାଦ ନୂଆ କଥା ନୁହେଁ। ଏ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି। ବିବାଦର ସମାଧାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଛି। ଗୃହ କମିଟି ବାରମ୍ବାର ବିବାଦୀୟ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ଦରକାର। ବିଶେଷକରି ରାଜ୍ୟର ସୀମାରେ ଥିବା ସ୍ଥାନୀୟ ପ୍ରଶାସନରେ ଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତି ଦେବା ନେଇ ଶ୍ରୀ ମହାନ୍ତି ଗୁରୁତ୍ବ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ କିପରି ଛତିଶଗଡ଼ର ଲୋକ ଆସି ଓଡ଼ିଆ ଲୋକଙ୍କୁ ଚାଷ ଜମିରୁ ଧାନ କାଟି ନେଉଛନ୍ତି ସେ ନେଇ ଶ୍ରୀ ମହାନ୍ତି ଗୃହରେ ତଥ୍ୟ ରଖିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର