ଖାଉଟି କମିସନରେ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ ପ୍ରସଂଗ : ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ, ୨୨ରେ ପରବର୍ତ୍ତୀ ଶୁଣାଣି  

କଟକ : ରାଜ୍ୟ ଖାଉଟି ବିବାଦ ସମାଧାନ କମିସନରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜ‌ଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଂଜ୍ୟୁମର ବାର୍ ଆସୋସିଏସନ ଆବେଦନର ଶୁଣାଣି ସମୟରେ ଖାଉଟି କମିସନରେ ପଦ ପୂରଣ ସଂପର୍କିତ ନୂତନ ନିୟମ ପ୍ରସଂଗରେ ପକ୍ଷ ରଖିବାକୁ ସରକାରଙ୍କ ପକ୍ଷରୁ ଅଧିକ ମହଲତ ଲୋଡା ଯାଇଥିଲା। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨କୁ ଧାର୍ଯ୍ୟ କରିଥିବାବେଳେ ଏହା ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଆସୋସିଏସନ ପକ୍ଷରୁ ଆଇନଜୀବୀ କରୁଣାକର ଜେନା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟ ଖାଉଟି କମିସନ୍‌ରେ ଏକ ବର୍ଷ ହେବ ବିଚାରବିଭାଗୀୟ ସଦସ୍ୟ ପଦ ଖାଲି ପଡିଛି। କମିସନ ଅଧ୍ୟକ୍ଷ ଓ ଜଣେ ସଦସ୍ୟ ମାମଲାଗୁଡିକର ଶୁଣାଣି କରୁଛନ୍ତି। କୌଣସି କାରଣରୁ ଜଣେ ଅନୁପସ୍ଥିତ ରହିଲେ ଖଣ୍ଡପୀଠ ବସି ପାରୁ ନାହିଁ କି ମାମଲାଗୁଡିକର ଶୁଣାଣି ହୋଇ ପାରୁ ନାହିଁ। ଏଥିସହିତ ଖାଉଟି କମିସନର ଅଧ୍ୟକ୍ଷ ଆସନ୍ତା ଜାନୁଆରି ମାସରେ ଅବସର ଗ୍ରହଣ କରିବେ। ଅଧ୍ୟକ୍ଷଙ୍କ ଅବସରର ୩ ମାସ ପୂର୍ବରୁ ନୂତନ ଅଧ୍ୟକ୍ଷ ଚୟନ ସଂପର୍କିତ ପ୍ରକ୍ରିୟା ଆରମ୍ଭ କରାଯିବାର ନିୟମ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ସରକାର ଆରମ୍ଭ କରି ନାହାନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏପରି ପରିସ୍ଥିତିରେ ତୁରନ୍ତ ସଦସ୍ୟ ପଦ ପୂରଣ କରାଯାଉ ବୋଲି ଆସୋସିଏସନ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର