ମତ୍ସ୍ୟ ବିଭାଗରେ ୫୦୦ ପଦବି ଖାଲି : ୪ ମାସ ହେଲା ନାହାନ୍ତି ସ୍ଥାୟୀ ନିର୍ଦ୍ଦେଶକ, ୨ ବର୍ଷ ହେଲା ଦୁଇ ଅତିରିକ୍ତ ନିର୍ଦ୍ଦେଶକ ପଦ ଫାଙ୍କା

କଟକ : ଜଣେ ଅଫିସର ଏବେ ଦୁଇଟି ବିଭାଗର ମୁଖ୍ୟ। ଦୀର୍ଘଦିନ ହେବ ପଦବି ପୂରଣ ହେଉ ନାହିଁ। ତା’ ସହିତ ୫ଶହରୁ ଅଧିକ ବିଭିନ୍ନ ପଦବି ବି ଖାଲି ପଡିଛି। ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମତ୍ସ୍ୟ ବିଭାଗରେ ଏପରି ସମସ୍ୟା ଏବେ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

କଟକସ୍ଥିତ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟରେ ଚାରି ମାସ ହେବ ନିର୍ଦ୍ଦେଶକ ପଦବି ଖାଲିପଡିଛି। ରାଜ୍ୟ ପଶୁ ଏବଂ ପ୍ରାଣୀଧନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରତ୍ନାକର ରାଉତଙ୍କୁ କାମଚଳା ଦାୟିତ୍ବ ଅର୍ପଣ କରାଯାଇଛି। ଶ୍ରୀ ରାଉତ ଏବେ ଦୁଇଟି ବିଭାଗର ଦାୟିତ୍ବ ନିର୍ବାହ କରୁଛନ୍ତି। ପୂର୍ବରୁ ଏହି ବିଭାଗରେ ନିର୍ଦ୍ଦେଶକ ଥିବା ପ୍ରଶାନ୍ତ ସେନାପତିଙ୍କର ବୋର୍ଡ ଅଫ ରେଭିନ୍ୟୁକୁ ବଦଳି ପରେ ଏହି ପଦବି ଫାଙ୍କା ପଡିଛି। ବିଭାଗରେ ଥିବା ଦୁଇ ଅତିରିକ୍ତ ନିର୍ଦ୍ଦେଶକ ପଦବି ମଧ୍ୟ ଖାଲିପଡିଛି। ଉର୍ବଶୀ ବେହେରା ଏବଂ ଜାନକୀବଲ୍ଲଭ ଦାସଙ୍କର ବଦଳି ପରେ ଦୀର୍ଘ ୨ ବର୍ଷ ହେବ ଏହି ପଦବି ପୂରଣ ହୋଇ ନ ଥିବା ଅଭିଯୋଗ ହୋଇଛି। ମତ୍ସ୍ୟଚାଷର ବିଭିନ୍ନ ଯୋଜନା ଏବଂ ମତ୍ସ୍ୟଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟରେ ମତ୍ସ୍ୟବିଭାଗର ୧୦ଗୋଟି ଜୋନ ଅଛି। ପ୍ରତି ଜୋନ ଅଧିନରେ ତିନି ଗୋଟି ଜିଲ୍ଲା ରହିଛି। କଟକ, ପୁରୀ, ବାଲେଶ୍ବର, ଅନୁଗୁଳ, ସମ୍ବଳପୁର, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର, ବ୍ରହ୍ମପୁର, କୋରାପୁଟ ଆଦି ମତ୍ସ୍ୟ ଜୋନ ରହିଥିବ‌ା ବେଳେ ପ୍ରତି ଜୋନରେ ଜଣେ ଲେଖାଏଁ ଡେପୁଟୀ ଡାଇରେକ୍ଟର ଅବସ୍ଥାପିତ ଅଛନ୍ତି। ଏଥିସହିତ ମତ୍ସ୍ୟ ନିର୍ଦ୍ଦେଶାଳୟରେ ଛଅଟି ଡେପୁଟୀ ଡାଇରେକ୍ଟର ପଦବି ରହିଛି। ତେବେ ଏହି ଛଅଟି ପଦବି ମଧ୍ୟରୁ ଦୁଇଟି ପଦବି ପ୍ରାୟ ଏକ ବର୍ଷ ହେବ ଖାଲିଥିବା ସୂଚନା ମିଳିଛି। ସେହିପରି ପ୍ରତି ଜିଲ୍ଲାରେ ସରକାର ଜଣେ ଲେଖାଏଁ ଜିଲ୍ଲା ମତ୍ସ୍ୟ ଅଧିକାରୀ (ଡିଓଏଫ)ଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ୩୦ଟି ଜିଲ୍ଲା ମଧ୍ୟରୁ ଅନୁଗୁଳ, କଳାହାଣ୍ଡି, ନୂଆପଡା, ବୌଦ୍ଧ ଆଦି ଜିଲ୍ଲାରେ ଡିଏଫଓ ପଦବି ଖାଲି ପଡିଥିବାବେଳେ ଏଠାରେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ କାର୍ଯ୍ୟରେ ଅବସ୍ଥାପିତ କରାଯାଇଛି। ରାଜ୍ୟର ୩୧୪ଟି ବ୍ଲକରେ ଶତାଧିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପଦବି ମଧ୍ୟ ଖାଲିପଡିଛି। ଗୋଟିଏ ଗୋଟିଏ ବ୍ଲକରେ ଜଣେ ଏଏଫଓଙ୍କୁ ଦୁଇଟି ବ୍ଲକରେ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି। ବହୁସ୍ଥାନରେ କନିଷ୍ଠ ଅଧିକାରୀଙ୍କୁ କାମଚଳା ଭାବେ ଦାୟିତ୍ବରେ ରଖାଯାଇଛି। ମତ୍ସ୍ୟ ନିର୍ଦ୍ଦେଶାଳୟରେ ମଧ୍ୟ ୧୭୦ରୁ ବହୁ ପଦବି ଖାଲି ପଡିଛି। ଅଧିକାଂଶ ବ୍ଲକରେ ଶତାଧିକ ଫିଲ୍ଡ ଷ୍ଟାଫ ନାହାନ୍ତି। ବିଭାଗରେ ମୋଟାମୋଟି ଭାବେ ଏବେ ତିରିଶ ପ୍ରତିଶତ ପଦବି ଖାଲିପଡିଛି। ୨୦୧୭ରେ ଶେଷଥର ପାଇଁ ବିଭାଗରେ ୧୨୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ସରକାର। କର୍ମଚାରୀ ଅଭାବ ଯୋଗୁ ମତ୍ସ୍ୟବିଭାଗର ବହୁ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭି‌‌‌େଯାଗ ହୋଇଛି।

ସମ୍ବନ୍ଧିତ ଖବର