ପିପିଲି/ପୁରୀ : ପୁରୀ ଜିଲ୍ଲା ସାତଶଙ୍ଖସ୍ଥିତ ଉତ୍ତରାୟଣୀ ଶୀତଳ ଭଣ୍ଡାରର ଦୟନୀୟ ସ୍ଥିତି ଚାଷୀଙ୍କୁ ଚିନ୍ତା‌ରେ ପକାଇଛି। ଏହି ଶୀତଳ ଭଣ୍ଡା‌ରରେ ଚାଷୀମାନେ ରଖିଥିବା ଆଳୁ ସବୁ ଗଜା ହୋଇଯାଇଛି। ଏହି ଖବର ପାଇବା ପରେ ଚାଷୀମାନେ ନିଜ ନିଜର ଆଳୁ ପ୍ୟାକେଟ୍‌ ନେଇ ଯାଉଥିବା ଜଣାପଡିଛି। ପ୍ୟାକେଟ୍‌ରେ ଥିବା ଅଧା ଆଳୁ ପଚି ଯାଇଥିବା ବେଳେ ଅଧା ଆଳୁ ଗଜା ହୋଇଯାଇଛି। ୧୦୦୦ ମେଟ୍ରିକ୍‌ ଟନ୍‌ କ୍ଷମତାବିଶିଷ୍ଟ ଏହି ଶୀତଳ ଭଣ୍ଡାର‌ରେ ମହଜୁଦ୍‌ ଥିବ‌ା ୮ ହଜାର ବସ୍ତା ଆଳୁ ନଷ୍ଟ ହୋଇଯାଇଛି। ଆଳୁ‌ ଫେରସ୍ତ ନେଲା ବେଳେ ଚାଷୀମାନେ ପ୍ରତିବାଦ ସ୍ବରୂପ ଜମା ରଖିଥିବା ଅର୍ଥ ଫେରସ୍ତ ଦାବି କରିଛନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ସାତଶଙ୍ଖସ୍ଥିତ ଉତ୍ତରାୟଣୀ ଶୀତଳ ଭଣ୍ଡାର ଉପରେ ସାକ୍ଷୀଗୋପାଳ, ନିମାପଡ଼ା, ବଳଙ୍ଗା, ପିପିଲି, ଡେଲାଙ୍ଗ, କଣାସ‌ ଆଦି ଅଞ୍ଚଳର ଚାଷୀମାନେ ନିର୍ଭର କରିଥାନ୍ତି। ନଭେମ୍ବର ଓ ଡିସେମ୍ବର ମ‌ାସ‌ରେ ଉତ୍ପାଦିତ ହୋଇଥିବା ଆଳୁ ଏଠାରେ ଜମା ରଖିଥାନ୍ତି ଚାଷୀ। ଏହି ଶୀତଳ ଭଣ୍ଡାରରେ ୮ ହଜାର ଆଳୁ (୪ ହଜାର କୁଇଣ୍ଟାଲ) ବସ୍ତା ରହିଥିଲା। ଏ ସମସ୍ତ ଆଳୁ ଗଜା ହୋଇଯାଇଛି। ଫନି ବେଳେ ବିଦ୍ୟୁତ୍ ସଂଯୋଗ କଟିଯିବା ପରେ ଶୀତଳ ଭଣ୍ଡାର ପାଇଁ ଜେନେରଟର୍‌ ବ୍ୟବସ୍ଥା‌ କରାଯାଇଥି‌ଲା। ତେବେ ଜେନେରଟର ପାଇଁ ଯେତିକି ତେଲ ଆବଶ୍ୟକ ସେତିକି ତେଲ (ଡିଜେଲ) ଯୋଗାଇ ପାରିନଥିଲା ପ୍ରଶାସନ। ଫଳରେ ପ୍ରତିଦିନ ୫/୬ ଘଣ୍ଟା ଜେନରେଟର୍‌ ଚାଲୁଥିବା ବେଳେ ଅବଶିଷ୍ଟ ସମୟ ଜେନେରଟର୍‌ ବନ୍ଦ ରହୁଥିଲା। ବିଦ୍ୟୁତ୍ ସଂ‌ଯୋଗ ଆସିଲା ବେ‌ଳକୁ ସ୍ଥିତି ପୂରା ବେକାବୁ। ଶୀତଳ ଭଣ୍ଡାରରେ ଥିବା ସବୁ ଆଳୁ ଗଜା ହୋଇ ଯାଇଥିବା ବେଳେ ସମବାୟ ସମିତି ଏହି ଗଜା ଆଳୁ ନେବାକୁ ଚାଷୀମାନଙ୍କୁ ବାଧ୍ୟ କରୁଛି। ଯାହାକୁ ନେଇ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।