ଭୁବନେଶ୍ବର: ରାଜ୍ୟରେ ଆଳୁ ସଂକଟକୁ ନେଇ ଗତକାଲି ରାଜ୍ୟ ସରକାରଙ୍କ ସହ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର କର୍ମକର୍ତ୍ତାଙ୍କ ବୈଠକ ହେଲା। ଲୋକମାନଙ୍କୁ କିଭଳି ଆଳୁ ଉପଲବ୍ଧ ହେବ ତାହା ଉପରେ ଆଲୋଚନା କରାଗଲା। ଏହାର ଦିନକ ପରେ ଓଡ଼ିଶା ବଜାରରୁ ଆଳୁ ଉଭାନ୍। ଖାଉଟିଙ୍କୁ ଆଶ୍ବସ୍ତି ଦେବା ଲାଗି ସରକାର ଗୋଟିଏ କଥା କହୁଥିବା ବେଳେ ବଜାରରେ କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଅଲଗା। ଓଡ଼ିଶାକୁ ଗାଡ଼ି ଆସୁନାହିଁ କି ଗୋଦାମରେ ଆଳୁ ବି ନାହିଁ। ଯେଉଁ ଦୋକାନୀଙ୍କ ପାଖରେ ଆଳୁ ଅଛି ସେମାନେ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି। ସରକାର କହୁଛନ୍ତି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିବା ଆରମ୍ଭ ହୋଇଛି। ଆଗକୁ ଅଧିକ ସଂଖ୍ୟାରେ ଆଳୁ ଗାଡ଼ି ଆସିବ। ଏହି ଗାଡ଼ି ସବୁ ଯାଉଛି କୁଆଡ଼େ?
ବିଗତ ୩ ଦିନ ହେବ ଭୁବନେଶ୍ବରର ଆଇଗିଣିଆ ଆଳୁ ଗଦିକୁ ହାତ ଗଣତି ଟ୍ରକ୍ ଆସିଛି। ଆଜି ଲୁଚାଛପାରେ ଗୋଟିଏ ଟ୍ରକ୍ ଆସିଥିଲା, ମାତ୍ର ଘଣ୍ଟାଏ ଭିତରେ ସରିଗଲା। ଦିନଭରି ଆଉ ଗୋଟିଏ ବି ଗାଡ଼ି ଆସିନାହିଁ। ଶୀତଳ ଭଣ୍ଡାରରେ ଯେଉଁ ଆଳୁ ରହିଛି, ତହିଁରୁ ଅଳ୍ପ ଅଳ୍ପ ଆଳୁ ବଜାରକୁ ଆସୁଛି। ତାହାପୁଣି ଚାହିଁଲା ବେଳକୁ ଶେଷ ହୋଇଯାଉଛି। ଆଉ ଯେତିକି ଆଳୁ ସଂରକ୍ଷିତ ଅଛି ତାହା ଆଉ ୨ଦିନ ଭିତରେ ଶେଷ ହୋଇଯିବ। ତେଣୁ ସରକାର ଯଦି ତ୍ବରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତା’ହେଲେ ଲୋକମାନଙ୍କୁ ଆଳୁ କିଣିବା ଲାଗି ମିଳିବ ନାହିଁ।
ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବୈଠକରେ ଅନାବଶ୍ୟକ ଭାବେ ଦରଦାମ ବୃଦ୍ଧି କରୁଥିବା ଅସାଧୁ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ମାତ୍ର ବେପାରୀମାନେ ଚଢ଼ା ଦରରେ ଆଳୁ ବିକ୍ରି କରୁଥିବା ବେଳେ ଯୋଗାଣ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ୍ ବସିଛି। ଆଳକୁ ନେଇ ଏଭଳି ଅବ୍ୟବସ୍ଥା ଆଉ କେତେଦିନ ଲାଗି ରହିବ ତାହା ସଂପର୍କରେ କାହା ପାଖରେ କିଛି ଖବର ନାହିଁ। ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ଯୋଗାଣ ମନ୍ତ୍ରୀ କହିଥିଲେ, ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ। ହେଲେ ପଞ୍ଜାବରୁ ଆଳୁ କେବେ ଆସିବ? ସେ ଚିତ୍ର ସ୍ପଷ୍ଟ ହୋଇନାହିଁ।
ଅପରପକ୍ଷରେ ଆଳୁ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ରାଜଭବନ ନିକଟରେ ଆଜି ଭୁବନେଶ୍ବର ଯୁବଛାତ୍ର ସଂଗଠନ ପକ୍ଷରୁ ୨୦ ଟଙ୍କାରେ ଆଳୁ ବିକ୍ରି କରି ପ୍ରତିବାଦ କରାଯାଇଛି। ସଂଗଠନର କର୍ମକର୍ତ୍ତାଙ୍କ କହିବାନୁଯାୟୀ, ବିଜେପି ନିର୍ବାଚନ ସମୟରେ ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ କଥା କହିଥିଲା। ଦୁଇ ଥର ପଦ୍ମ ତ ହେବା ସହ ସରକାର ଗଠନ ହେଲା, ମାତ୍ର ବିକାଶ ଜାଗାରେ ଆଜି ଲୋକ ହତାଶ। ଯୋଗାଣ ମନ୍ତ୍ରୀ କି ରାଜ୍ୟ ସରକାର କିଛି ଜାଣୁ ନାହାନ୍ତି। ସରକାରଙ୍କ ନିୟନ୍ତ୍ରଣରେ ବଜାର ନାହିଁ। ତେଣୁ ଲୋକଙ୍କୁ ଆଶ୍ବସ୍ତି ଦେବା ଲାଗୁ ଆମେ ୨୦ ଟଙ୍କାରେ ଆଳୁ ବିକ୍ରି କରୁଛି ବୋଲି ସେମାନେ କହିଛନ୍ତି।