କଣ୍ଟାବାଞ୍ଜି: ଶନିବାର କଣ୍ଟାବାଞ୍ଜି ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଆଗକୁ ରାଜ୍ୟରେ ଯେପରି ଆଳୁସଙ୍କଟ ନ ହେବ ଏବଂ ଚାଷୀ ଯେମିତି ସୁରୁଖୁରୁରେ ଆଳୁଚାଷ କରି ପାରିବେ, ସେ ନେଇ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଗତ ସରକାର ଆଳୁ ବାହାରିବା ସମୟରେ ଆଳୁ ବିହନ ବଣ୍ଟନ କରିଥିଲେ। ସେଥିପାଇଁ ଆଳୁ ଚାଷ ଠିକ ଭାବେ ହୋଇନଥିଲା। ଆମ ସରକାର ଚାଷ ଆରମ୍ଭ ପୂର୍ବରୁ ଚାଷୀଙ୍କୁ ବିହନ ବଣ୍ଟନ କରିଛନ୍ତି। ରାଜ୍ୟରେ ଠିକ ସମୟରେ ଚାଷ ହେଲେ ଆଗକୁ ଆଳୁ ସଙ୍କଟ ରହିବ ନାହିଁ। ବର୍ତ୍ତମାନ ୩୦ଟି ଜିଲ୍ଲାରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତ କିଛି ବର୍ଷ ଅପେକ୍ଷା ଏଥର ୩ ଗୁଣା ଆଳୁ ଚାଷ କରାଯିବ। ସବୁ ଜିଲ୍ଲାରେ ୧୪ ହଜାର ହେକ୍ଟର ଜମିରେ ଚାଷ କରାଯିବ। ଏକ ସପ୍ତାହ ମଧ୍ୟରେ ଚାଷ ଯେଭଳି ଆରମ୍ଭ ହୋଇଯିବ, ସେ ନେଇ ଉଦ୍ୟମ ଜାରି ରହିଥିବା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ କହିଛନ୍ତି।
ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କୁରଲୀ ଗାଁସ୍ଥିତ ଗୋପାଳ ଗୋଶାଳା ସମିତି ଓ ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଗୋପାଷ୍ଟମୀ ମହୋତ୍ସବରେ ଯୋଗ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସାଂସଦ ସଙ୍ଗୀତା ସିଂହଦେଓ, ଗୋପାଳ ଗୋଶାଳା ସଭାପତି ସଞ୍ଜୟ ଅଗ୍ରୱାଲ, ବିଧାୟକ ଲକ୍ଷ୍ମଣ ବାଗ, ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି କୈଳାସଚାନ୍ଦ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଅଗ୍ରୱାଲ ସଭା ଟ୍ରଷ୍ଟ ସଦସ୍ୟ ଧୀରଜ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲେ। ପରେ କଣ୍ଟାବାଞ୍ଜି ଆରଏମ୍ସି ପରିସରରେ ଉଦ୍ୟାନ ବିଭାଗ ପକ୍ଷରୁ ଆୟୋଜିତ ଆଳୁ ବିହନ ବିତରଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଲକ୍ଷ୍ମଣ ବାଗ, ସାଂସଦ ଶ୍ରୀମତୀ ସିଂହଦେଓ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ, ଉପଜିଲ୍ଲାପାଳ ରେହାନ ଖେତ୍ରୀ, ଏସ୍ପି ରିଷିକେଶ ଖିଲାରୀ ମଞ୍ଚାସୀନ ଥିଲେ। ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ନଗର ସଭାପତି ବେଦବ୍ୟାସ ନାଗ, ଡିଆରୟୁସିସି ସଭ୍ୟ ରାଜେଶ ଅଗ୍ରୱାଲ ସହ ଆର୍ଏମ୍ସି ସମ୍ପାଦକ ଓ କର୍ମଚାରୀ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/S8b3orMWfdrZTytliu1C.jpg)
